fbpx

ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆସିଲା ନିର୍ଦ୍ଦେଶନାମା: ଏଣିକି ବର୍ଷକୁ ଦୁଇଥର ହେବ CBSE ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ: ଏଣିକି ବର୍ଷକୁ ଦୁଇଥର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ବୋର୍ଡ ପରୀକ୍ଷା କରାଯିବ । ସିବିଏସଇ ଏନେଇ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ବୋଳେ ଆସନ୍ତା ମାସରେ ସ୍କୁଲ ପ୍ରିନ୍ସିପାଲଙ୍କ ସହିତ ଏକ କାଉନସିଲ ମିଟିଂର ଆୟୋଜନ କରାଯିବ । ବର୍ଷକୁ ଦୁଇଥର ବୋର୍ଡ ପରୀକ୍ଷା ଆୟୋଜନ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶନାମା ଆସିଛି । ଆସନ୍ତା ୨୦୨୫-୨୬ ଶିକ୍ଷାବର୍ଷରେ ରାଷ୍ଟ୍ରୀୟ ଶିକ୍ଷା ନୀତି (ଏନଇପି) ୨୦୨୦ର ପ୍ରଭାବ ଦେଖିବାକୁ ମିଳିବ ବୋଲି ରିପୋର୍ଟରୁ ଜଣାପଡ଼ିଛି ।

ରିପୋର୍ଟ ମୁତାବକ, ଆସନ୍ତା ୨୦୨୫-୨୬ ଶିକ୍ଷାବର୍ଷ ଠାରୁ ବର୍ଷକୁ ଦୁଇଥର ବୋର୍ଡ ପରୀକ୍ଷା ଆୟୋଜନ କରିବା ନେଇ କାର୍ଯ୍ୟ କରିବାକୁ ସିବିଏସଇକୁ ଶିକ୍ଷା ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି । ତେଣୁ ଅଣ୍ଡର ଗ୍ରାଜୁଏଟ ଏଣ୍ଟ୍ରାନ୍ସ ଏଗଜାମର ଶିଡ୍ୟୁଲକୁ ପ୍ରଭାବିତ ନକରି ବର୍ଷକୁ ଦୁଇଥର ବୋର୍ଡ ପରୀକ୍ଷା ଆୟୋଜନ ପାଇଁ କିପରି ଶୈକ୍ଷିକ କ୍ୟାଲେଣ୍ଡର ପ୍ରସ୍ତୁତ କରାଯିବ ସେନେଇ ସିବିଏସଇ ବିଚାର କରୁଛି । ଆଚରଣ ସଂହିତା ହଟିବା ପରେ ଦୁଇଥର ବୋର୍ଡ ପରୀକ୍ଷା ଆୟୋଜନ କରିବା ଯୋଜନା ବିଷୟରେ ବିଭିନ୍ନ ସ୍କୁଲ ସହିତ ସିବିଏସଇ ଆଲୋଚନା କରିବ ।

ଛାତ୍ରଛାତ୍ରୀଙ୍କୁ ଅଧିକ ସୁଯୋଗ ଓ ସୁବିଧା ପ୍ରଦାନ ଲକ୍ଷ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଅନେକ ସମୟରେ ଗୋଟିଏ ବର୍ଷ ବର୍ବାଦ ହୋଇଗଲା ବୋଲି ଭାବି ଛାତ୍ରଛାତ୍ରୀମାନେ ଅବସାଦ ମଧ୍ୟରେ ରହିଥାନ୍ତି । ତେଣୁ ସେହି ଡରକୁ ସମାପ୍ତ କରିବା ସହିତ ଛାତ୍ରଛାତ୍ରୀଙ୍କୁ ଆଉ ଏକ ସୁଯୋଗ ଦେବା ଲକ୍ଷ୍ୟରେ ବର୍ଷକୁ ଦୁଇଥର ବୋର୍ଡ ପରୀକ୍ଷା ଆୟୋଜନର ବିକଳ୍ପ ଦିଆଯିବ । ଛାତ୍ରଛାତ୍ରୀଙ୍କୁ ବର୍ଷକୁ ଦୁଇଥର ବୋର୍ଡ ପରୀକ୍ଷା ଦେବାର ବିକଳ୍ପ ଦେବା ପାଇଁ ଗତ ବର୍ଷ ଅଗଷ୍ଟ ମାସରେ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ନୂଆ ନ୍ୟାସନାଲ କରିକୁଲମ ଫ୍ରେମୱାର୍କ ବା ରାଷ୍ଟ୍ରୀୟ ପାଠ୍ୟଚର୍ଚ୍ଚା ରୂପରେଖା (ଏନସିଏଫ)ରେ ଏନେଇ ପ୍ରସ୍ତାବ ଦିଆଯାଇଥିଲା ।

Get real time updates directly on you device, subscribe now.