fbpx

(Video) ସ୍ୱାଧୀନତା ଦିବସରେ ତ୍ରିରଙ୍ଗା ପତାକା ଉଡାଇବା ନେଇ କ’ଣ କହୁଛି ଭାରତୀୟ ଆଇନ? ଆସନ୍ତୁ ଜାଣିବା..

ନୂଆଦିଲ୍ଲୀ: ରାତି ପାହିଲେ ଅଗଷ୍ଟ ୧୫ ବା ସ୍ୱାଦୀନତା ଦିବସ । ସାରା ଭାରତବର୍ଷ ପାଳନ କରିବ ଦେଶ ସ୍ୱାଧୀନତା ପାଇବାର ୭୭ ତମ ବାର୍ଷିକ ଉତ୍ସବ । ଦେଶର ଏହି ପବିତ୍ର ଦିବସ ଉପଲକ୍ଷେ କୋଣ ଅନୁକୋଣରେ ଫର ଫର ହୋଇ ଉଡ଼ିବ ଜାତୀୟ ପତାକା ‘ତ୍ରିରଙ୍ଗା’ । ଏହାବ୍ୟତୀତ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକ୍ରମେ ‘ହର ଘର ତ୍ରିରଙ୍ଗା’ ଅଭିଯାନରେ ଏବେ ତ୍ରିରଙ୍ଗା ପତାକା ଶୋଭା ପାଉଛି । କିନ୍ତୁ ତ୍ରିରଙ୍ଗା ପତାକା ଉତ୍ତୋଳନ କରିବା ପଛରେ ଅନେକ କିଛି ନିୟମ ରହିଛି । ଆପଣ କେଉଁ ସ୍ଥାନରେ ତ୍ରିରଙ୍ଗା ଉଡାଇବା ଉଚିତ କି ନୁହେଁ? ଏହା ସହିତ, ଆପଣମାନେ ନିଜ ଛାତ କିମ୍ବା ବାଲକୋନୀରେ ତ୍ରିରଙ୍ଗା ଉଡାଇ ପାରିବେ କି ନାହିଁ । ଆସନ୍ତୁ ଜାଣିବା ଏହି ପ୍ରଶ୍ନର ଉତ୍ତର…

୨୦୦୨ ମସିହା ପୂର୍ବରୁ ସାଧାରଣ ଲୋକମାନେ କେବଳ ସ୍ୱାଧୀନତା ଦିବସ କିମ୍ବା ଗଣତନ୍ତ୍ର ଦିବସରେ ତ୍ରିରଙ୍ଗା ଉଡାଇବାର ନିୟମ ରହିଥିଲା । କିନ୍ତୁ ବର୍ତ୍ତମାନ ଏଭଳି କୌଣସି ନିୟମ ନାହିଁ । ବର୍ତ୍ତମାନ ଆପଣ ଯେକୌଣସି ସମୟରେ ନିଜ ଦେଶର ଗର୍ବ ବଢ଼ାଇ ପାରିବେ । ତଥାପି ଏଥିପାଇଁ ଆପଣଙ୍କୁ କିଛି ନିୟମ ଅନୁସରଣ କରିବାକୁ ପଡିବ । ଏହି ନିୟମଗୁଡିକ ଭାରତୀୟ ପତାକା କୋଡରେ ଦିଆଯାଇଛି । ଏହି ଇଣ୍ଡିଆନ୍ ଫ୍ଲାଗ୍ କୋଡ୍ ୨୦୦୨ ର ପାର୍ଟ-୨ ପାରା ୨.୨ର ସେକ୍ସନ୍ (୧୧) ରେ କୁହାଯାଇଛି ଯେ, ଯଦି ଜଣେ ବ୍ୟକ୍ତି ତାଙ୍କ ଘରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରିବାକୁ ଚାହାଁନ୍ତି, ତେବେ ସେ ଦିନରାତି ଏହାକୁ ଉଡାଇ ପାରିବେ । କିନ୍ତୁ ପତାକା ଉତ୍ତୋଳନ କରିବାବେଳେ ଆପଣଙ୍କୁ ଧ୍ୟାନ ଦେବାକୁ ପଡିବ ଯେ, ପତାକା କୌଣସି ପ୍ରକାରେ ଛିଣ୍ଡି ନ ଯାଏ । ଯଦିଓ ଏହା ଭୁଲରେ ଛିଣ୍ଡିଯାଏ, ତେବେ ଏହାକୁ ଅସମ୍ମାନ କରାଯିବା ଉଚିତ୍ ନୁହେଁ ।

