fbpx

ବିଜେପିର ଜଣେ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ: କିଏ ସେହି ନେତା, ତାଙ୍କ ବିରୋଧରେ କାହିଁକି ନିଆଗଲା ଏପରି କାର୍ଯ୍ୟାନୁଷ୍ଠାନ

Advertisement

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ଏବେଠାରୁ ସାରା ଦେଶରେ ରାଜନୈତିକ ପାଣିପାଗ ଉଷ୍ଣ ହୋଇଗଲାଣି । କ୍ଷମତା ଦଖଲ ପାଇଁ କେନ୍ଦ୍ରରେ କ୍ଷମତାସୀନ ଭାଜପା ଓ ବିରୋଧୀ ମହାମେଣ୍ଟ ପକ୍ଷରୁ ଏନେଇ ରଣନୀତି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ନିର୍ବାଚନ ପୂର୍ବରୁ କିଛି ନେତାଙ୍କର ଦଳବଦଳ ପ୍ରକ୍ରିୟା ଦେଖିବାକୁ ମିଳିଛି । ନିକଟରେ ସମାପ୍ତ ହୋଇଥିବା ୫ଟି ରାଜ୍ୟର ନିର୍ବାଚଳ ଫଳାଫଳକୁ ପାଥେୟ କରି ରାଜନୈତିକ ଦଳମାନେ ଏଥର ନିର୍ବାଚନୀ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିଛନ୍ତି ।

ତେବେ ଏହା ମଧ୍ୟରେ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ବିଜେପିର ଜଣେ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ହୋଇଛି । ବିଧାୟକ ରାମ ଦୁଲାର ଗୋଣ୍ଡ ବିଧାନସଭାର ସଦସ୍ୟତା ହରାଇଛନ୍ତି । ନିକଟରେ ଦୁଷ୍କର୍ମ ମାମଲାରେ ରାମ ଦୁଲାରଙ୍କ ବିରୋଧରେ ଦଣ୍ଡାଦେଶ ଜାରି କରାଯାଇଥିଲା । ଉକ୍ତ ଦଣ୍ଡାଦେଶ ପରେ ଏବେ ଭାଜପା ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ସେ ନିଜର ସଭ୍ୟ ପଦ ହରାଇଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ଜଣେ ନାବାଳିକାଙ୍କ ଦୁଷ୍କର୍ମ ମାମଲାରେ ନିକଟରେ ଆହ୍ଲାବାଦ ହାଇକୋର୍ଟ ସୋନଭଦ୍ର ଜିଲ୍ଲାର ଦୁଧୀ ଆସନରୁ ନିର୍ବାଚିତ ହୋଇଥିବା ରାମ ଦୁଲାରଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । କୋର୍ଟ ବିଧାୟକଙ୍କୁ ୨୫ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ । ତା’ପରେ ରାମ ଦୁଲାରଙ୍କ ବିଧାନସଭାର ସଦସ୍ୟତା ରଦ୍ଦ କରିଦିଆଯାଇଛି । ଏନେଇ ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରି ସୂଚିତ କରାଯାଇଛି । ଅନ୍ୟପକ୍ଷରେ ଏହି ଦଣ୍ଡାଦେଶ ଉପରେ ରୋକ ଲଗାଇବା ପାଇଁ ରାମ ଦୁଲାର ହାଇକୋର୍ଟରେ ଅପିଲ କରିଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ଯଦି କୌଣସି ବିଧାୟକ ବା ସାଂସଦ ଅତିକମରେ ୨ ବର୍ଷର ଜେଲଦଣ୍ଡାଦେଶ ପାଆନ୍ତି, ତେବେ ସେ ତ୍ୱରିତ ଭାବେ ନିଜର ସଦସ୍ୟତା ହରାଇଥାନ୍ତି । ପୂର୍ବରୁ ଏପରି ବହୁ ମାମଲା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.