ଆଗକୁ ଆସୁଛି ବଡ଼ ଗିଫ୍ଟ! ପୁଣି ୪ ପ୍ରତିଶତ ବଢ଼ିବ ମହଙ୍ଗା ଭତ୍ତା, କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଲିଛି ଯୋଜନା

ନୂଆଦିଲ୍ଲୀ: କେନ୍ଦ୍ର କର୍ମଚାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ଖୁବଶୀଘ୍ର ସମସ୍ତ କର୍ମଚାରୀଙ୍କୁ କେନ୍ଦ୍ର ସରକାର ଦେବାକୁ ଯାଉଛନ୍ତି ଏକ ବଡ଼ ଉପହାର । ଗତମାସରେ କେନ୍ଦ୍ର ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ୪ ପ୍ରତିଶତ ବୃଦ୍ଧି କରିଥିଲେ । ଫଳରେ କର୍ମଚାରୀଙ୍କ ମୋଟ ଡିଏ ୩୮ ପ୍ରତିଶତରୁ ୪୨ ପ୍ରତିଶତରେ ପହଞ୍ଚି ଯାଇଥିଲା । ଦେଶରେ ଏବେ ମହଙ୍ଗା ସିଜିନ୍ ଚାଲିଥିବା ବେଳେ ଏହି ଅବସରରେ କେନ୍ଦ୍ର କର୍ମଚାରୀଙ୍କୁ ନରେନ୍ଦ୍ର ମୋଦୀ ସରକାର ଏକ ଗିଫ୍ଟ ଦେବାକୁ ଯୋଜନା କରୁଛନ୍ତି ।

ନିୟମ ଅନୁଯାୟୀ, ବର୍ଷର ଜାନୁଆରୀ ଓ ଜୁଲାଇ ମାସରେ ଦୁଇ ଥର ଡିଏ ବୃଦ୍ଧି ଘୋଷଣା କରାଯାଇଥାଏ । ଗତ ଦୁଇଥର କେନ୍ଦ୍ର ସରକାର ୪ ପ୍ରତିଶତ ଡିଏ ବୃଦ୍ଧି କରିଥିବାରୁ ଏଥର ମଧ୍ୟ ୪ ପ୍ରତିଶତ ବୃଦ୍ଧି କରିବାର ସମ୍ଭାବନା ରହିଛି । ତେବେ ଅଲ ଇଣ୍ଡିଆ କଞ୍ଜ୍ୟୁମର ପ୍ରାଇସ ଇଣ୍ଡେକ୍ସ (ଆଇସିପିଆଇ) ପକ୍ଷରୁ ଜାରି ରିପୋର୍ଟ ମୁତାବକ, ମୋଦୀ ସରକାର ଆସନ୍ତା ଜୁଲାଇ ମାସରେ ପୁଣି ଥରେ ୪ ପ୍ରତିଶତ ଡିଏ ବୃଦ୍ଧି କରିପାରନ୍ତି । ଏବେ କେବଳ ଏଆଇସିପିଆଇର ଫାଇନାଲ ରିପୋର୍ଟ ଆସିବା ବାକି ରହିଛି ।

ସୂଚନାଯୋଗ୍ୟ ଯେ, ଯଦି କର୍ମଚାରୀଙ୍କ ସର୍ବନିମ୍ନ ବେସିକ ସାଲାର ୧୮ ହଜାର ହୁଏ ତେବେ ବେତନରେ ପ୍ରତିମାସରେ ୭୨୦ ଟଙ୍କା ବୃଦ୍ଧି ହେବ । ଏପରି ସ୍ଥିତିରେ ବାର୍ଷିକ ବେତନରେ ୮୬୪୦ ଟଙ୍କା ବୃଦ୍ଧି ହେବ । ସେହିପରି ଯଦି ସର୍ବାଧିକ ବେସିକ ସାଲାରୀ ମାସକୁ ୫୬,୯୦୦ ଟଙ୍କା ହୁଏ, ତେବେ ପ୍ରତି ମାସରେ ୨୨୭୬ ଟଙ୍କା ବୃଦ୍ଧି ହେବ । ଏପରି ସ୍ଥଳେ ବାର୍ଷିକ ବେତନରେ ୨୭,୩୧୨ ଟଙ୍କା ବୃଦ୍ଧି ଘଟିବ ।

ସାଧାରଣ ଭାବେ ଫିଟମେଣ୍ଟ ଫ୍ୟାକ୍ଟର ଆଧାରରେ ହିଁ କେନ୍ଦ୍ର କର୍ମଚାରୀଙ୍କ ବେସିକ ସାଲାରୀରେ ବୃଦ୍ଧି ହୋଇଥାଏ । ସପ୍ତମ ବେତନ ଆୟୋଗଙ୍କ ସୁପାରିଶ ଅନୁସାରେ, କେନ୍ଦ୍ର କର୍ମଚାରୀଙ୍କ ବେତନ, ଭତ୍ତା ବ୍ୟତୀତ ବେସିକ ସାଲାରୀ ବୃଦ୍ଧି ଫିଟମେଣ୍ଟ ଫ୍ୟାକ୍ଟର ଦ୍ୱାରା ସ୍ଥିରୀକୃତ ହୋଇଥାଏ । ଏହା ପୂର୍ବରୁ ଫିଟମେଣ୍ଟ ଫ୍ୟାକ୍ଟର ବୃଦ୍ଧି ହେବା ଫଳରେ କର୍ମଚାରୀଙ୍କ ବେତନ ଦୁଇଗୁଣ ବୃଦ୍ଧି ଘଟିଥିଲା । ଏବେ କର୍ମଚାରୀମାନେ ଫିଟମେଣ୍ଟ ଫ୍ୟାକ୍ଟ ବୃଦ୍ଧି ନେଇ ଦାବି କରୁଛନ୍ତି । ବେସିକ ସାଲାରି ଓ ମୋଟ ବେତନରେ ବୃଦ୍ଧି ଜରୁରୀ ବୋଲି କର୍ମଚାରୀଙ୍କ ପକ୍ଷରୁ କୁହାଯାଇଛି ।