‘ପାକିସ୍ତାନରେ ଆତଙ୍କବାଦ ବୃଦ୍ଧି ପାଇଁ ଆମେରିକା ଦାୟୀ’, ଟ୍ରମ୍ପଙ୍କୁ ଦୋଷ ଦେଲେ ବିଲାୱଲ ଭୁଟ୍ଟୋ

ଅପରେସନ ସିନ୍ଦୂର ପରେ ଆମେରିକାରେ ପହଞ୍ଚିଛନ୍ତି ପାକିସ୍ତାନୀ ପିପୁଲ୍ସ ପାର୍ଟି ନେତା ବିଲାୱାଲ ଭୁଟ୍ଟୋ । କିନ୍ତୁ ସେଠାରେ ସେ ତାଙ୍କ ଦେଶରେ ଆତଙ୍କବାଦ ପାଇଁ ଆମେରିକାକୁ ଟାର୍ଗେଟ କରିଛନ୍ତି ।

ଇସଲାମାବାଦ: ଭାରତକୁ ନକଲ କରୁଛି ପାକିସ୍ତାନ । ଅପରେସନ ସିନ୍ଦୁର ଜରିଆରେ ବିଶ୍ୱ ଦରବାରରେ ଭାରତ ନିଜର ପକ୍ଷ ରଖୁଛି । ବିଶ୍ୱ ଆଗରେ ପାକିସ୍ତାନର ଅସଲ ଚେହେରାକୁ ସର୍ବସମ୍ମୁଖରେ ଅଣାଯାଉଛି । ଠିକ୍ ସେହିପରି ଅପରେସନ ସିନ୍ଦୂର ପରେ ଆମେରିକାରେ ପହଞ୍ଚିଛନ୍ତି ପାକିସ୍ତାନୀ ପିପୁଲ୍ସ ପାର୍ଟି ନେତା ବିଲାୱାଲ ଭୁଟ୍ଟୋ । କିନ୍ତୁ ସେଠାରେ ସେ ତାଙ୍କ ଦେଶରେ ଆତଙ୍କବାଦ ପାଇଁ ଆମେରିକାକୁ ଟାର୍ଗେଟ କରିଛନ୍ତି ।

ସେ କହିଛନ୍ତି ଯେ ପାକିସ୍ତାନରେ ବଢ଼ୁଥିବା ଆତଙ୍କବାଦୀ ଘଟଣା ପାଇଁ ଆମେରିକାର ନୀତି ଦାୟୀ। ତାଙ୍କ ବିବୃତ୍ତିରେ, ସେ 2020 ମସିହାରେ ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ନିଆଯାଇଥିବା ଆଫଗାନିସ୍ତାନ ସମ୍ପର୍କରେ ଆମେରିକାର ନିଷ୍ପତ୍ତିକୁ ଇଙ୍ଗିତ କରିଛନ୍ତି ।

ଆମେରିକାକୁ ସିଧା ଟାର୍ଗେଟ :

ବିଲାୱାଲ ଭୁଟ୍ଟୋ କହିଛନ୍ତି ଯେ, ଆମେରିକା ବହୁତ ଶୀଘ୍ର ଆଫଗାନିସ୍ତାନ ଛାଡି ଦେଇଥିଲା। ଆମେରିକା ଯେପରି ତରବରିଆ ଭାବେ ଆଫଗାନିସ୍ତାନ ଛାଡିଛି, ସେହି ସମୟରେ ଆଫଗାନିସ୍ତାନରେ ଅନେକ ସମ୍ବେଦନଶୀଳ ଅସ୍ତ୍ର ଛାଡି ଦିଆଯାଇଛି। ଆଉ ସେହି ଅସ୍ତ୍ରଗୁଡ଼ିକ ଏବେ ଆତଙ୍କବାଦୀ ଗୋଷ୍ଠୀଙ୍କ ହାତରେ ଲାଗିଛି । ଆତଙ୍କବାଦୀମାନେ ଏହି ଅସ୍ତ୍ର ପାଇ ପାକିସ୍ତାନ ବିରୋଧରେ ବ୍ୟବହାର କରୁଛନ୍ତି । ଯେଉଁଥିପାଇଁ ବହୁ ପରିମାଣରେ କ୍ଷତି ସହୁଛି ପାକିସ୍ତାନ ।

ପାକ୍ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବ କି?

ସେପଟେ ବିଲାୱାଲ ଭୁଟ୍ଟୋଙ୍କ ଏହି ବୟାନ ପୁଣି ଥରେ ଆମେରିକା ଓ ପାକିସ୍ତାନ ମଧ୍ୟରେ କୂଟନୈତିକ ଉତ୍ତେଜନା ବୃଦ୍ଧି କରାଇବ ବୋଲି ଆଶା କରାଯାଉଛି । ବିଲାୱଲ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଆମେରିକା ଓ ସେହି ଅଞ୍ଚଳରଭୂରାଜନୈତିକ ପରିସ୍ଥିତି ପାକିସ୍ତାନର ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ଏକ ଚ୍ୟାଲେଞ୍ଜ ପାଲଟିଛି।

ଗୋଟିଏ ପଟେ, ଯେତେବେଳେ ପାକିସ୍ତାନ ଅପରେସନ ସିନ୍ଦୁର ସମୟରେ ଆମେରିକାର ହସ୍ତକ୍ଷେପର ବଡ଼ ଦାବି କରୁଥିଲା, ଏବେ ଆମେରିକାର ନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି ଭୁଟ୍ଟୋ ।