fbpx

ବ୍ଲୁମବର୍ଗ ଗ୍ଲୋବାଲ ମେୟର୍ସ ଚାଲେଞ୍ଜ-୨୦୨୧: ବିଶ୍ୱର ୧୫ ସହର ମଧ୍ୟରେ ରାଉରକେଲା

ରାଉରକେଲା/ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ‘ବ୍ଲୁମବର୍ଗ୨୦୨୧ ଗ୍ଲୋବାଲ ମେୟର୍ସ ଚାଲେଞ୍ଜ’ ପ୍ରତିଯୋଗିତାରେ ରାଉରକେଲା ବିଶ୍ୱର ୧୫ଟି ସହର ଭିତରେ ସ୍ଥାନ ପାଇଛି । ଏହି ଅନ୍ତର୍ଜାତୀୟ ମାନ୍ୟତା ପାଇବାରେ ରାଉରକେଲା ହେଉଛି ଭାରତର ଏକମାତ୍ର ସହର । ଏହି ବିଶେଷ ସଫଳତା ସହ ରାଉରକେଲାକୁ ବ୍ଲୁମବଗ ଫିଲାନଥ୍ରପିକ୍‌ ସଂସ୍ଥା ପକ୍ଷରୁ ୧ ନିୟୁତ ଆମେରିକୀୟ ଡଲାର ପୁରସ୍କାର ସହିତ ଆସନ୍ତା ୩ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ବୈଷୟିକ ସହାୟତା ଓ ପରାମର୍ଶ ଯୋଗାଇ ଦିଆଯିବ । ଏହି ପ୍ରତିଯୋଗିତାରେ ସାମିଲ ହୋଇ ରାଉରକେଲା ମହାନଗର ନିଗମ ପକ୍ଷରୁ ଏକ ବିଶେଷ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ରାଉରକେଲା ସହରର ଛେଣ୍ଡ୍‌ ଠାରେ ଏକ ୫ ଟନ୍‌ କ୍ଷମତା ବିଶିଷ୍ଟ ଶୀତଳଭଣ୍ଡାର ସ୍ଥାପନ କରାଯାଇଛି । ଏହା କାର୍ଯ୍ୟକ୍ଷମ ହେବା ଫଳରେ ସହରର ଛୋଟ ଛୋଟ ଚାଷୀ, ପନିପରିବା ତଥା ଫଳ ବ୍ୟବସାୟୀମାନେ ନିଜର ସାମଗ୍ରୀ ସେଠାରେ ସଂରକ୍ଷଣ କରିପାରୁଛନ୍ତି । ଏହି ଶୀତଳଭଣ୍ଡାରକୁ ପରିଚାଳନା କରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ମଧ୍ୟ ସେମାନଙ୍କ ଜୀବିକା କରିପାରିଛନ୍ତି । ଏଥିସହିତ ସହରବାସୀଙ୍କ ଦୁଆର ମୁହଁରେ ତାଜା ଫଳ ଓ ପନିପରିବା ପହଞ୍ଚିପାରୁଛି । ଏହି ପ୍ରକଳ୍ପରେ ଟେକ୍ନୋଲୋଜିର ବ୍ୟାପକ ବ୍ୟବହାର କରି ଏହାକୁ ଦୀର୍ଘସ୍ଥାୟୀ ତଥା ସଫଳ କରାଯାଇପାରିଛି ।

ଏହି ବିଶ୍ୱସ୍ତରୀୟ ସଫଳତା ପାଇଁ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଏବଂ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ର ନିଗମର କର୍ମକର୍ତ୍ତା ଏବଂ ପ୍ରକଳ୍ପ ସହ ସଂପୃକ୍ତ ସମସ୍ତ ଅଂଶୀଦାର ଓ ରାଉରକେଲାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ବ୍ଲୁମବର୍ଗ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜରେ ଭାଗନେଇ ରାଉରକେଲା ବିଶ୍ୱର ପ୍ରମୁଖ ୧୫ଟି ସହର ଭିତରେ ସ୍ଥାନ ପାଇବା ଆମ ସୁନ୍ଦରଗଡ଼ ଜିଲ୍ଲା ପାଇଁ ଗର୍ବର ବିଷୟ ବୋଲି ସେ କହିଛନ୍ତି । ‘ବ୍ଲୁମବର୍ଗ-୨୦୨୧ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ’ରେ ମୋଟ ୯୯ଟି ଦେଶ ଭାଗ ନେଇଥିଲେ । କୋଭିଡ୍‌ ମହାମାରୀ ଭଳି ଏକ ଜଟିଳ ସମୟରେ ଅର୍ଥନୈତିକ ପୁନରୁଦ୍ଧାର ଏବଂ ସାମଗ୍ରିକ ଅଭିବୃଦ୍ଧି, ସ୍ୱାସ୍ଥ୍ୟ ଏବଂ ଜନକଲ୍ୟାଣ, ଜଳବାୟୁ ଓ ପରିବେଶ ତଥା ଉତମ ଶାସନ ଓ ସମାନତା ଆଦି ବିଷୟକୁ ଆଧାରକରି ଆସିଥିବା ୬୩୦ଟି ପ୍ରସ୍ତାବକୁ ନେଇ ଏହି ପ୍ରତିଯୋଗିତା କରାଯାଇଥିଲା । ସେଥିମଧ୍ୟରୁ ଅଭିନବ ତଥା ଉଭାବନଶୀଳ ପ୍ରକଳ୍ପ ପ୍ରସ୍ତାବ ଲାଗି ପ୍ରଥମ ଦଫାରେ ରାଉରକେଲା ସହିତ ୫୦ଟି ସହର ମନୋନୀତ ହୋଇଥିଲେ । ଆଜି ଚୂଡ଼ାନ୍ତ ପର୍ଯ୍ୟାୟରେ ରାଉରକେଲା ବିଶ୍ୱର ୧୫ଟି ପ୍ରମୁଖ ସହର ମଧ୍ୟରେ ସ୍ଥାନ ପାଇ ଏକ ନୂଆ ଉଚ୍ଚତାକୁ ଯାଇ ପାରିଛି ।

Get real time updates directly on you device, subscribe now.