fbpx

ବିଜେପି ବିଧାୟକ ଆଶୁତୋଷ ଟଣ୍ଡନଙ୍କ ପରଲୋକ

ନୂଆଦିଲ୍ଲୀ: ଚଳିତ ମାସରେ ଦେଶର ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ମତଦାନ ଗ୍ରହଣ କରାଯିବ । ତାହାକୁ ନେଇ ଦେଶର ନିର୍ବାଚନୀ ସ୍ଥିତି ସରଗରମ୍ ରହିଛି । ବିଶେଷ କରି ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସ-ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ । ଏହା ମଧ୍ୟରେ ଗତ ୭ ତାରିଖରେ ମିଜୋରାମର ୪୦ଟି ଆସନ ଓ ଛତିଶଗଡ଼ର ୨୦ଟି ଆସନ ପାଇଁ ମତଦାନ ସମାପ୍ତ ହୋଇଛି ।

ତେବେ ଏହି ତିନୋଟି ରାଜ୍ୟରେ ବିଜୟ ହାସଲ କରିବା କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ପାଇଁ ବଡ଼ ସମ୍ମାନର ପ୍ରଶ୍ନ । କାରଣ ଗତ ୨୦୧୮ ବିଧାନସଭା ନିର୍ବାଚନରେ ଏହି ସମସ୍ତ ରାଜ୍ୟଗୁଡ଼ିକରେ କଂଗ୍ରେସ ସରକାର ଗଠନ କରିଥିଲା । ଗୋଟିଏ ପଟେ ବିଜେପି ନିର୍ବାଚନୀ ରଣନୀତି ନେଇ ବ୍ୟସ୍ତ ରହିଥିବା ବେଳେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ଦଳର ଜଣେ ବରିଷ୍ଠ ନେତାଙ୍କର ପରଲୋକ ଘଟିଛି ।

ପୂର୍ବ-ଲକ୍ଷ୍ନୌର ବିଜେପି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଆଶୁତୋଷ ଟଣ୍ଡନଙ୍କର ପରଲୋକ ଘଟିଛି । ଦୀର୍ଘ ଦିନ ଧରି ସେ ବିମାରଗ୍ରସ୍ତ ରହିଥିଲେ । ଶେଷରେ ଉତ୍ତରପ୍ରଦେଶର ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି । ଯୋଗୀ ସରକାରଙ୍କ ପୂର୍ବ କାର୍ଯ୍ୟକାଳ ସମୟରେ ଆଶୁତୋଷ ସହର ବିକାଶ ମନ୍ତ୍ରୀ ରହିଥିଲେ । ଆଶୁତୋଷ ହେଉଛନ୍ତି ପୂର୍ବତନ ରାଜ୍ୟପାଳ ଓ ବରିଷ୍ଠ ବିଜେପି ନେତା ଲାଲଜୀ ଟଣ୍ଡନଙ୍କ ପୁତ୍ର । ଆଶୁତୋଷଙ୍କ ମୃତ୍ୟୁ ଖବର ଶୁଣିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ବହୁ ରାଜନେତା ଶୋକବ୍ୟକ୍ତ କରିଛନ୍ତି ।

Get real time updates directly on you device, subscribe now.