ଭୁବନେଶ୍ୱର,୧୦ା୩: ବରିଷ୍ଠ ନେତା ବିଜୟ ମହାପାତ୍ର ବିଜୁବାବୁଙ୍କୁ ନେଇ ଏକ ଚାଞ୍ଚଲ୍ୟକର କଥା କହିଛନ୍ତି । ବିଶେଷକରି ବିଜୁବାବୁଙ୍କ ଅସ୍ଥିକୁ ନେଇ ବିଜୟ କିଛି ବିସ୍ମୟକର କଥା କହିଛନ୍ତି । ଯାହା କେବେ ବି ଶୁଣି ନ ଥିବେ ।
ବିଜୟ କହିଛନ୍ତି, ବିଜୁବାବୁଙ୍କ ଅସ୍ଥି ଆମ ଘରେ ୩/୪ ବର୍ଷ ରହିଥିଲା । ଥରେ ଏମିତି ଉତପାତ କଲା ଯେ ଆମେ ଭୟଭୀତ ହୋଇପଡ଼ିଥିଲୁ । କିଛି ନ ଥିବ କବାଟ-ଝରକା ଜୋରରେ ଖାଲି ବାଡ଼େଇ ହେବ । ଦୁଆରେ ପବନ ବହିବ । ଏହା ପରେ ପଣ୍ଡିତଙ୍କ ସହ କଥା ହୋଇ ଅସ୍ଥି ବିସର୍ଜନ ପାଇଁ ନିଷ୍ପତ୍ତି ନେଇଥିଲି । ପ୍ରୟାଗରାଜ ଯାଇଥିଲି । ନବୀନ ଯାଇ ନ ଥିଲେ । ପ୍ରୟାଗରାଜରେ ଏକ ଅଦ୍ଭୁତ ଘଟଣା ଘଟିଥିଲା । ତମ୍ବା ପାତ୍ରଟି ବୁଡ଼ିବା ପାଇଁ ଅଧଘଣ୍ଟା ସମୟ ଲାଗିଥିଲା । ଏହା ମୋ ପାଇଁ ସ୍ମରଣୀୟ ଅନୁଭୂତି ହୋଇ ରହିଛି ବୋଲି ବିଜୟ କହିଛନ୍ତି ।
ଅନ୍ୟପକ୍ଷରେ ବିଜୁବାବୁଙ୍କୁ ନେଇ ନବୀନ ପଟ୍ଟନାୟକଙ୍କ ପୋଲ୍ ଖୋଲି ଦେଇଛନ୍ତି ଭାଜପା ବିଧାୟକ ବାବୁ ସିଂ । ସେ କହିଛନ୍ତି, ବିଜୁବାବୁଙ୍କ ଦେହାନ୍ତ ସମୟରେ ହସ୍ପିଟାଲ ଯାଇ ନ ଥିଲେ ନବୀନ ପଟ୍ଟନାୟକ । ସେତେବେଳେ ଦିଲ୍ଲୀପ ରାୟ ଟଙ୍କା ପୈଠ କରିବାରୁ ବିଜୁବାବୁଙ୍କ ମୃତଦେହ ହସ୍ପିଟାଲରୁ ବାହାରିଥିଲା । ଖାଲି ଏତିକି ନୁହେଁ, ବିଜୁବାବୁଙ୍କ ଅସ୍ଥି ମଧ୍ୟ ନେଇ ନ ଥିଲେ ନବୀନ । ବିଜୁଙ୍କ ଘନିଷ୍ଠ ସହଯୋଗୀ ବିଜୟ ମହାପାତ୍ର ଏହି ଅସ୍ଥିକୁ ନେଇ ନିଜ ଘରେ ରଖିଥିଲେ । ବାବୁ ସିଂ ଏହା କହିବା ପରେ ରାଜ୍ୟ ରାଜନୀତି ଖୁବ୍ ସରଗରମ ହୋଇଉଠିଛି ।