fbpx

କରୋନା ସଂକ୍ରମିତ ବୋଲି ପ୍ରମାଣ ନାହିଁ, ତଥାପି ମୃତ୍ୟୁ ପରେ ମିଳିଲାନି ଚାରିକାନ୍ଧ

ଗୁଣୁପୁର, ୧୧ା୫ (ଓଡିଶା ଭାସ୍କର): କରୋନା ପାଇଁ ଆଜି ନିଜ ଲୋକ ପର ହୋଇଯାଉଛନ୍ତି । ସଂକ୍ରମଣ ଭୟରେ ରକ୍ତ ରକ୍ତଠାରୁ ଦୂରେଇ ଯାଉଛି । ଏଭଳି ଉଦାହରଣ ଦେଖିବାକୁ ମିଳିଛି ଗୁଣୁପୁର ଅଞ୍ଚଳରେ । ପଦ୍ମଚରଣ ତୁଳ (୫୭) ନାମକ ଜଣେ ଶିକ୍ଷକଙ୍କ ମୃତ୍ୟୁ ପରେ ତାଙ୍କୁ ଚାରି କାନ୍ଧ ଦେବାକୁ କେହି ଆସିନଥିଲେ । ଶେଷରେ ଆମ୍ବୁଲାନ୍ସ ଡ୍ରାଇଭର ମାନବିକତାର ପରିଚୟ ଦେଇ ପଦ୍ମଚରଣଙ୍କ ଶବଦାହରେ ସହଯୋଗ କରିଥିଲେ ।

ଶ୍ୱାସଜନିତ ସମସ୍ୟା ଥିବାରୁ ପଦ୍ମଚରଣ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ତାଙ୍କର ମୃତ୍ୟୁ କରୋନା କିମ୍ବା ହୃଦଘାତରେ ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା । ପଦ୍ମଚରଣଙ୍କ ଶବକୁ ଗାଁ ମଧ୍ୟକୁ ପଶିବାକୁ ବାରଣ କରାଯାଇଥିଲା । ଫଳରେ ବହୁ ସମୟ ଧରି ଡାକ୍ତରଖାନାରେ ତାଙ୍କର ଶବ ପଡ଼ି ରହିବା ପରେ ଶେଷରେ ଆମ୍ବୁଲାନ୍ସ ଡ୍ରାଇଭର ନିଜ ସହଯୋଗୀଙ୍କୁ ଡାକିଥିଲେ । ଉଭୟ ପିପିଇ କିଟ ପିନ୍ଧି ଶବକୁ ପଦ୍ମପୁର ମଶାଣିକୁ ନେଇଥିଲେ । ମାତ୍ର ସେଠାକୁ କୌଣସି ସମ୍ପର୍କୀୟ ନ ଆସିବାରୁ ପଦ୍ମଚରଣଙ୍କ ସ୍ତ୍ରୀ, ପୁଅ, ଡ୍ରାଇଭର ଓ ସହଯୋଗୀ ୪ ଜଣ ମିଶି ମିଶି ଶବଦାହ କରିଥିଲେ । କରୋନା ସଂକ୍ରମିତ ବୋଲି ପ୍ରମାଣ ନଥାଇ ବି ଜଣେ ଶିକ୍ଷକଙ୍କ ଶବକୁ ଚାରିକାନ୍ଧ ନ ମିଳିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Get real time updates directly on you device, subscribe now.