fbpx

‘ରାହୁଲଙ୍କ ନୌଟଙ୍କିକୁ ଦେଶର ଜନତା କେବେଠୁ ବନ୍ଦ କରିଦେଇଛନ୍ତି’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନୌଟଙ୍କି କରୁଥିବା ନେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଟୁଇଟ୍ କରିବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ବିଜେପି । ଏହାର ଜବାବରେ ବିଜେପି ପକ୍ଷରୁ କୁହାଯାଇଛି ଯେ ଦେଶର ନାଗରିକଙ୍କ ସହ ମିଶି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ମହାମାରୀ ଭଳି ସଂକଟ ପରିସ୍ଥିତିକୁ ମୁକାବିଲା କରୁଛନ୍ତି । କିନ୍ତୁ ରାହୁଲଙ୍କ ଏଭଳି ‘ନୌଟଙ୍କି’ ମନ୍ତବ୍ୟ ଦେଶର ପ୍ରଧାନମନ୍ତ୍ରୀଙ୍କ ସମେତ ଦେଶର ନାଗରିକଙ୍କୁ ଘୋର ଅସମ୍ମାନ । ତେବେ ଆମେ ଏଭଳି ଅପମାନଜନକ ଶବ୍ଦ ବ୍ୟବହାର କରିବାକୁ ଚାହୁନାହୁଁ, କାରଣ ରାହୁଲଙ୍କ ନୌଟଙ୍କିକୁ ଦେଶବାସୀ କେବେଠାରୁ ବନ୍ଦ କରିଦେଇଛନ୍ତି ବୋଲି ବିଜେପି କଡ଼ା ସମାଲୋଚନା କରିଛି ।

ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକର କହିଛନ୍ତି ଯେ, ପ୍ରଥମେ ତ କଂଗ୍ରେସକୁ ଭାକ୍ସିନ୍ ଉପରେ ଭରସା ନଥିଲା । ଏପରିକି କଂଗ୍ରେସର ଜଣେ ନେତା ଏହାକୁ ‘ମୋଦୀ ଟିକା’ ବୋଲି କହିଥିଲେ । କୋଭାକ୍ସିନକୁ ନେଇ ରାହୁଲ ଲୋକଙ୍କ ମନରେ ଭ୍ରମ ସୃଷ୍ଟି କରୁଥିବାବେଳେ ୨୦୨୪ ପର୍ଯ୍ୟନ୍ତ ଟିକାକରଣ ଚାଲିବ ବୋଲି ମତ ଦେଉଛନ୍ତି । କିନ୍ତୁ ଆମେ କହୁଛୁ ଯେ ଚଳିତ ବର୍ଷ ଶେଷ ସୁଦ୍ଧା ସାରା ଦେଶ ସମ୍ପୂର୍ଣ୍ଣ ଟିକାକରଣ ହୋଇଯିବ । ଏଭଳି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ଜାଭଡ଼େକର । ଏଥିସହ ସେ ଆହୁରି କହିଛନ୍ତି ଯେ ଯଦି ରାହୁଲଙ୍କୁ ଟିକା ପାଇଁ ଚିନ୍ତା ଅଛି, ତେବେ ଶାସନରେ ଥିବା ରାଜ୍ୟଗୁଡ଼ିକୁ ସେ ପ୍ରଥମେ ଧ୍ୟାନ ଦିଅନ୍ତୁ ।

ଅନ୍ୟପକ୍ଷରେ ରାଜସ୍ଥାନରେ ପ୍ରତିଦିନ ଏକ ଦୁଷ୍କର୍ମ ମାମଲା ଆସୁଥିବାବେଳେ ଏକ ଆମ୍ବୁଲାନ୍ସ ମଧ୍ୟ ଏଭଳି ଅଭାବନୀୟ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ସେହିପରି ଜଣେ ମହିଳା ସାଂସଦଙ୍କୁ କଂଗ୍ରେସ କାର୍ଯ୍ୟକର୍ତ୍ତା ଆକ୍ରମଣ କରିଥିବା ମଧ୍ୟ ସାମ୍ନାକୁ ଆସିଛି । ଏଭଳି ସ୍ଥଳେ ରାହୁଲ ଦେଶବାସୀଙ୍କୁ ଉପଦେଶ ଦେବା ପରିବର୍ତ୍ତେ ନିଜ ଦଳ ଦ୍ୱାରା ଶାସିତଗୁଡ଼ିକୁ ଅଧିକ ଧ୍ୟାନ ଦିଅନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ଜାଭଡ଼େକର କହିଛନ୍ତି ।

Get real time updates directly on you device, subscribe now.