ଜଗିଥିଲା କାଳ: ଟ୍ରେନରୁ ଓହ୍ଲାଇ ଦୌଡ଼ୁଥିବା ବେଳେ ମାଡ଼ିଗଲା କୋଣାର୍କ ଏକ୍ସପ୍ରେସ, ୬ ମୃତ

ଅମରାବତୀ: ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲାମ ଜିଲ୍ଲାରେ ସୋମବାର ବିଳମ୍ବିତ ରାତିରେ କୋଣାର୍କ ଏକ୍ସପ୍ରେସ ଧକ୍କାରେ ୬ ଲୋକଙ୍କର ମୃତ୍ୟୁ ଘଟିଛି । ପୋଲିସ ସୂତ୍ରରୁ ଏହାର ସୂଚନା ମିଳିଛି । ପୋଲିସର କହିବା ମୁତାବକ, ଗାଆହାଟି ଯାଉଥିବା ଏକ ସୁପରଫାଷ୍ଟ ଏକ୍ସପ୍ରେସ ବଟୁଭା ଗାଁରେ ବୈଷୟିକ ସମସ୍ୟା ଯୋଗୁ ଅଟକିଥିଲା, ଯେଉଁ ସମୟରେ ସେଥିରୁ କିଛି ଯାତ୍ରୀ ସେଥିରୁ ଓହ୍ଲାଇପଡିଥିଲେ । ଏହି ସମୟରେ ବିପରୀତ ଦିଗରୁ ଆସୁଥିବା କୋଣାର୍କ ଏକ୍ସପ୍ରେସ ସେମାନଙ୍କୁ ଧକ୍କା ଦେଇଥିଲା ।

ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୬ ଶବକୁ ଚିହ୍ନଟ କରାଯାଇଥିବା ନେଇ ପୋଲିସ କହିଛି । ଏଥିରେ ଗୁରୁତର ଆହତମାନଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି । ଶ୍ରୀକାକୁଲମ ଜିଲ୍ଲା ସୂଚନା ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, ସିଗଦମ ଓ ଚିପୁରପଲ୍ଲୀ ରେଲୱେ ଷ୍ଟେସନ ମଧୃରେ ରାତି ପ୍ରାୟ ୯ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା ।

ସୁପରଫାଷ୍ଟ ଏକ୍ସପ୍ରେସରୁ ଓହ୍ଲାଇ କିଛି ଯାତ୍ର୍ରୀ ଦୌଡ଼ିବାର ଚେଷ୍ଟା କରିଥିଲେ । ଠିକ୍ ସେହିି ସମୟରେ ପାଖ ଟ୍ରାକରେ ଭୁବନେଶ୍ୱର-ସିଏସଟି ମୁମ୍ବାଇ କୋଣାର୍କ ଏକ୍ସପ୍ରେସ ଆସିଥିଲା । ଏହି ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ୟାଇଏସ ଜଗମୋହନ ରେଡ୍ଡୀ ଦୁଃଖ ପ୍ରକାଶ କରିଛନ୍ତି । ରିଲିଫ କାର୍ଯ୍ୟ ଆରମ୍ଭ କରିବା ସହ ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ସୁଯୋଗ ଯୋଗାଇବାକୁ ସେ ଜିଲ୍ଲା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।