fbpx

୨୦୨୪ ନିର୍ବାଚନ ପାଇଁ ବିଜେଡିର ସଜବାଜ

Advertisement

ଜଗତସିଂହପୁର: ଜଗତସିଂହପୁର ବିଧାନସଭା କ୍ଷେତ୍ରର ନାଉଗାଁ ବ୍ଲକ ଅଧିନ ମୁଣ୍ଡାଳ ଠାରେ ପୂର୍ବତନ ଜିଲ୍ଲା ବିଜେଡ଼ି ସଭାପତି ତଥା ପୂର୍ବତନ କାଜୁ ନିଗମ ଅଧ୍ୟକ୍ଷ ଅମରେନ୍ଦ୍ର ଦାସଙ୍କ ଦ୍ୱାରା ବିଜେଡ଼ି ବ୍ୟାନରରେ ଏକ ବିଶାଳ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ବନ୍ଧୁ ମିଳନ ନାମରେ ଶଙ୍ଖ ଚିହ୍ନ ଓ ଦଳୀୟ ସଂକେତ ଥାଇ ପ୍ରସ୍ତୁତ ଏକ ବିଶାଳ ମଞ୍ଚରେ ପୂର୍ବତନ କାଜୁ ନିଗମ ଅଧ୍ୟକ୍ଷ ଅମରେନ୍ଦ୍ର ଦାସ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବୀଦତ ମହାନ୍ତିଙ୍କ ସମେତ ବହୁ ଆଗଧାଡ଼ିର ବିଜେଡ଼ି ନେତା ଓ କର୍ମୀ ଯୋଗଦେଇ ଆଗାମୀ ଦିନରେ ଅମରେନ୍ଦ୍ର ଦାସଙ୍କ ହାତମୁଠାକୁ ଟାଣ କରିବା ପାଇଁ ଆହ୍ୱାନ ଦେଇଥିଲେ ।

ଅମରେନ୍ଦ୍ର ଦାସଙ୍କୁ ଏକ ବିଶାଳ ବାଇକ୍ ରାଲି ଓ ପଦଯାତ୍ରାରେ ବିଜେଡ଼ି କର୍ମୀ ମାନେ ପାଛୋଟି ନେବା ସହିତ ସଭାସ୍ଥଳରେ ହଜାର ହଜାର ସଂଖ୍ୟାରେ ଜନସାଧାରଣ ଏକତ୍ରିତ ହୋଇଥିବା ଦେଖିବାକୁ ମିଳିଥିଲା । ଏଠାରେ ପ୍ରକାଶ ଥାଉ କି ୨୦୧୯ ସାଧାରଣ ନିର୍ବାଚନ ସମୟରେ ଅମରେନ୍ଦ୍ର ଦାସ ଜଗତସିଂହପୁରରୁ ବିଜେଡ଼ି ଟିକେଟ ପାଇଁ ଲବି କରିଥିଲେ ମଧ୍ୟ ଟିକେଟ ପାଇବାରୁ ବଞ୍ଚିତ ହୋଇଥିଲେ । ସେ ସମୟରେ ବାଲିକୁଦା-ଏରସମାର ପୂର୍ବତନ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଜଗତସିଂହପୁରରୁ ବିଜେଡ଼ି ଟିକେଟ ପାଇ ବିଜୟୀ ହୋଇଥିଲେ ।

ତେବେ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ବିଜେଡ଼ି ନେତା ଅମରେନ୍ଦ୍ର ଦାସ ଜଗତସିଂହପୁରରୁ ବିଜେଡ଼ି ଟିକେଟ ନେବା ପାଇଁ ସନ୍ତର୍ପଣରେ ବିଜେଡ଼ିର ବନ୍ଧୁ ମିଳନ ନାମରେ ସଂଗଠନ ସକ୍ରିୟ କରିବାରେ ଲାଗିଛନ୍ତି । ଅମରେନ୍ଦ୍ରଙ୍କୁ ବିଜେଡ଼ି ସଂଗଠନ ପକ୍ଷରୁ ଅହେତୁକ ସମର୍ଥନ ମିଳୁଥିବା ସମୟରେ ତାଙ୍କର ବନ୍ଧୁମିଳନ କାର୍ଯ୍ୟକ୍ରମରେ ବ୍ୟାପକ ଜନସମାବେଶ ପ୍ରକାରନ୍ତରରେ ଅମରେନ୍ଦ୍ରଙ୍କ ଲୋକପ୍ରିୟତାକୁ ପ୍ରମାଣିତ କରିଛି ।

ଯଦିଓ ସଭାରେ ଖୋଲାଖୋଲି ଭାବେ ଅମରେନ୍ଦ୍ର ସ୍ଥାନୀୟ ବିଧାୟକ ତଥା ବିଧାନସଭାରେ ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତଙ୍କ ନାମରେ କୌଣସି ମନ୍ତବ୍ୟ ଦେଉନାହାଁନ୍ତି; ମାତ୍ର ତାଙ୍କର ସମର୍ଥକ ମାନେ ଖୋଲାଖୋଲି ଭାବେ ଅମରେନ୍ଦ୍ରଙ୍କୁ ଆଗାମୀ ଦିନରେ ଜଗତସିଂହପୁରର ବିଧାୟକ ଭବେ ଦେଖିବାକୁ ଚାହୁଁଛନ୍ତି ବୋଲି ଅଭିଭାଷଣକ୍ରମରେ ସ୍ପଷ୍ଟ କରିବା ସହିତ ସ୍ଥାନୀୟ ବିଧାୟକଙ୍କ ଅପାରଗତା ପ୍ରସଙ୍ଗ ମଧ୍ୟ ଉଠାଉଛନ୍ତି । ଏଭଳି ସ୍ଥିତିରେ ଜଗତସିଂହପୁର ବିଧାନସଭା କ୍ଷେତ୍ରରେ ଶାସକଦଳର ଗୋଷ୍ଠୀ କନ୍ଦଳ କ୍ରମଶଃ ତୀବ୍ର ରୂପ ନେବାର ଆଶଙ୍କା ସୃଷ୍ଟି ହୋଇଛି ।

Get real time updates directly on you device, subscribe now.