fbpx

ଅନଲାଇନ୍ ଟିକାକରଣ ନାଁରେ ମାତିଛନ୍ତି ସାଇବର୍ ଲୁଟେରା, ଫୋନକୁ ଆସୁଛି ଫେକ୍ ଲିଙ୍କ୍

ଭୁବନେଶ୍ୱର, ୧୧/୦୫ (ଓଡିଶା ଭାସ୍କର) : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଟିକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି । ଟିକାକରଣ କେନ୍ଦ୍ରରେ ଭିଡ ଜମୁଥିବାରୁ ଅନଲାଇନରେ ସ୍ଲଟ୍ ବୁକିଂ କରିବାକୁ ପଡୁଛି । ହେଲେ ଏହାର ଫାଇଦା ଉଠାଉଛନ୍ତି କିଛି ସାଇବର୍ ଅପରାଧି । ଲୋକମାନଙ୍କୁ ଫେକ୍ ଲିଙ୍କ୍ ପଠାଇ ସେମାନଙ୍କ ଠାରୁ ଟଙ୍କା ଲୁଟୁଛନ୍ତି । ରାଜ୍ୟ ସମେତ ରାଜ୍ୟ ବାହାରର କିଛି ଲୋକ ଏହି ଠକେଇର ଶିକାର ହେଉଛନ୍ତି । ତେବେ ଓଡିଶାରେ ଏହାର ଏକ ମାମଲା ଏବେ ସାମନାକୁ ଆସିଛି । ରାୟଗଡା ଗୁଣୁପୁରର ଥାନାରେ କାର୍ଯ୍ୟରତ ଥିବା ଜଣେ ଇନ୍ସପେକ୍ଟର୍ ଙ୍କ ପାଖକୁ ଏହି ଟିକାକରଣର ଫେକ୍ ଲିଙ୍କ୍ ଆସିଛି ।

ସୂଚନା ଅନୁସାରେ, ଗୁଣୁପୁର ଥାନାରେ ଇନ୍ସପେକ୍ଟର୍ ଥିବା ସୁଶାନ୍ତ ବେହେରା ନିଜ ପରିବାରର ଟିକାକରଣ କରିବାକୁ ସ୍ଲଟ୍ ବୁକ୍ କରିବା ପାଇଁ ଅନଲାଇନ୍ ରେ ପଞ୍ଜୀକରଣ କରିଥିଲେ । ଏହାପରେ ତାଙ୍କ ପାଖକୁ ଏକ ଲିଙ୍କ୍ ଆସିଥିଲା । ତା ପୁଣି ଏକ ଅଜଣା ଲୋକର ନମ୍ବରରୁ । ସେହି ମେସେଜ୍ କୁ ଦେଖି ସୁଶାନ୍ତଙ୍କର ସନ୍ଦେହ ପ୍ରକାଶ ହୋଇଥିଲା । କାରଣ ଉକ୍ତ ମେସେଜ୍ ରେ ଥିବା କିଛି ଲେଖାର ବନାନ ଭୁଲ୍ ଥିଲା । ତେଣୁ ସେ ସାଇବର୍ ବିଶେଷଜ୍ଞଙ୍କ ସହ ଯୋଗାଯୋଗ କରିଥିଲେ । ଆଉ ତାଙ୍କ ସହାୟତାରେ ଜଣାପଡିଥିଲା ଯେ, ଏହା ହ୍ୟାକ୍ କରିବା ପାଇଁ ପଠାଯାଇଥିଲା ଏବଂ ଫେକ୍ ଲିଙ୍କ୍ ଥିଲା ।

ତେବେ ଯେଉଁ ନମ୍ବରରୁ ମେସେଜ୍ ଆସିଥିଲା ସେହି ନମ୍ବରକୁ କଲ୍ କରିବା ପରେ ଆଉ ଏକ ଖବର ଉପରୁ ପରଦା ହଟିଥିଲା । ସାଇବର୍ ଠକ ଏହି ଲିଙ୍କ୍ ପଠାଇବା ପାଇଁ ବିଷମ କଟକ ଅଞ୍ଚଳର ଜଣେ ଯୁବକଙ୍କ ମୋବାଇଲ୍କୁ ହ୍ୟାକ୍ କରିଥିବା ଜଣାପଡ଼ିଛି । ତାଙ୍କ ମୋବାଇଲ୍ ହ୍ୟାକ୍ ହୋଇଥିବା ଜାଣି ମଧ୍ୟ ସେ କିଛି କରିପାରୁ ନଥିବା କହିଛନ୍ତି ।

ଟିକାକରଣ ଆପ୍ ବ୍ୟତୀତ ପୂର୍ବରୁ ଅକ୍ସିଜେନ୍ ମିଟର୍ ଆପ୍ ଜରିଆରେ ମଧ୍ୟ ସାଇବର୍ ଠକ ମାତିଥିବା ଜଣାପଡିଥିଲା । ଅକ୍ସିମିଟର୍ କୁ ଶରୀରର ଅମ୍ଳଜାନ ମାପିବା ପାଇଁ ନାଁରେ ଠକେଇ ହେଉଥିଲା । ସେହିପରି ଅଧିକାଂଶ କରୋନା ଆକ୍ରାନ୍ତ ହୋମ୍ ଆଇସୋଲେସନରେ ରହୁଥିବାରୁ ଅନଲାଇନ୍ ରେ ଅକ୍ସିଜେନ୍ ସିଲିଣ୍ଡର ଅର୍ଡର କରୁଛନ୍ତି । ଏହି ସେବା ଯୋଗାଇବା ପାଇଁ ଅନେକ ଗୁଡିଏ ସଂସ୍ଥା କାମ କରୁଥିବା ବେଳେ ଏହାର ସୁଯୋଗରେ ସାଇବର୍ ଠକ ମାନେ ଲୋକଙ୍କୁ ଲୁଟୁଛନ୍ତି ।

Get real time updates directly on you device, subscribe now.