fbpx

୪୦୦ ଆସନ ଜିତିବା ବିଜେପିର ଲକ୍ଷ୍ୟ: ଲାଗୁ ହୋଇପାରେ ‘ନୋ-ରିପିଟ୍’ ଫର୍ମୂଲା, ୭୦ ଜଣ ସାଂସଦଙ୍କ ଟିକେଟ କଟିପାରେ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକି ଥିବାବେଳେ ସେନେଇ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ନିର୍ବାଚନରେ ଦଳ ୩୭୦ଟି ଆସନରେ ଜିତିବାକୁ ଟାର୍ଗେଟ୍ ରଖିଛି । ୧୬ଟି ରାଜ୍ୟର ୩୦୧ଟି ଆସନ ମଧ୍ୟରୁ ୧୦୦ରୁ ଅଧିକ ସିଟ ପାଇଁ ବୈଠକରେ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ କରାଯାଇଥିବା କୁହାଯାଉଛି । ଯଥାଶୀଘ୍ର ଉକ୍ତ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରାଯାଇପାରେ ।

ଉକ୍ତ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ଜପି ନଡ୍ଡା, ରାଜନାଥ ସିଂହ, ଅମିତ ଶାହ, ଯୋଗୀ ଆଦିତ୍ୟ ନାଥଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ଥିଲେ । ଏହି ଅବସରରେ ବିଭିନ୍ନ ରାଜ୍ୟର ଅଲଗା ଅଲଗା ଆସନକୁ ନେଇ ବିଚାର ବିମର୍ଶ କରାଯାଇଥିଲା । ତେବେ ଏଠାରେ ପ୍ରଶ୍ନ ଉଠୁଛି, ଯେଉଁ ୧୬ଟି ରାଜ୍ୟରୁ ବିଜେପି ୧୦୦ରୁ ଅଧିକ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ କରିଛି ସେହି ସବୁ ରାଜ୍ୟମାନଙ୍କରେ ବିଜେପିରେ ସ୍ଥିତି ଏବେ କିପରି ରହିଛି, ଆଗାମୀ ନିର୍ବାଚନରେ ଦଳ ସେହିସବୁ ଆସନମାନଙ୍କରେ କିପରି ପ୍ରଦର୍ଶନ କରିବ?

ସେହି ୧୬ଟି ରାଜ୍ୟ ମଧ୍ୟରେ ଗୋଆ, ଆସାମ, ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, ଗୁଜରାଟ, ଜମ୍ମୁ କଶ୍ମୀର, ମଧ୍ୟପ୍ରଦେଶ, ତ୍ରିପୁରା, ଉତ୍ତରାଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ, କେରଳ, ରାଜସ୍ଥାନ, ଦିଲ୍ଲୀ, ତେଲେଙ୍ଗାନା ଓ ଚଣ୍ଡିଗଡ଼ ରହିଛି । ଗତ ୨୦୧୯ ନିର୍ବାଚନରେ ବିଜେପି ଏହି ୧୬ଟି ରାଜ୍ୟର ୩୦୧ଟି ଆସନ ମଧ୍ୟରୁ ୨୦୧ଟିରେ ଜିତିଥିଲା । ଆଗାମୀ ନିର୍ବାଚନରେ ବିଜେପି ୩୭୦ଟି ଆସନ ଜିତିବାକୁ ଟାର୍ଗେଟ୍ କରିଥିବା ବେଳେ ଏନଡିଏ ୪୦୦ ପାର୍ କରିବାକୁ ଲକ୍ଷ୍ୟ ରଖିଛି ।

ଗତ ନିର୍ବାଚନରେ ୟୁପିରେ ୮୦ରୁ ୬୪ଟି ସିଟରେ ବିଜେପି ଜିତିଥିବା ବେଳେ ବିରୋଧୀଙ୍କୁ ୧୬ଟି ମିଳିଥିଲା । ଏହା ମଧ୍ୟରେ ଉପନିର୍ବାଚନରେ ବିଜେପି ୨ଟି ଆସନ ବିରୋଧୀଙ୍କ ଠାରୁ ଛଡ଼ାଇ ଆଣିଛି । ଏପରି ଭାବେ ଦଳ ସେଠାରେ କ୍ଲିନ୍ ସ୍ୱିପ୍ କରିବାକୁ ଲକ୍ଷ୍ୟ ରଖିଛି । ଗତ ଥର କେରଳରେ ବିଜେପି ଖାତା ଖୋଲି ପାରିନଥିବା ବେଳେ ଏଥର ପିଏମ୍ ମୋଦୀ ବାରମ୍ବାର ଗସ୍ତ କରୁଛନ୍ତି । ତେଣୁ ସେଠାରେ ୨-୩ଟି ଆସନ ବିଜେପି ଖାତାକୁ ଆସିବାର ସମ୍ଭାବନା ରହିଛି ।

