fbpx

ଶିମିଳିପାଳରେ ହେବ କଳାବାଘ ସଫାରୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୂଚନା

ଓଡିଶା ଭାସ୍କର: ଏଣିକି ସଫାରୀରେ ଯୋଗେ ବିରଳ ବାଘ ଦେଖିବେ ପର୍ଯ୍ୟଟକ। କାରଣ ଶିମିଳିପାଳରେ ହେବ କଳା ବାଘ(ମେଲାନିଷ୍ଟିକ) ସଫାରୀ। ଏନେଇ ଆଜି ଘୋଷଣା ହୋଇଥିବା ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋସିଆଲ ମିଡ଼ିଆ ଏକ୍ସ ଜରିଆରେ ଏହାର ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପରିସରରେ କଳା ବାଘ ସଫାରୀ କରାଯିବ। ପର୍ଯ୍ୟଟକ ଓ ଦର୍ଶକମାନେ ଏହି ବିରଳ ପ୍ରଜାତିର ବାଘମାନଙ୍କୁ ଦେଖିବାର ସୁଯୋଗ ପାଇପାରିବେ।

ତେବେ ଅକ୍ଟୋବରରୁ ଏହି କଳା ବାଘ ସଫାରୀ ହେବ ବୋଲି ଓଡ଼ିଶା ମୁଖ୍ୟ ବନ ସଂରକ୍ଷଣ ଅଧିକାରୀ(ନୋଡାଲ) ସୁଶାନ୍ତ ନନ୍ଦଙ୍କ ପକ୍ଷରୁ ସୂଚନା ମିଳିଛି। କଳା ବାଘ ସଫାରୀ ଲାଗି NTCA ଅନୁମତି ଦେଇଛି ବୋଲି ସେ କହିଛନ୍ତି। ତେବେ ଅଭୟାରଣ୍ୟ ଠାରୁ ୧୬ କିଲୋମିଟର ଦୂରରେ ୨୦୦ ହେକ୍ଟର ଜମିରେ ଏହି ସଫାରୀ ହେବ। ୨୦୦ ହେକ୍ଟରରୁ ୧୦୦ ହେକ୍ଟରରେ ବାଘଙ୍କ ରହଣି ସ୍ଥଳ ହେବ। ଏହା ସହ ବାକି ୧୦୦ ହେକ୍ଟରରେ ପାର୍କିଂ ଓ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା ହେବବୋଲି ଜଣାପଡିଛି।

ସୂଚନା ଥାଉକି, ଗତ ନଭେମ୍ବର ମାସରେ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାଘ୍ର ଗଣନା ପାଇଁ ଓଡ଼ିଶାର ବିଭିନ୍ନ ଜଙ୍ଗଲରେ କ୍ୟାମେରା ଖଞ୍ଜା ଯାଇଥିଲା। ଏହି ସମୟରେ କ୍ୟାମେରା ଟ୍ରାପ୍‌ରେ କଳା ରଙ୍ଗର ବିରଳ ବାଘ ଦେଖିବାକୁ ମିଳିଥିଲା। ଏହାକୁ ନେଇ ଓଡ଼ିଶା ମୁଖ୍ୟ ବନ ସଂରକ୍ଷଣ ଅଧିକାରୀ(ନୋଡାଲ) ସୁଶାନ୍ତ ନନ୍ଦ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ସୂଚନା ଦେଇଥିଲେ। କିନ୍ତୁ ସେ କେଉଁ ଜଙ୍ଗଲ ଓ କେଉଁ ଜିଲ୍ଲାରେ ଏଭଳି ବିରଳ ପ୍ରଜାତିର ବାଘ ଦେଖିବାକୁ ମିଳିଛି ସେନେଇ କୌଣସି ସ୍ପଷ୍ଟ କରି ନଥିଲେ। ଏହା ପରେ ବିରଳ ସେହି ବିରଳ କଳା ବାଘକୁ ନେଇ ଅନେକ ଚର୍ଚ୍ଚା ଦେଖିବାକୁ ମିଳିଥିଲା। ତେବେ ଓଡ଼ିଶାରେ କଲରା ପତରିଆ ବାଘର ଉପସ୍ଥିତି ଏକ ଅପ୍ରତ୍ୟାଶିତ ଘଟଣା ବୋଲି ବନ ବିଶେଷଜ୍ଞମାନେ କହୁଥିଲେ। ତେଣୁ ଏହାକୁ ଗୁରୁତ୍ୱ ଦେଇ ଶିମିଳିପାଳରେ କଳା ବାଘ ସଫାରୀ କରିବା ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଥିବା କୁହାଯାଉଛି।

 

Get real time updates directly on you device, subscribe now.