କି ଯୁଗ ହେଲା! ପ୍ରେମ ପାଇଁ ମାଆ ନେଇଗଲା ଝିଅର ଜୀବନ

ବିହାରର ମୁଜାଫରପୁରରେ ପ୍ରେମିକକୁ ବିବାହ କରିବା ପାଇଁ 3ବର୍ଷର ଝିଅକୁ ହତ୍ୟା କଲା ମା

ନୂଆଦିଲ୍ଲୀ: ବିହାରର ମୁଜାଫରପୁରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ପ୍ରେମିକକୁ ବିବାହ କରିବା ପାଇଁ ଜଣେ ମା କରିଦେଲା “ମମତା”ର ହତ୍ୟା। ଝିଅକୁ ହତ୍ୟା କରି ଏକ ସୁଟକେସରେ ଭର୍ତ୍ତି କରି ବୁଦାମୂଳେ ଫିଙ୍ଗିଦେଲା ମାଆ।

ଆଜ୍ଞା ହଁ, ମୁଜାଫରପୁରରେ 3ବର୍ଷର ଝିଅ ମିଷ୍ଟିର ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ ଏବଂ ତାଙ୍କ ମାଆଙ୍କୁ ଗିରଫ କରିଛି। ପ୍ରେମିକଙ୍କୁ ବିବାହ କରିବା ପାଇଁ, ମିଷ୍ଟିର ମାଆ ନିଜ ଝିଅକୁ ହତ୍ୟା କରି ମୃତଦେହକୁ ଏକ ସୁଟକେସରେ ଭର୍ତ୍ତି କରି ବୁଦାମୂଳେ ଫିଙ୍ଗି ଦେଇଥିଲେ। ଏହି ଘଟଣା ଯେ କେହି ବି ଶୁଣିବ ତାର ମା ପ୍ରତି ଥିବା ଭଲପାଇବା ଉପରୁ ବିଶ୍ୱାସ ଉଠିଯିବ।

ଏହି ଚାଞ୍ଚଲ୍ୟକର ଘଟଣାଟି ମୁଜାଫରପୁର ଜିଲ୍ଲାର ମିଥାନପୁରା ଥାନା ଅନ୍ତର୍ଗତ ରାମବାଗ ଅଞ୍ଚଳର। ଶନିବାର ଏଠାରେ ଝିଅଟିର ମୃତଦେହ ଏକ ଲାଲ ସୁଟକେସରୁ ଉଦ୍ଧାର କରାଯାଇଥିଲା। ମିଥାନପୁରା ପୋଲିସ ଏବଂ FSL ଟିମ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଥିଲେ।

ମୃତ ଝିଅଟି ମିଥାନପୁରା ଥାନା ଅନ୍ତର୍ଗତ ରାମବାଗ ଅଞ୍ଚଳର ଜାନକୀ ବଲ୍ଲଭ ଶାସ୍ତ୍ରୀ ମାର୍ଗ ନିବାସୀ ମନୋଜ କୁମାରଙ୍କ ତିନି ବର୍ଷର ଝିଅ ମିଷ୍ଟି ଭାବରେ ଚିହ୍ନଟ ହୋଇଥିଲା।

ଯେତେବେଳେ ପୋଲିସ ମିଷ୍ଟିଙ୍କ ହତ୍ୟାର ଖୋଳତାଡ କରିଥିଲା, ସେତେବେଳେ ଜଣାପଡିଲା ଯେ ଝିଅର ହତ୍ୟା ପରଠାରୁ ତାଙ୍କ ମାଆ ଘରୁ ନିଖୋଜ ଥିଲେ। ଏହା ପରେ ପୋଲିସ ପ୍ରଥମେ ମିଷ୍ଟିଙ୍କ ନିଖୋଜ ମାଆଙ୍କୁ ଖୋଜିବା ଆରମ୍ଭ କଲା।

ପୋଲିସ ମୁଜାଫରପୁର ଜିଲ୍ଲାର ରାମପୁର ହରି ଥାନା ଅଞ୍ଚଳରେ ମିଷ୍ଟିଙ୍କ ମାଆଙ୍କ ମୋବାଇଲ୍ ଲୋକେସନ୍ ପାଇଥିଲା, ଯେଉଁଠାରୁ ପୋଲିସ ତାଙ୍କୁ ଗିରଫ କରିଥିଲା।

ପୋଲିସର ପଚରାଉଚରା ପରେ ମିଷ୍ଟିଙ୍କ ମାଆ କହିଥିଲେ ଯେ, ସେ ନିୟମିତ ଭାବରେ ଟିଭିରେ ଦେଉଥିବା କ୍ରାଇମ୍ ଫାଇଲ୍ସ ଧାରାବାହିକ ଦେଖୁଥିଲେ ଏବଂ ସେଥିରୁ ଝିଅକୁ କିପରି ମାରି ପ୍ରେମିକକୁ ବିବାହ କରିବେ ତାହାର ଉପାୟ ପାଇଥିଲେ।

ତିନି ବର୍ଷର ଝିଅକୁ ରୋଷେଇ ଘରେ ଥିବା ଛୁରୀରେ ହତ୍ୟା କରି ମୃତଦେହକୁ ତାଙ୍କ ନିଜ ଘରେ ରଖାଯାଇଥିବା ଏକ ସୁଟକେସରେ ପୁରେଇ ଘର ଛାତ ଉପରୁ ଜଙ୍ଗଲକୁ ଫିଙ୍ଗି ଦେଇ ଘରୁ ପଳାଇ ଯାଇଥିଲେ।