ସେହିପରି ପଶ୍ଚିମବଙ୍ଗରେ ବିଜେପିର ଆସନ ସଂଖ୍ୟା ୧୮ରୁ ବୃଦ୍ଧି ପାଇ ୨୦ରେ ପହଞ୍ଚିବାର ସମ୍ଭାବନା ରହିଛି । ଏଥିସହିତ ତେଲେଙ୍ଗାନା, ଆସାମ, ଛତିଶଗଡ଼ ଓ ଗୋଆରେ ନିଜର ଆସନ ବୃଦ୍ଧି ନେଇ ବିଜେପି ରଣନୀତି ପ୍ରସ୍ତୁତ କରୁଛି । ଏପରି ଭାବେ ବିଭିନ୍ନ ରାଜ୍ୟରେ କିପରି ସିଟ୍ ସଂଖ୍ୟା ବଢ଼ିବ ସେଥିପାଇଁ ଦଳ ଯୋଗ୍ୟ ପ୍ରାର୍ଥୀଙ୍କୁ ଟିକେଟ୍ ଦେବାକୁ ଯୋଜନା କରିଛି । ଚଳିତ ବର୍ଷ ଦଳ ‘ନୋ-ରିପିଟ୍’ ଫର୍ମୂଲା ଲାଗୁ କରିବାର ସମ୍ଭାବନା ଅଧିକ ରହିଛି । ଏପରି ସ୍ଥିତିରେ ୪୦ ପ୍ରତିଶତ ସାଂସଦଙ୍କ ଟିକେଟ କଟିବାର ସମ୍ଭାବନା ରହିଛି । ଅର୍ଥାତ ଦଳର ପାଖାପାଖି ୭୦ ଜଣ ସାଂସଦଙ୍କ ଟିକେଟ୍ କଟିପାରେ ।

ନିକଟରେ ସରକାର ଗଠନ ହୋଇଥିବା କିଛି ରାଜ୍ୟରେ ଦଳ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଦାୟିତ୍ୱ ଦେଇଥିବା ବେଳେ ରାଜ୍ୟସଭା ନିର୍ବାଚନରେ ସମସ୍ତ ରାଜ୍ୟସଭା ସାଂସଦଙ୍କୁ ଟିକେଟ୍ ମିଳିନଥିଲା । ତେଣୁ ଆଗାମୀ ଦିନରେ କିଛି ରାଜ୍ୟସଭା ସାଂସଦ ଲୋକସଭା ନିର୍ବାଚନ ଲଢ଼ିବାର ସମ୍ଭାବନା ଅଧିକ । ସେହିପରି ୧-୨ ଥର ପରାଜିତ ହୋଇଥିବା ପ୍ରାର୍ଥୀଙ୍କୁ ବିଧାୟକ ଓ ସାଂସଦ ଟିକେଟ ମିଳିନପାରେ । ଆବଶ୍ୟକ ପଡ଼ିଲେ ସାଂସଦ ପ୍ରାର୍ଥୀଙ୍କୁ ବିଧାନସଭା ପାଇଁ ଟିକେଟ ଦିଆଯାଇପାରେ । କାହାକୁ କେଉଁଠାରୁ ଟିକେଟ ଦେଲେ ଦଳ ଫାଇଦାରେ ରହିବ ତା’ ଉପରେ ଦଳର କେନ୍ଦ୍ରୀୟ ନେତୃବୃନ୍ଦ ରଣନୀତି ପ୍ରସ୍ତୁତ କରିଥିବା କୁହାଯାଉଛି ।

Get real time updates directly on you device, subscribe now.