fbpx

BJPର ପରବର୍ତ୍ତୀ ଟାର୍ଗେଟ୍ ଓଡ଼ିଶା: ଆସୁଛନ୍ତି ମୋଦୀ-ଶାହ-ନଡ୍ଡା, ପ୍ରସ୍ତୁତ ହେବ ୟୁନିକ୍ ପ୍ଲାନ୍, BJD ସହ ହେବ କଡ଼ା ଟକ୍କର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ଆସୁଛି ୨୦୨୪ ଲୋକସଭା ନିର୍ବାଚନ । ଏହା ପୂର୍ବରୁ ଚଳିତ ବର୍ଷ ୯ଟି ରାଜ୍ୟରେ ବିଧାନସଭା ନିର୍ବାଚନରେ କେନ୍ଦ୍ରରେ କ୍ଷମତାସୀନ ଥିବା ବିଜେପି ନିଜର ଶକ୍ତି ପରୀକ୍ଷା କରିବ । ତେବେ ଏହା ମଧ୍ୟରେ ଗତକାଲି ୩ଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ତ୍ରିପୁରା ଓ ନାଗାଲାଣ୍ଡରେ ବିଜେପି ନିଜ ଦମରେ ସରକାର ଗଠନ କରିବାକୁ ସକ୍ଷମ ହୋଇଥିବା ବେଳେ ମେଘାଳୟରେ ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନଏନପି) ସହ ମେଣ୍ଟ ସରକାର ଗଠନ କରିବାକୁ ଯାଉଛି ।

ତେବେ ଏହା ମଧ୍ୟରେ ବିଜେପିର ପରବର୍ତ୍ତୀ ଟାର୍ଗେଟ ହେଉଛି ଓଡ଼ିଶା । ଦେଶର ସର୍ବବୃହତ ସଂସଦୀୟ କ୍ଷେତ୍ର ଉତ୍ତରପ୍ରଦେଶରେ ନିଜର ଯାଦୁ ଦେଖାଇଥିବା ସୁନିଲ ବଂଶଲଙ୍କୁ ଗତବର୍ଷ ବିଜେପି ଓଡ଼ିଶାର ପ୍ରଭାରୀ ଭାବେ ଦାୟିତ୍ୱ ଦେଇଥିଲା । ଏହା ମଧ୍ୟରେ ସୁନିଲ ଏକାଧିକ ଥର ରାଜ୍ୟ ଗସ୍ତରେ ଆସିଥିବା ବେଳେ ଆଗକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ତଥା ଚାଣକ୍ୟ ଅମିତ ଶାହ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତପ୍ରକାଶ ନଡ୍ଡାଙ୍କ ପରି ଏକାଧିକ କେନ୍ଦ୍ରୀୟ ନେତାମାନେ ଆସିବାର ଅଛି । ତେଣୁ ରାଜ୍ୟର ସାଙ୍ଗଠନିକ ସ୍ତରରେ ଏକ ବଡ଼ ଧରଣର ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ଏପରିକି ପଶ୍ଚିମ ଓଡ଼ିଶାର ଜଣେ ନେତାଙ୍କୁ କେନ୍ଦ୍ର କ୍ୟାବିନେଟରେ ସ୍ଥାନ ମିଳିବା ନେଇ ଗତ ଜାନୁଆରୀ ମାସ ୧୬-୧୭ରେ ସମାପ୍ତ ହୋଇଥିବା ଜାତୀୟ କାର୍ଯ୍ୟକାରିଣୀ ପୂର୍ବରୁ ଚର୍ଚ୍ଚା ହେଉଥିଲା ।

ଗତ ୨୦୧୯ ନିର୍ବାଚନରେ ବିଜେପି ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନର ନାରା ଦେଇଥିଲା । ଯଦିଓ ଦଳ ଏହି ଲକ୍ଷ୍ୟ ହାସଲ କରିବା କ୍ଷେତ୍ରରେ ବିଜେଡି ଆଗରେ ହାର ମାନିଥିଲା, ତଥାପି ଦଳ ଅଧିକ ସଂଖ୍ୟକ ଲୋକସଭା ଓ ବିଧାନସଭା ସିଟ୍ ଅକ୍ତିଆର କରିବାରେ ସକ୍ଷମ ହୋଇଥିଲା । ତେଣୁ ଏଥର ଓଡ଼ିଶାକୁ ନେଇ ଦିଲ୍ଲୀ ରାଜନୀତି ମଧ୍ୟ ଚଳଚଞ୍ଚଳ ହେଉଥିବା କୁହାଯାଉଛି । କେଉଁ ନେତାଙ୍କୁ କେଉଁ ଦାୟିତ୍ୱ ଦିଆଯିବ ତାହା କେନ୍ଦ୍ରୀୟ ନେତୃତ୍ୱ ସ୍ଥିର କରିବେ । ଓଡ଼ିଶାରେ କ୍ଷମତା ଅକ୍ତିଆର କରିବା ପାଇଁ ଚାଣକ୍ୟଙ୍କ ପେଡ଼ିରୁ ବାହାରିବ କୁକୁକ ଚାବିକାଠି ।

