fbpx

ବିଲ୍ ଓ ମେଲିଣ୍ଡାଙ୍କ ବିଚ୍ଛେଦର କାରଣ ଦେହ ବ୍ୟବସାୟୀ ଏପଷ୍ଟିନ୍

ନ୍ୟୁୟର୍କ, ୧୧ା୫: ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ତଥା ବିଶ୍ୱର ଅନ୍ୟତମ ଧନୀ ବ୍ୟକ୍ତି ବିଲ୍ ଗେଟସ୍ ଓ ତାଙ୍କ ପତ୍ନୀ ମେଲିଣ୍ଡାଙ୍କ ଛାଡ଼ପତ୍ର ପ୍ରସଙ୍ଗ ଏବେ ଭିନ୍ନ ମୋଡ଼ ନେଇଛି । ଦୀର୍ଘ ୨୭ ବର୍ଷ ପରେ ବୈବାହିକ ସମ୍ପର୍କ ତୁଟିବା ନେଇ ପୂର୍ବରୁ ବିଲଙ୍କ ପୁରୁଣା ବାନ୍ଧବୀ ଆନ୍ନ ୱିନବ୍ଲାଡଙ୍କୁ ଦାୟୀ କରାଯାଉଥିଲା । ବିଲ ଓ ଆନ୍ନଙ୍କ ମଧ୍ୟରେ ପୂର୍ବରୁ ସମ୍ପର୍କ ଥିଲେ ହେଁ ମେଲିଣ୍ଡାଙ୍କ ସମ୍ମତି ପରେ ବିଲ୍ ଓ ମେଲିଣ୍ଡା ବିବାହ କରିଥିଲେ । ମାତ୍ର ବିବାହ ପରେ ବିଲ ଓ ଆନ୍ନାଙ୍କ ଘନିଷ୍ଠତା ମେଲିଣ୍ଡାଙ୍କୁ ଭଲ ଲାଗିନଥିଲା । ତେଣୁ ବିଲ୍ ଓ ମେଲିଣ୍ଡାଙ୍କ ମଧ୍ୟରେ ଛାଡ଼ପତ୍ରର ସୂତ୍ରପାତ ହୋଇଥିଲା ବୋଲି କୁହାଯାଉଥିଲା । ମାତ୍ର ଏବେ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, କୁଖ୍ୟାତ ଦେହ ବ୍ୟବସାୟୀ ଜେଫ୍ରେ ଏପଷ୍ଟିନଙ୍କ ସହ ବିଲଙ୍କ ଘନିଷ୍ଠତାକୁ ନେଇ ଗେଟସ୍ ଫ୍ୟାମିଲିରେ ବିବାଦ ଉପୁଜିଥିଲା । ଏଥିରେ ଅତିଷ୍ଠ ହୋଇ ମେଲିଣ୍ଡା ଗତ ୨୦୧୯ ମସିହା ଅକ୍ଟୋବର ମାସରୁ ଏନେଇ ଆଇନଜୀବୀଙ୍କ ସହ ଯୋଗାଯୋଗ କରୁଥିଲେ । ବିଲ ଗେଟସ୍ ଓ ମେଲିଣ୍ଡା ଗେଟସ ଫାଉଣ୍ଡେସନର ଅନେକ ଷ୍ଟାଫ ଏପଷ୍ଟିନଙ୍କ ସହ ସମ୍ପର୍କରେ ଅଛନ୍ତି ବୋଲି ମେଲିଣ୍ଡା ନିଜ ଓକିଲଙ୍କୁ ଅବଗତ କରିଥିଲେ । ସେହି ସମୟରୁ ହିଁ ବିଲଙ୍କ ସହିତ ମେଲିଣ୍ଡାଙ୍କ ସମ୍ପର୍କ ସମାପ୍ତ ହୋଇଯାଇଥିଲା ବୋଲି ମେଲିଣ୍ଡା ପ୍ରକାଶ କରିଥିଲେ ।

୨୦୧୩ ମସିହାରେ ବିଲ୍ ଓ ଏପଷ୍ଟିନ୍ ଏକ ବିମାନ ଯାତ୍ରା ସମୟରେ ପରସ୍ପର ସହ ଦେଖା ହୋଇଥିଲେ । ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ବ୍ୟବସାୟିକ ସମ୍ପର୍କ ନେଇ ଅନେକ ଖବର ପ୍ରକାଶ ପାଇଥିଲେ ମଧ୍ୟ ବିଲ୍ ଏହାକୁ ଖଣ୍ଡନ କରିଥିଲେ । ମାତ୍ର ଏହି କଥାକୁ ମେଲିଣ୍ଡା ବିଶ୍ୱାସ କରିନଥିଲେ । ଏପଷ୍ଟିନ୍ ୨୦୦୮ ମସିହାରେ ଏକ ଦେହ ବ୍ୟବସାୟ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୧୮ ମାସ ପାଇଁ ଜେଲଦଣ୍ଡ ଭୋଗିଥିଲେ । ଏପଷ୍ଟିନ ଆମେରିକାର ଜଣେ ବଡ଼ ବିଜିନେସ ମ୍ୟାନ ହୋଇଥିଲେ ହେଁ ନାବାଳିକାଙ୍କୁ ନେଇ ଯୌନ ବ୍ୟବସାୟ କରୁଥିଲେ । ତାଙ୍କର ଏକ ହାଇପ୍ରୋଫାଇଲ ସୋସିଆଲ ସର୍କଲ ରହିବା ସହ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରି ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ସହ ମିଳାମିଶା କରୁଥିଲେ । ୧୯୬୦ ମସିହାରେ ସେ ନ୍ୟୁୟର୍କରେ ଜଣେ ଗଣିତ ଶିକ୍ଷକ ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ୨୦୧୯ ମସିହା ଅଗଷ୍ଟ ମାସରେ ତାଙ୍କର ମୃତ୍ୟୁ ଘଟିଥିଲା । ସେ କାରାଗାର ମଧ୍ୟରେ ଆତ୍ମହତ୍ୟା କରିଥିଲେ ବୋଲି କୁହାଯାଇଥିଲା । ତେବେ ଅନେକ ଏପଷ୍ଟିନ ଆତ୍ମହତ୍ୟା କରିନାହାନ୍ତି ବୋଲି ମଧ୍ୟ ମତ ଦେଇଥିଲେ ।

Get real time updates directly on you device, subscribe now.