fbpx

ବଦଳିବ କି ଜାମ୍ମୁ-କାଶ୍ମୀର ରାଜନୀତିର ପାଣିପାଗ ? ବିଜେପି ଏବଂ ଏନସି ମଧ୍ୟରେ ହୋଇପାରେ ମେଣ୍ଟ…

ନୂଆଦିଲ୍ଲୀ: ବଦଳିବ କି ଜାମ୍ମୁ-କାଶ୍ମୀର ରାଜନୀତି ପାଣିପାଗ। କଣ ଘାଟି ଉପତ୍ୟକତାରେ ବଦଳିବ ସମୀକରଣ ? ଏହି ପ୍ରଶ୍ନ ଏଥିପାଇଁ ଉଠୁଛି କାରଣ ବିଜେପି ଏବଂ ଏନସି ମଧ୍ୟରେ ମେଣ୍ଟର ସଙ୍କେତ ମିଳୁଛି। ଜାମ୍ମୁ-କାଶ୍ମୀରରେ ଚଳିତ ବର୍ଷ ଶେଷ ସୁଦ୍ଧା କିମ୍ବା ନୂତନ ବର୍ଷର ଆରମ୍ଭରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରଠୁ ସେଠାରେ ନିର୍ବାଚନ ହୋଇନାହିଁ। ଏହା ମଧ୍ୟରେ ନ୍ୟାସନାଲ କନଫରେନ୍ସ ଏବଂ ଭାରତୀୟ ଜନତା ପାର୍ଟି ମଧ୍ୟରେ ମେଣ୍ଟକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇ ଯାଇଛି। ଏମିତି ଚର୍ଚ୍ଚା ଆରମ୍ଭ ହେବା ପଛର କାରଣ ନ୍ୟାସନାଲ କନଫରେନ୍ସର ଉପ ସଭାପତି ଉମର ଅବଦୁଲ୍ଲା ଏବଂ ବିଜେପିର ରାଜ୍ୟ ସଭାପତି ରବିନ୍ଦର ରୈନା କରିଥିବା ଟୁଇଟ୍।

ଉମର ଅବଦୁଲ୍ଲା ଜାମ୍ମୁ-କାଶ୍ମୀର ବିଜେପି ରାଜ୍ୟ ସଭାପତିଙ୍କ ବୟାନ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି, ରାଜନୀତିରେ ନା କିଏ ଶତ୍ରୁ ଥାଏ ନା ମିତ୍ର। ନା ରାଜନୈତିକ ବିରୋଧୀ ପରସ୍ପରର ଶତ୍ରୁ ହୁଅନ୍ତି ନା ରାଜନୀତି ବିଭାଜନ ଏବଂ ଘୃଣା ପାଇଁ ହୋଇଥାଏ। ତାଙ୍କର ଏହି ଟିପ୍ପଣୀ ଉପତ୍ୟକାର ରାଜନୀତି ପାଣିପାଗରେ ଉଷ୍ମତା ଭରିଛି। ଲୋକେ ଏହାକୁ ନେଇ ଭିନ୍ନ ଭିନ୍ନ ପ୍ରକାରର ଟୁଇଟ୍ କରିବା ଆରମ୍ଭ କରି ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି ଉମର ଅବଦୁଲ୍ଲାଙ୍କ ଟୁଇଟରରୁ ଏନସି ଏବଂ ବିଜେପି ମଧ୍ୟରେ ପଛ ଦ୍ଵାରରେ ରାଜିନାମାର ସଙ୍କେତ ମିଳୁଛି।

ଉଲ୍ଲେଖନୀୟ ଏକ ଭିଡିଓରେ ଜାମ୍ମୁ-କାଶ୍ମୀରର ବିଜେପି ସଭାପତି ରବିନ୍ଦର ରୈନା ଉମର ଅବଦୁଲ୍ଲାଙ୍କୁ କେନ୍ଦ୍ର ଶାସିତ ଅଞ୍ଚଳର ନେତା ଭାବେ ଏକ ରତ୍ନର ଆଖ୍ୟା ଦେଇଛନ୍ତି। ରୈନା କହିଛନ୍ତି, ଯେବେ ମୁଁ ଉମର ଅବଦୁଲ୍ଲାଙ୍କ ସହିତ ବିଧାନସଭାର ସଦସ୍ୟ ହେଲି ଆମେ ପରସ୍ପରକୁ ଜଣେ ମଣିଷ ଭାବେ ଦେଖି ଆସିଛୁ। ଉମର ଅବଦୁଲ୍ଲା ରାଜ୍ୟର ଶୀର୍ଷ ରାଜନୈତିକ ନେତାଙ୍କ ମଧ୍ୟରୁ ଜଣେ ରତ୍ନ। ଏଥିପାଇଁ ଆମେ ଦୁହେଁ ଭଲ ବନ୍ଧୁ ମଧ୍ୟ।

ସେ କହିଛନ୍ତି, ଯେବେ ସେ କରୋନା ସଂକ୍ରମିତ ଥିଲେ, ତେବେ ତାଙ୍କ ସ୍ଵାସ୍ଥ୍ୟବସ୍ଥା ପଚାରି ବୁଝିଥିବା ଲୋକଙ୍କ ମଧ୍ୟରେ ସର୍ବ ପ୍ରଥମେ ଥିଲେ ଉମର ଅବଦୁଲ୍ଲା। ସେ ଫୋନ କରି ତାଙ୍କର ସ୍ଵାସ୍ଥ୍ୟ ବିଷୟରେ ପଚାରି ବୁଝିଥିଲେ। ରୈନାଙ୍କ ଟୁଇଟର ଜବାବ ଦେଇ ଅବଦୁଲ୍ଲା କହିଛନ୍ତି, ରାଜନୈତିକ ଭାବେ ଅସହମତି ଥିଲେ ମଧ୍ୟ ରାଜନେତାମାନଙ୍କୁ ବ୍ୟକ୍ତିଗତ ଭାବେ ପରସ୍ପରକୁ ଘୃଣା କରିବାର ଆବଶ୍ୟକତା ନାହିଁ। ସେ ଗୋଟିଏ ପରେ ଗୋଟିଏ ଟୁଇଟ୍ କରି କହିଛନ୍ତି, କଣ ଆମକୁ ରାଜନୈତିକ ଭାବେ ଅସହମତି ପ୍ରକାଶ ପାଇଁ ବ୍ୟକ୍ତିଗତ ଭାବେ ପରସ୍ପରକୁ ଘୃଣା କରିବାର ଆବଶ୍ୟକତା ରହିଛି କି ? ମୋର ରାଜନୈତିକ ବିରୋଧୀ ହୋଇ ପାରନ୍ତି ମାତ୍ର ସେ ଶତ୍ରୁ ନୁହନ୍ତି। ମୁଁ ରବିନ୍ଦର ରୈନାଙ୍କୁ ତାଙ୍କର ଉପରୋକ୍ତ ଶବ୍ଦ ନେଇ କୃତଜ୍ଞତା ଜଣାଉଛି। ମୁଁ ଖୁସି ଯେ, ଏହି ଶବ୍ଦ ଆମ ପରସ୍ପରକୁ ବିରୋଧ କରିବାରେ ରୋକିବ ନାହିଁ।

Get real time updates directly on you device, subscribe now.