ଏହି ନିୟମରେ ଆଉ ଏକ କଥା ମଧ୍ୟ ଉଲ୍ଲେଖ କରାଯାଇଛି ଯେ, ଯେତେବେଳେ ବି ଘରେ ପତାକା ଉତ୍ତୋଳନ କରାଯାଏ, ଏହାକୁ ମନେ ରଖିବା ଉଚିତ ଯେ ପତାକାକୁ ଖୋଲା ସ୍ଥାନରେ ରଖିବା ଉଚିତ ଏବଂ ତ୍ରିରଙ୍ଗା ଉପରେ ଅନ୍ୟ କୌଣସି ପତାକା ରହିବ ନାହିଁ । ଆପଣ ଜାଣିଥିବେ ୧୫ ଅଗଷ୍ଟ ଏବଂ ୨୬ ଜାନୁଆରୀରେ ଅନେକ ଲୋକ ନିଜ ଗାଡିରେ ତ୍ରିରଙ୍ଗା ଲଗାଇ ବୁଲିଥାନ୍ତି । ଏହା ସଂପୂର୍ଣ୍ଣ ବେଆଇନ ଏବଂ ଏପରି କରିବା ପାଇଁ ଦଣ୍ଡ ଦିଆଯାଇପାରେ । ଯାନରେ କେବଳ ୨୨୫ଇଞ୍ଚ ୧୫୦ ମିଲିମିଟର ଆକାରର ପତାକା ବ୍ୟବହାର କରାଯିବ । ଜଣେ ସାଧାରଣ ଲୋକ ନିଜ କାରରେ ତ୍ରିରଙ୍ଗା ଲଗାଇ ପାରିବେ ନାହିଁ ।

କେବଳ କିଛି ସାମ୍ବିଧାନିକ ମାନ୍ୟଗଣ୍ୟ ବ୍ୟକ୍ତି ପତାକା ଉତ୍ତୋଳନ କରିବାର ବିଶେଷ ଅଧିକାର ପାଇଛନ୍ତି । ଏଥିରେ- ରାଷ୍ଟ୍ରପତି, ଉପ-ରାଷ୍ଟ୍ରପତି, ରାଜ୍ୟପାଳ, ଲେଫ୍ଟନାଣ୍ଟ-ରାଜ୍ୟପାଳ, ପ୍ରଧାନମନ୍ତ୍ରୀ, କ୍ୟାବିନେଟ୍ ମନ୍ତ୍ରୀ, ଲୋକସଭା ବାଚସ୍ପତି, ରାଜ୍ୟସଭା ବାଚସ୍ପତି, ରାଜ୍ୟ କିମ୍ବା କେନ୍ଦ୍ରର ମୁଖ୍ୟମନ୍ତ୍ରୀ, ଭାରତୀୟ ମିଶନର ମୁଖ୍ୟ, ବିଧାନସଭା ବାଚସ୍ପତି, ମୁଖ୍ୟ ଜଷ୍ଟିସ୍ ଅଫ୍ ଇଣ୍ଡିଆ ଏବଂ ହାଇକୋର୍ଟର ବିଚାରପତିମାନେ ସେମାନଙ୍କ ଗାଡିରେ ତ୍ରିରଙ୍ଗା ବ୍ୟବହାର କରିପାରିବେ ।

Get real time updates directly on you device, subscribe now.