ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନାର ଲାଭ ଉଠାନ୍ତୁ, ଘରେ ବସି ‘ମାଗଣା ବିଜୁଳି’ ପାଆନ୍ତୁ
ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନାରେ ଏପର୍ଯ୍ୟନ୍ତ 1.5 କୋଟିରୁ ଅଧିକ ଘରେ ସୌର ପ୍ୟାନେଲ ସ୍ଥାପନ କରାଯାଇଛି, ଯାହାର ଲକ୍ଷ ରହିଛି 10 କୋଟି ଘରେ ସ୍ଥାପନ କରିବା
ଓଡିଶା ଭାସ୍କର: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନାକୁ ନେଇ ସାରା ଦେଶରେ ଖୁସିର ମାହୋଲ। ଏହି ଯୋଜନା ଫେବୃଆରୀ 2024 ରେ ଆରମ୍ଭ ହୋଇଥିଲା, ଯାହା ଧୀରେ ଧୀରେ ଲୋକପ୍ରିୟ ହେବାରେ ଲାଗିଛି। ଏହି ଯୋଜନାର ଲକ୍ଷ୍ୟ, 10 କୋଟି ଘରେ ସୌର ପ୍ୟାନେଲର ସ୍ଥାପନ କରିବା, ଯାହା ଭାରତର ଶକ୍ତି ଆତ୍ମନିର୍ଭରଶୀଳତା ବଢାଇବା ସହିତ ବିଦ୍ୟୁତ୍ ବିଲକୁ କମ କରିବ।
କେନ୍ଦ୍ରୀୟ ନୂତନ ଏବଂ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟ(MNRE) ଘୋଷଣା କରିଛି ଯେ, ଏହି ଯୋଜନା ବାର୍ଷିକ 1,600 କୋଟି ଟଙ୍କା ସଞ୍ଚୟ କରିଛି,ଏବଂ ଏହାର ଲକ୍ଷ୍ୟ ହେଉଛି 2027 ସୁଦ୍ଧା ମୋଟ 5 ଲକ୍ଷ କୋଟି ଟଙ୍କା ସଞ୍ଚୟ ହାସଲ କରିବା।
ସରକାରୀ ତଥ୍ୟ ଅନୁଯାୟୀ, ଏହି ଯୋଜନା ଅଧୀନରେ ଏପର୍ଯ୍ୟନ୍ତ 1.5 କୋଟିରୁ ଅଧିକ ଘରେ ସୌର ପ୍ୟାନେଲ ସ୍ଥାପନ କରାଯାଇଛି,ଯାହା ଦ୍ଵାରା ପ୍ରତି ପରିବାରରେ ବାର୍ଷିକ ହାରାହାରି 12000 ଟଙ୍କା ସଞ୍ଚୟ ହେଉଛି।
ସରକାର 2027 ସୁଦ୍ଧା 10 କୋଟି ଘରେ ସୌର ପ୍ୟାନେଲ ସ୍ଥାପନ କରିବାର ଲକ୍ଷ୍ୟ ରଖିଛନ୍ତି, ଯାହା ଭାରତର କାର୍ବନ ଫୁଟପ୍ରିଣ୍ଟ କମ କରିବ। ତା ସହିତ ନବୀକରଣୀୟ ଶକ୍ତିକୁ ପ୍ରୋତ୍ସାହନ ମିଳିବ।
ସବସିଡି ଏବଂ ଆର୍ଥିକ ସହାୟତା: କେନ୍ଦ୍ର ସରକାର 1-3 କିଲୋୱାଟ୍ ସୌର ସିଷ୍ଟମ୍ ପାଇଁ 30,000 ରୁ 78,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ଏହା ବ୍ୟତୀତ କମ ସୁଧ ହାରରେ ଋଣ ଏବଂ ସହଜ କିସ୍ତି ଯୋଜନା ମଧ୍ୟ ମିଳୁଛି।
ଏହି ଯୋଜନା କେବଳ ଘରଗୁଡ଼ିକର ବିଦ୍ୟୁତ୍ ଖର୍ଚ୍ଚ କମ କରୁନାହିଁ, ବରଂ ସୌର ଶକ୍ତି କ୍ଷେତ୍ରରେ 10 ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି କରିଛି। ସୌର ପ୍ୟାନେଲ ନିର୍ମାଣ, ସଂସ୍ଥାପନ ଏବଂ ରକ୍ଷଣାବେକ୍ଷଣ ଭଳି କ୍ଷେତ୍ରରେ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ସୌର ଶକ୍ତି କ୍ଷେତ୍ରରେ 20 ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି ହେବାର ଲକ୍ଷ ରହିଛି।
କେବଳ ଏତିକି ନୁହେଁ MNRE ଅନୁଯାୟୀ, ଏହି ଯୋଜନାରେ ଏପର୍ଯ୍ୟନ୍ତ 2.5 ଗିଗାୱାଟ ସୌରଶକ୍ତି ଉତ୍ପାଦନ କ୍ଷମତା ବୃଦ୍ଧି ପାଇଛି, ଯାହା ପ୍ରତିବର୍ଷ 1.8 ନିୟୁତ ଟନ୍ କାର୍ବନ ଡାଇଅକ୍ସାଇଡ୍ ନିର୍ଗମନ ହ୍ରାସ ପାଇଛି। ଏହା 2030 ସୁଦ୍ଧା ନବୀକରଣୀୟ ଉତ୍ସରୁ ଭାରତର 50% ଶକ୍ତି ଆବଶ୍ୟକତା ପୂରଣ କରିବାର ଲକ୍ଷ୍ୟ ଦିଗରେ ଏକ ବଡ଼ ପଦକ୍ଷେପ।