ନୂଆଦିଲ୍ଲୀ: ଚଳଚ୍ଚିତ୍ର ଜଗତରୁ ଆସିଛି ଏକ ଦୁଃଖଦ ଖବର । ସଲମାନ ଖାନଙ୍କ ‘ବଡିଗାର୍ଡ’ ଫିଲ୍ମରେ ନିର୍ଦ୍ଦେଶନା ଦେଇଥିବା ନିର୍ଦ୍ଦେଶକ ସିଦ୍ଦିକୀ ଇସ୍ମାଲଙ୍କର ପରଲୋକ ଘଟିଛି । ୬୩ ବର୍ଷ ବୟସରେ ସିଦ୍ଦିକୀ ଅନ୍ତିମ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଗତ କିଛିଦିନ ଧରି ସିଦ୍ଦିକୀ ନିମୋନିଆ ଓ ଲିଭର ଜନିତ ବୀମାରୀରେ ସଂଘର୍ଷ କରୁଥିଲେ । ତାଙ୍କର ଅଚାନକ ମୃତ୍ୟୁରେ ବଲିଉଡ ସହ ଜଡ଼ିତ ଅନେକ କଳାକାର, ଟେକ୍ନିସିଆନ ଶୋକ ପ୍ରକାଶ କରିଛନ୍ତି ।
ସିଦ୍ଦିକୀଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ କୋଚି ସ୍ଥିତ ଅମୃତା ହସ୍ପିଟାଲରେ ଆଡମିଟ୍ କରାଯାଇଥିଲା । ମାତ୍ର ସେଠାରେ ତାଙ୍କୁ ହାର୍ଟଆଟାକ ଆସିଥିଲା ଓ ଏହାପରେ ସେ ଚିରଦିନ ପାଇଁ ଶୋଇଯାଇଥିଲେ । ସିଦ୍ଦିକୀ ମାଲୟାଲମ୍ ଇଣ୍ଡଷ୍ଟ୍ରିର ଜଣେ ଜଣୁଶୁଣା ନିର୍ଦ୍ଦେଶକ ଥିଲେ । ନିମୋନିଆ ଓ ଯକୃତ ଜନିତ ରୋଗ କାରଣରୁ ଗତ କିଛିଦିନ ହେଲା କ୍ଷଗ୍ଧ ଅସୁସ୍ଥ ଥିଲେ । ତାଙ୍କର ଦେହ ଖରାପ ହେବାରୁ ତାଙ୍କୁ କୋଚିର ଅମୃତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ଚିକିତ୍ସା ସମୟରେ ତାଙ୍କୁ ଏକ୍ସଟ୍ରା କର୍ପୋରିୟଲ ମେମ୍ବ୍ରମ ଅକ୍ସିଜେନେସନ (ଏକମୋ) ସପୋର୍ଟରେ ରଖାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କୁ ହାର୍ଟଆଟାକ ଆସିଥିଲା ଓ ଏହାପରେ ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କର ଜୀବନ ବଞ୍ଚାଇବା ପାଇଁ ଡାକ୍ତରମାନେ ବହୁ ପ୍ରୟାସ କରିଥିଲେ ମଧ୍ୟ ତାହା ବିଫଳ ହୋଇଥିଲା । ସିଦ୍ଦିକୀ ୧୯୮୯ରେ ମାଲୟାଲମ୍ ଫିଲ୍ମ ‘ରାମଜୀ ରାଓ ସ୍ପିକିଂ’ରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ସେ ‘ହରିହର ନଗର’, ‘ଗଡଫାଦର’, ‘କାବୁଲିବାଲା’, ‘ବିୟତନାମ କଲୋନୀ’ ‘ହିଟଲର’ ପରି ଅନେକ ହିଟ୍ ଫିଲ୍ମ ଦେଇଥିଲେ । ତାଙ୍କର ଶେଷ ଫିଲ୍ମ ‘ବିଗ ବ୍ରଦର’ ବକ୍ସ ଅଫିସରେ ହିଟ୍ ହୋଇଥିଲା । ଏହି ଫିଲ୍ମରେ ସୁପରଷ୍ଟାର ମୋହନଲାଲ ଓ ଅରବାଜ ଖାନ ଲିଡ ରୋଲରେ ଆସିଥିଲେ । ୨୦୧୧ରେ ଆସିଥିବା ସଲମାନଙ୍କ ‘ବଡିଗାର୍ଡ’ ଫିଲ୍ମ ମାଧ୍ୟମରେ ସେ ବଡ଼ ପରଦାରେ ନିଜର ଛାପ ଛାଡ଼ି ଯାଇଛନ୍ତି ।