fbpx

ସଂସଦରେ ପାସ ହେଲା ନୂଆ ବିଲ୍: ଏଣିକି ବାର୍ଥ ସାର୍ଟିଫିକେଟକୁ ସିଙ୍ଗଲ ଡକ୍ୟୁମେଣ୍ଟ ଭାବେ ବ୍ୟବହାର କରିହେବ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ୫୦ ବର୍ଷର ପୁରୁଣା ଆଇନରେ ସଂଶୋଧନ କରିଛନ୍ତି । ଏଥିପାଇଁ ଲୋକସଭାରେ ଏକ ବିଲ୍ ଆଗତ ହୋଇଯାଇଛି । କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ‘ରେଜିଷ୍ଟ୍ରେସନ ଅଫ୍ ବାର୍ଥ ଆଣ୍ଡ ଡେଥ (ସଂଶୋଧନ) ବିଲ ୨୦୨୩’ ଆଗତ କରିଛନ୍ତି । ଏହି ବିଲ ଫଳରେ ଅନେକ ନିୟମ ବଦଳଯିବା ସହିତ ଜନସାଧାରଣଙ୍କୁ ଅନେକ ଫାଇଦା ମିଳିବ । ଏହି ବିଲ୍ ଆଇନରେ ପରିଣତ ହେବା ପରେ ବାର୍ଥ ସାର୍ଟିଫିକେଟକୁ ସିଙ୍ଗଲ ଡକ୍ୟୁମେଣ୍ଟ ଭାବେ ବ୍ୟବହାର କରାଯାଇ ପାରିବ ।

୧୯୬୯ର ରେଜିଷ୍ଟ୍ରେସନ ଅଫ୍ ବାର୍ଥ ଆଣ୍ଡ ଡେଥ ଆଇନକୁ ଏହା ସଂଶୋଧନ କରିବ । ପ୍ରସ୍ତାବିତ ବିଲରେ ଜନ୍ମ ଓ ମୃତ୍ୟୁର ଡିଜିଟାଲ ରେଜିଷ୍ଟ୍ରେସନର ବ୍ୟବସ୍ଥା ରହିଛି । ଏଥିସହିତ ବିଲରେ ରାଷ୍ଟ୍ରୀୟ ଓ ରାଜ୍ୟ ସ୍ତରରେ ଜନ୍ମ ଓ ମୃତ୍ୟୁର ଡାଟାବେସ ପ୍ରସ୍ତୁତ କରିବା ନେଇ ନିୟମ ରହିବା ସହିତ ଡାଟାବେସକୁ ଅପଡେଟ୍ କରାଇବାରେ ଏାହା ସହାୟତା ପ୍ରଦାନ କରିବ । ତେବେ ଏହାଦ୍ୱାରା ବ୍ୟକ୍ତିଗତ ଅଧିକାରର ଉଲ୍ଲଂଘନ ହେବା ଆଶଙ୍କା କରି କଂଗ୍ରେସ ସାଂସଦ ମନିଷ ତିୱାରୀ ଏହି ବିଲକୁ ବିରୋଧ କରିଥିଲେ ।

ବିଲ ଆଇନରେ ପରିଣତ ହେବା ପରେ ଶିକ୍ଷାନୁଷ୍ଠାନରେ ପ୍ରବେଶ, ଡ୍ରାଇଭିଂ ଲାଇସେନ୍ସ ତିଆରି କରିବା, ଭୋଟର ଲିଷ୍ଟ ପ୍ରସ୍ତୁତ କରିବା, କେନ୍ଦ୍ର / ରାଜ୍ୟ ସରକାରଙ୍କ ଅଧିନରେ ନିଯୁକ୍ତି ପାଇଁ ବାର୍ଥ ସାର୍ଟିଫିକେଟକୁ ସିଙ୍ଗଲ ଡକ୍ୟୁମେଣ୍ଟ ଭାବେ ବ୍ୟବହାର କରିହେବ । ଏଥିରେ ଇଲେକ୍ଟୋରାଲ ରୋଲ, ପପୁଲେସନ ରେଜିଷ୍ଟର ଓ ରାଶନ କାର୍ଡ ପରି ଅନେକ ଡାଟାବେସକୁ ସାମିଲ କରାଯିବ । ହସ୍ପିଟାଲରେ କାହାର ମୃତ୍ୟୁ ହେବା ପରେ ସେଠାରେ ମୃତ୍ୟୁ ସାର୍ଟିଫିକେଟ ଜାରି କରାଯିବ । ସେହିପରି ଯଦି ବାହାରେ କାହାର ମୃତ୍ୟୁ ହୁଏ ତେବେ ତାଙ୍କୁ ଦେଖାଶୁଣା କରୁଥିବା ଡାକ୍ତର ବା ମେଡିକାଲ ପ୍ରାକ୍ଟିସନର ସାର୍ଟିଫିକେଟ ଦେବେ ।

ଯଦି ହସ୍ପିଟାଲରେ କୌଣସି ଶିଶୁର ଜନ୍ମହୁଏ, ତେବେ ମେଡିକାଲ ଅଫିସର ଜନ୍ମ ତଥ୍ୟ ପ୍ରଦାନ କରିବେ । ସେହିପରି ଜେଲରେ ଜନ୍ମ ହେଲେ ଜେଲର, ହୋଟେଲରେ ଜନ୍ମ ହେଲେ ତା’ର ମାଲିକ ଏହାର ସୂଚନା ଦେବେ । ଜନ୍ମ ଓ ମୃତ୍ୟୁର ତଥ୍ୟ ଦେଉଥିବା ବ୍ୟକ୍ତିଙ୍କୁ ନିଜର ଆଧାର ନମ୍ବର ଦେବାକୁ ପଡ଼ିବ । ଜଣଙ୍କୁ ୧୮ ବର୍ଷ ହେବା ପରେ ତାଙ୍କର ନାମ ଆପେଆପେ ଭୋଟର ଲିଷ୍ଟରେ ଯୋଡ଼ି ହୋଇଯିବ । ଏପରି ଭାବେ ଜଣଙ୍କର ମୃତ୍ୟୁ ହେବା ପରେ ତା’ର ମୃତ୍ୟୁ ନିର୍ବାଚନ ଆୟୋଗଙ୍କ ନିକଟରେ ପହଞ୍ଚିଯିବ, ଏହାପରେ ଉକ୍ତ ବ୍ୟକ୍ତିଙ୍କ ନାମ ଭୋଟର ଲିଷ୍ଟରୁ ହଟାଇବା ପ୍ରକ୍ରିୟା ଆରମ୍ଭ କରାଯିବ । ବାର୍ଥ ଓ ଡେଥ୍ ରେଜିଷ୍ଟ୍ରେସନ ହେବା ପରେ ଡ୍ରାଇଭିଂ ଲାଇସେନ୍ସ, ପାସପୋର୍ଟ, ପ୍ରପର୍ଟି ରେଜିଷ୍ଟ୍ରେସନ କରିବା ଭଳି କାର୍ଯ୍ୟ ଏଣିକି ସହଜ ହୋଇଯିବ ।

Get real time updates directly on you device, subscribe now.