fbpx

BJP, Congress ନା ତୃତୀୟ ସାମ୍ମୁଖ୍ୟ: ଆସନ୍ତା ରାଷ୍ଟ୍ରପତି ନିର୍ବାଚନରେ କାହାକୁ ସମର୍ଥନ କରିବ BJD?

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ମାସରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଏବେଠାରୁ ଅଙ୍କକଷା ଆରମ୍ଭ ହୋଇଗଲାଣି । ବର୍ତ୍ତମାନ କେନ୍ଦ୍ରରେ କ୍ଷମତାସୀନ ଏନଡିଏ ସରକାର ପାଖରେ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ପାଖାପାଖି ୧.୨ ପ୍ରତିଶତ ଭୋଟ ନିଅଣ୍ଟ ପଡ଼ୁଛି । ତେଣୁ ବିଜୁ ଜନତା ଦଳ (ବିଜେଡି) ପରି କିଛି ଦଳଙ୍କୁ ନିଜ ସପକ୍ଷକୁ ଆଣି ବିଜେପି ରାଷ୍ଟ୍ରପତି ନିର୍ବାଚନରେ ବାଜିମାତ କରିବାକୁ ପ୍ରୟାସ କରିବ । ବିଜେଡି ପାଖରେ ୨୧ ଜଣ ସାଂସଦ ରହିଥିବାରୁ ରାଷ୍ଟ୍ରପତି ନିର୍ବାଚନ ପାଇଁ ଦଳ ପାଖରେ ବର୍ତ୍ତମାନ ୩ ପ୍ରତିଶତ ଭୋଟ ରହିଛି ।

ଗତ ୨୦୧୭ ରାଷ୍ଟ୍ରପତି ନିର୍ବାଚନ ସମୟରେ ବିଜେପି ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ବିଜେଡି ସମର୍ଥନ କରିଥିଲା । ତେବେ ଆସନ୍ତା ନିର୍ବାଚନରେ ବିଜେଡି କାହାକୁ ସମର୍ଥନ କରିବ ତାହାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ବିଜେଡି ଆସନ୍ତା ନିର୍ବାଚନରେ କାହାକୁ ସମର୍ଥନ କରିବ ବୋଲି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାମ୍ବାଦିକମାନେ ପ୍ରଶ୍ନ କରିଥିଲେ । ତେବେ ଉଭୟ ୟୁପିଏ ଓ ଏନଡିଏଠାରୁ ବିଜେଡି ସମଦୂରତା ରକ୍ଷା କରିବ । ସମୟ ଆସିଲେ ବିଜେଡି ଉଚିତ ନିଷ୍ପତ୍ତି ନେବ । କୌଣସି ରାଜନୈତିକ ସାମ୍ମୁଖ୍ୟର ଅଂଶବିଶେଷ ହେବା ଅପେକ୍ଷା ନିରପେକ୍ଷତ।। ଅବଲମ୍ବନ କରିବାକୁ ବିଜେଡି ଶ୍ରେୟସ୍କର ମଣିବ ବୋଲି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

ଆସନ୍ତା ରାଷ୍ଟ୍ରପତି ନିର୍ବାଚନରେ ନବୀନଙ୍କ ଭୂମିକା ନିଶ୍ଚିତ ଭାବେ ଗୁରୁତ୍ୱପୂର୍ଣ୍ଣ ରହିବ । କାରଣ ବିପକ୍ଷ ଦଳ ପକ୍ଷରୁ ଜଣେ ରାଷ୍ଟ୍ରପତି ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇବା ନେଇ ପ୍ରସ୍ତୁତି ଚାଳିଛି । ଏହି ମହାମେଣ୍ଟରେ ମମତା ବାନାର୍ଜୀଙ୍କ ଟିଏମସି, ଏମକେ ଷ୍ଟାଲିନଙ୍କ ଡିଏମକେ, ଉଦ୍ଧବ ଠାକେରଙ୍କ ଠିବସେନା, କେ.ଚନ୍ଦ୍ରଶେଖର ରାଓଙ୍କ ଟିଆରଏସ ଭଳି ଦଳମାନେ ସାମିଲ ହେବାର ସମ୍ଭାବନା ରହିଛି । ଯଦି ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀମାନେ ଏକତ୍ରିତ ହେବେ, ତେବେ ୨୦୨୪ ମେଗା ଫାଇନାଲରେ ଏହା ବିଜେପିକୁ କଡ଼ା ଟକ୍କର ଦେବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.