fbpx

ବିଜେଡି ନେତାଙ୍କ ମୃତ୍ୟୁ: ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମୃତଦେହ ଉଦ୍ଧାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ବିଜୁ ଜନତା ଦଳ (ବିଜେଡି)ର ଜଣେ ନେତାଙ୍କର ମୃତ୍ୟୁ ଘଟିଛି । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଖମାରିଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବିଜେଡି ନେତା ଆଉ ନାହାନ୍ତି । ଏହି ଦୁଃଖଦ ଘଟଣାକୁ ନେଇ ରାଜନୈତିକ ମହଲରେ ଶୋକର ଲହରୀ ଖେଳିଯାଇଛି ।

ସୂଚନା ମୁତାବକ, ଗତ ୨୦ ତାରିଖ ସନ୍ଧ୍ୟା ସମୟରେ ପୂର୍ବତନ ସରପଞ୍ଚ ତଥା ବିଜେଡି ନେତା ଲଳିତ ମୋହନ ମହାପାତ୍ରଙ୍କ ମୃତଦେହ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଲଳିତ ବ୍ରହ୍ମପୁରରୁ ନିଜ କାମ ସାରି ବାଇକ୍ ଯୋଗେ ନିଜ ଗାଁକୁ ଫେରୁଥିଲେ । ତେବେ ତାଙ୍କର ରକ୍ତାକ୍ତ ମୃତଦେହ ଗାଁ ନିକଟ ଶଙ୍କରଖୋଳି ଛକଠାରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏହାପରେ ତାଙ୍କୁ ସଙ୍ଗେସଙ୍ଗେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଡାକ୍ତର ଲଳିତଙ୍କୁ ମୃତ ଘୋଷଣା କରିଥିଲେ ।

ପରବର୍ତ୍ତୀ ସମୟରେ ପୋଲିସ ମେଡିକାଲରେ ପହଞ୍ଚିବା ସହିତ ଲଳିତଙ୍କ ମୃତ୍ୟୁକୁ ନେଇ ତଦନ୍ତ ଆରମ୍ଭ କରିଦେଇଛି । ପୋଷ୍ଟ ମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ୍ କାରଣ ସାମ୍ନାକୁ ଆସିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ କୌଣସି ଅଜଣା ଗାଡ଼ି ଧକ୍କାରେ ଲଳିତଙ୍କର ମୃତ୍ୟୁ ଘଟିଥିବା ନେଇ ସନ୍ଦେହ କରାଯାଉଛି । ରାଜନୈତିକ ଶତ୍ରୁତାକୁ ନେଇ ମଧ୍ୟ ଅନେକ ସମୟରେ ରାଜନେତାଙ୍କ ଉପରେ ଆକ୍ରମଣ କରାଯାଇଥାଏ । ପୂର୍ବରୁ ଏଭଳି ବହୁ ଘଟଣା ଦେଖିବାକୁ ମିଳିଛି । ଲଳିତଙ୍କୁ ହରାଇ ତାଙ୍କର ପରିବାରବର୍ଗ, ବନ୍ଧୁ ପରିଜନ, ଶୁଭେଚ୍ଛୁମାନେ ଭାଙ୍ଗି ପଡ଼ିଛନ୍ତି ।

Get real time updates directly on you device, subscribe now.