ତେବେ ନିର୍ବାଚନ ପାଇଁ ଆଉ କମ୍ ସମୟ ବାକିଥିବା ବେଳେ ଏହା ମଧ୍ୟରେ ପିଏମ ମୋଦୀ ଓଡ଼ିଶା ଗସ୍ତରେ ଆସିବେ । ବଜେଟ ଅଧିବେଶନ ସରିବା ପରେ ମୋଦୀ ରାଜ୍ୟ ଗସ୍ତ କରି ରେଳ ଓ ସଡ଼କ ପ୍ରକଳ୍ପର ଶୁଭାରମ୍ଭ କରିବେ । ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ସରକାରଙ୍କ ଯୋଜନାକୁ ରାଜ୍ୟବାସୀଙ୍କ ନିକଟରେ ପହଞ୍ଚାଇ କିଭଳି ଭୋଟରଙ୍କୁ ଆକୃଷ୍ଟ କରାଯିବ ତାହା ଉପରେ ଫୋକସ୍ କରାଯିବ । ସେଥିପାଇଁ ବିଧାନସଭା ଓ ଲୋକସଭା ପାଇଁ ୨୦ ଜଣିଆ କୋର୍ କମିଟି ଗଠନ କରାଯିବ । ଏହି କମିଟି ପ୍ରତି ମାସରେ ବୈଠକ କରି କ୍ଷେତ୍ର ଦାୟିତ୍ୱରେ ଥିବା କେନ୍ଦ୍ରମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିବେ ।

ଜନତାଙ୍କ ଭୋଟ ହାତେଇବା ଲକ୍ଷ୍ୟରେ ବିଜେପି ରାଜସ୍ଥାନରେ ଜନଆକ୍ରୋଶ ଯାତ୍ରା ଓ ତେଲେଙ୍ଗାନାରେ ପ୍ରଜାଗୋସା- ଭାଜପା ଭରୋସା ଯାତ୍ରା ଆରମ୍ଭ କରିଛି । ବିଭିନ୍ନ ରାଜ୍ୟର ପରିସ୍ଥିତି ଓ ଭବିଷ୍ୟତକୁ ଦୃଷ୍ଟିରେ ରଖି ଦଳ ଅଲଗା ଅଲଗା ରଣନୀତି ପ୍ରସ୍ତୁତ କରୁଛି । ତେଣୁ ଓଡ଼ିଶା ପାଇଁ ବିଜେପି ମଧ୍ୟ ସେପରି କିଛି ଖାସ୍ ପ୍ଲାନ ପ୍ରସ୍ତୁତ କରିବାକୁ ଯାଉଛି । କେନ୍ଦ୍ରୀୟ ନେତାମାନେ ଓଡ଼ିଶା ଗସ୍ତ ପରେ ଏହାର କାର୍ଯ୍ୟକାରିତା ବିଷୟରେ ସ୍ପଷ୍ଟ ହୋଇଯିବ ।

ସୂଚନାଯୋଗ୍ୟ ଯେ, ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ଯାତ୍ରାରେ ଉତ୍ସାହିତ ହୋଇ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଶରତ ପଟ୍ଟନାୟକ ଆସନ୍ତା ନିର୍ବାଚନରେ କଡ଼ା ଫାଇଟ୍ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହା ମଧ୍ୟରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ ଭାରତ ରାଷ୍ଟ୍ର ସମିତି ଓଡ଼ିଶାର କିଛି ପୁରୁଖା ନେତାଙ୍କୁ ଦଳରେ ସାମିଲ କରିସାରିଲାଣି । ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି (ଆପ) ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମସି) ମଧ୍ୟ ଓଡ଼ିଶାରେ ନିଜର ବ୍ରାଞ୍ଚ ଖୋଲିବା ନେଇ ଉଦ୍ୟମ ଚଳାଇଛି । ତେଣୁ ଆସନ୍ତା ନିର୍ବାଚନରେ ବିଜେପିକୁ ବିଜେଡି, କଂଗ୍ରେସ, ଆପ, ବିଆରଏସ, ଟିଏମସି ପରି ପଞ୍ଚରଥୀଙ୍କ ସହ ମୁକାବିଲା କରିବାକୁ ପଡ଼ିପାରେ ।

Get real time updates directly on you device, subscribe now.