fbpx

ଗାଁରେ ଗାଁରେ ବୁଲି ବିକୁଥିଲେ ମାଛ, ୧୫ ଅଗଷ୍ଟ କାର୍ଯ୍ୟକ୍ରମରେ ବିଶେଷ ଅତିଥି ହେବା ଲାଗି ଆସିଲା ପ୍ରଧାନମନ୍ତ୍ରୀଙ୍କ ଆମନ୍ତ୍ରଣ

ଖଗଡିଆ:  ବିହାରର ବହୁ ଜିଲ୍ଲାର ମାଛ ଚାଷୀ ଓ ମନରେଗା ଯୋଜନାରେ ଜଡିତ ଶ୍ରମିକଙ୍କୁ ଦିଲ୍ଲୀରେ ଆୟୋଜିତ ହେଉଥିବା ସ୍ୱାଧୀନତା ଦିବସ ସମାରୋହରେ ଭାଗ ନେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ତରଫରୁ ନିମନ୍ତ୍ରଣ ମିଳିଛି । ଖଗଡିଆ ଜିଲ୍ଲା ଓଲୌଲି ପ୍ରଖଣ୍ଡ କାମାଥନ ଗାଁରେ ରହୁଥିବା ଏକ କୈବର୍ତ୍ତ ଦମ୍ପତି ଅର୍ଜୁନ ମୁଖିଆ ଓ ତାଙ୍କ ପତ୍ନୀ ଜୀରା ଦେବୀଙ୍କୁ ଏଥିପାଇଁ ନିମନ୍ତ୍ରଣ ଆସିଛି । ନିମନ୍ତ୍ରଣ ସହିତ ସେମାନଙ୍କୁ ଫ୍ଲାଇଟ୍ ଟିକେଟ ବି ପଠାଯାଇଛି ।
ତେବେ ଏହି ନିମନ୍ତ୍ରଣ ପାଇବା ପରେ ପତିପତ୍ନୀଙ୍କ ପାଦ ଆଉ ତଳେ ଲାଗୁନାହିଁ । ଜୀରା ଦେବୀ କହିଛନ୍ତି ଆଜି ପର୍ଯ୍ୟନ୍ତ ନା ସେ କେବେ ଦିଲ୍ଲୀ ଯାଇଛନ୍ତି ନା ଉଡାଜାହାଜରେ ବସିଛନ୍ତି । ଏବେ ସରକାର ଆମକୁ ସ୍ୱାଧୀନତା ଦିବସ ସମାରୋହରେ ଯୋଗଦେବାପାଇଁ ଡାକିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଏଥିପାଇଁ ବହୁତ ଧନ୍ୟବାଦ ।

ଅର୍ଜୁନ ମୁଖିଆ ଓ ତାଙ୍କ ପତ୍ନୀ ୨ ବର୍ଷ ପୂର୍ବେ ଘର ଘର ବୁଲି ମାଛ ବିକ୍ରୀ କରୁଥିଲେ । ୨୦୨୧ରେ ଏମାନଙ୍କୁ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସଂପଦ ଯୋଜନାରେ ବାୟୋଫ୍ଲକ ଟ୍ୟାଙ୍କରେ ମାଛ ଚାଷ କରିବା ଲାଗି ୪ ଲକ୍ଷ ୫୦ ହଜାର ଟଙ୍କା ସହାୟତା ରାଶି ମିଳିଥିଲା । ଏବେ ଏହି ଦମ୍ପତି ମାଛ ଚାଷ କରି ନିଜେ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟମାନଙ୍କୁ ମଧ୍ୟ ରୋଜଗାରର ସୁଯୋଗ ଦେଇପାରିଛନ୍ତି । ଏହା ସହିତ ଏବେ ଏମାନେ ଏହି ମାଛ ଚାଷରୁ ଭଲ ଲାଭ ମଧ୍ୟ କରିପାରୁଛନ୍ତି । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ନିମନ୍ତ୍ରଣ ପାଇ ଏମାନେ ଏବେ ବହୁତ ଖୁସି ।

ଅର୍ଜୁନ କହିଛନ୍ତି ସେମାନେ ଖଗଡିଆରୁ ଟ୍ରେନରେ ପାଟନା ଯିବେ ଓ ଏହାପରେ ଫ୍ଲାଇଟରେ ବସି ଦିଲ୍ଲୀ ଯିବେ । ଏହାପରେ ସେଠାରେ ପହଞ୍ଚି ସେମାନେ ସମାରୋହରେ ଭାଗ ନେବେ । ଏଠାରେ ସୂଚାଇ ଦିଆଯାଇପାରେ ଯେ, ଏଥର ସ୍ୱାଧୀନତା ଦିବସ ସମାରୋହରେ ଯୋଗଦେବା ଲାଗି ସରକାର ଦେଶର ବିଭିନ୍ନ ସ୍ଥାନରୁ ୧୮୦୦ ବିଶେଷ ଅତିଥିଙ୍କୁ ନିମନ୍ତ୍ରଣ କରିଛନ୍ତି । ଏହି ବିଶେଷ ଅତିଥିଙ୍କ ମଧ୍ୟରେ ୪୦୦ ସରପଞ୍ଚ, ୨୫୦ କୃଷକ ଓ ବହୁ ନିର୍ମାଣ ଶ୍ରମିକ ରହିଛନ୍ତି ।

Get real time updates directly on you device, subscribe now.