fbpx

କୃଷି ଆଇନ ପ୍ରତ୍ୟାହାର ପରେ ବଦଳିଲା ରାଜନୈତିକ ସମୀକରଣ: ବିଜେପି-ଅକାଳି ଓ ଅମରିନ୍ଦର ଏକାଠି ଲଢ଼ିବାକୁ ସଜବାଜ

ନୂଆଦିଲ୍ଲୀ: ଗତ ୧୯ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷି ଆଇନକୁ ପ୍ରତ୍ୟାହାର କରିବା ପରେ ପଞ୍ଜାବ ରାଜନୀତି ପରିବର୍ତ୍ତନର ଆଭାସ ମିଳିଛି । ଆସନ୍ତା ବର୍ଷ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିଜେପି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କ୍ୟାପ୍ଟେନ ଅମରିନ୍ଦରଙ୍କ ସହ ମେଣ୍ଟ କରିବାର ସମ୍ଭାବନା ରହିଛି । ତେବେ କୃଷି ଆଇନ ପ୍ରତ୍ୟାହାର ପରେ ସବୁଠାରୁ ବେଶି ଲାଭ ଅମରିନ୍ଦରଙ୍କୁ ମିଳିଥିବା କୁହାଯାଉଛି । କାରଣ ପୂର୍ବରୁ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି କ୍ୟାପ୍ଟେନ ଏହି ଆଇନ ଉଠାଇବା ନେଇ ଆଲୋଚନା କରିଥିଲେ । ଏଥିସହ ସେ ଅନେକ ଥର ରାଷ୍ଟ୍ରୀୟ ସୁରକ୍ଷାକୁ ନେଇ ମଧ୍ୟ ମୁଦ୍ଦା ଉଠାଇଥିଲେ ।

ତେବେ ଏବେ ଆଇନ ପ୍ରତ୍ୟାହାର ହେବା ପରେ ଏହା କେବଳ ଚାଷୀଙ୍କୁ ଆଶସ୍ତି ଦେଇନି, ବରଂ ରାଜ୍ୟର ବିକାଶ ପାଇଁ ବାଟ ଖୋଲି ଦେଇଥିବା କୁହାଯାଉଛି । ସେହିପରି ଶିରୋମଣି ଅକାଳି ଦଳ ସର୍ବଦା କିଷାନଙ୍କ ସମସ୍ୟା ସମୟରେ ଛିଡ଼ା ହୋଇଥାଏ । ପୂର୍ବରୁ ଅକାଳି ଦଳର ବରିଷ୍ଠ ନେତ୍ରୀ ହରସିମରତ ବାଦଲ ଏହି ଆଇନକୁ ବିରୋଧ କରି କେନ୍ଦ୍ର କ୍ୟାବିନେଟରୁ ଇସ୍ତଫା ଦେଇଥିଲେ । ଏବେ ଆଇନ ପ୍ରତ୍ୟାହାର ହୋଇସାରିଥିବାରୁ ଅକାଳି ଦଳ ପୁରୁଣା ସହଯୋଗୀ ବିଜେପି ପାଖକୁ ପୁଣି ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ରହିଛି । ତେବେ ପାର୍ଟି ମୁଖିଆ ସୁଖବୀର ସିଂହ ବାଦଲ ବିଜେପି ସହ ମେଣ୍ଟ ପ୍ରସଙ୍ଗକୁ ଅସ୍ୱୀକାର କରିଥିଲେ ହେଁ ଭବିଷ୍ୟତରେ କିଛି ଘଟିବାର ଅନୁମାନ କରାଯାଉଛି । ଯଦି ସବୁକିଛି ଠିକଠାକ ହୁଏ, ତେବେ ଭାଜପା ଓ ଅକାଳି ଦଳ ସହ ଅମରିନ୍ଦର ନିର୍ବାଚନୀ ମୈଦାନକୁ ଓହ୍ଲାଇବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.