fbpx

ଗୁଜରାଟ ବିଧାନସଭା ନିର୍ବାଚନ: ୮୪ ପ୍ରାର୍ଥୀଙ୍କ ନାମ ଘୋଷଣା କଲା BJP, ଅନେକ ହେଭିୱଟଙ୍କ ଟିକେଟ୍ କଟିଲା

ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର ମାସ ୧ ଓ ୫ ତାରିଖ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ଗୁଜରାଟ ବିଧାନସଭା ନିର୍ବାଚନ । ଏହାପରେ ୮ ତାରିଖରେ ଗୁଜରାଟ ଓ ହିମାଚଳ ପ୍ରଦେଶ ନିର୍ବାଚନର ଫଳାଫଳ ଘୋଷଣା କରାଯିବ । ତେବେ ଏନେଇ ଗତ ୪ ତାରିଖରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟିର ଏକ ବୈଠକ ବସିଥିଲା । ଉକ୍ତ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରମୁଖ ସାମିଲ ହୋଇଥିଲେ । ବୈଠକରେ ୧୮୨ଟି ଆସନର ପ୍ରାର୍ଥୀତ୍ୱକୁ ନେଇ ଆଲୋଚନା ହୋଇଥିଲା ।

ତେବେ ଏହା ମଧ୍ୟରେ ବିଜେପି ନିଜର ପ୍ରାର୍ଥୀଙ୍କର ପ୍ରଥମ ଲିଷ୍ଟ ଜାରି କରିଛି । ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କୁ ଘାଟଲୋଦିୟା ପାଇଁ ଟିକେଟ ଦିଆଯାଇଛି । ସେହିପରି କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ରିବାବାଙ୍କୁ ଉତ୍ତର ଜାମନଗର ପାଇଁ ପ୍ରାର୍ଥୀଙ୍କ କରାଯାଇଛି । ପଟିଦାର ନେତା ହାର୍ଦ୍ଦିକ ପଟେଲ ବିରମଗାମ ଆସନରୁ ନିର୍ବାଚନ ଲଢ଼ିବେ । ପ୍ରାଥମ ପର୍ଯ୍ୟାୟର ୮୯ଟି ଆସନ ମଧ୍ୟରୁ ବିଜେପି ୮୪ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।

ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଓ ପୂର୍ବତନ ଡେପୁଟି ସିଏମ୍ ନୀତିନ ପଟେଲ ଏଥର ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିସାରିଛନ୍ତି । ଏନେଇ ନୀତିନ ପ୍ରଦେଶ ଅଧ୍ୟକ୍ଷଙ୍କୁ ପତ୍ର ଲେଖି ଜଣାଇଥିଲେ । ଏଥିସହିତ ଅନ୍ୟ ଯେଉଁ ପ୍ରାର୍ଥୀମାନେ ଏଥର ନିର୍ବାଚନ ଲଢ଼ିବେ ନାହିଁ, ସେମାନଙ୍କର ନାମ ମଧ୍ୟ ଘୋଷଣା କରାଯାଇଛି । ରୂପାନୀ ସରକାରରେ ସାମିଲ ଥିବା ମୋଟ ୮ ମନ୍ତ୍ରୀ ଏଥର ନିର୍ବାଚନ ଲଢ଼ିବେ ନାହିଁ । ସୂଚନାଯୋଗ୍ୟ ଯେ, ଏଥର ବିଧାନସଭା ନିର୍ବାଚନରେ ବିଜେପି, କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି (ଆପ) ପୂରା ଦମରେ ଲାଗି ପଡ଼ିଛନ୍ତି । ତେଣୁ ରାଜ୍ୟରେ ତ୍ରିମୁଖୀ ଲଢ଼େଇ ଦେଖିବାକୁ ମିଳିପାରେ ।

Get real time updates directly on you device, subscribe now.