fbpx
BSKY
BJD MC SKY
BJD MS SKY

ଝାରସୁଗୁଡ଼ା ଉପନିର୍ବାଚନ ଲଢ଼େଇ: ୨ଟି କମିଟି ଗଠନ କଲା BJP, ୨୨ ଜଣ ନେତାଙ୍କୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସ ୧୦ ତାରିଖରେ ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ । ତେବେ ଏହାକୁ ନେଇ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜର ପ୍ଲାନିଂ ଆରମ୍ଭ କରିଦେଲେଣି । ଏହା ମଧ୍ୟରେ ବିଜେପି ଲଢ଼େଇ ପୂର୍ବରୁ ୨ଟି ଟିମ୍ ଗଠନ କରିଛି । ଏହି ଟିମର ସଦସ୍ୟଙ୍କ ଉପରେ ବିଜେପିର ବିଜୟ ନିର୍ଭର କରୁଛି ।

ଝାରସୁଗୁଡ଼ା ଲଢ଼େଇ ପାଇଁ ବିଜେପି ଟଙ୍କଧର ତ୍ରିପାଠୀଙ୍କୁ ପ୍ରାର୍ଥୀ କରିଛି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ନିର୍ବାଚନ ପରିଚାଳନା ଓ ପ୍ରଚାର ପାଇଁ ଦୁଇଟି ଟିମରେ ନୂଆ ସଦସ୍ୟଙ୍କୁ ଦାୟିତ୍ୱ ପ୍ରଦାନ କରିଛନ୍ତି । ନିର୍ବାଚନ ପରିଚାଳନା ପାଇଁ ଗୋଟିଏ ୮ ଜଣିଆ କମିଟି ଓ ନିର୍ବାଚନ ପ୍ରଚାର ପାଇଁ ଆଉ ଗୋଟିଏ ୧୪ ଜଣିଆ କମିଟି ଗଠନ କରାଯାଇଛି ।

୮ ଜଣିଆ କମିଟିର ନେତୃତ୍ୱ ନେବେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ । ଏଥିସହିତ ବିଧାନସଭାର ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ପୂର୍ବତନ ରାଜ୍ୟ ସଭାପତି କେ.ଭି ସିଂହଦେଓ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ସାଂସଦ ସୁରେଶ ପୂଜାରୀ, ସାଂସଦ ବସନ୍ତ ପଣ୍ଡା, ରାଜ୍ୟ ସାଧାରଣ ସମ୍ପାଦକ ରବି ନାରାୟଣ ନାଏକ ଓ ଗୋଲକ ପ୍ରସାଦ ମହାପାତ୍ର ପ୍ରମୁଖ ଏହି ଟିମ୍ ରହିଛନ୍ତି ।

ସେହିପରି ୧୪ ଜଣିଆ କମିଟିର ନେତୃତ୍ୱ ନେବେ ବରଗଡ଼ ସାଂସଦ ସୁରେଶ ପୂଜାରୀ । ସାଂସଦ ପ୍ରତାପ ଷଡ଼ଙ୍ଗୀ, ସାଂସଦ ସଂଗୀତା ସିଂହଦେଓ, ନୀତେଶ ଗଙ୍ଗଦେବ, ମୋହନ ମାଝୀ, ଶଙ୍କର ଓରାମ, ନୌରୀ ନାଏକ, ସୁବାଶ ପାଣିଗ୍ରାହୀ, ମୁକେଶ ମହାଲିଙ୍ଗ, ରଞ୍ଜନ କୁମାର ପଟେଲ, ନିତ୍ୟାନନ୍ଦ ଗୋଣ୍ଡ, ଭବାନୀ ଶଙ୍କର ଭୋଇ, କୁସୁମ ଟେଟେ, ପ୍ରଦୀପ ପୁରୋହିତ ପ୍ରମୁଖଙ୍କୁ ଏହି ଟିମରେ ସ୍ଥାନ ଦିଆଯାଇଛି ।

Get real time updates directly on you device, subscribe now.