ଏଫ୍‌ଏନ୍‌ ସୁଜା ଓ ଆକବର ପଦାମ୍‌ସୀଙ୍କ କଳାକୃତି ଜବତ ମାମଲା; ରିଲିଜ୍ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

ମୁମ୍ୱାଇ: ପ୍ରସିଦ୍ଧ କଳାକାର ଏଫ୍ ଏନ୍ ସୁଜା ଓ ଆକବର ପଦାମ୍‌ସୀଙ୍କ ଜବତ ହୋଇଥିବା ୭ଟି ‘ନଗ୍ନ’ କଳାକୃତିକୁ ତୁରନ୍ତ ମୁକ୍ତ କରିବାକୁ ବମ୍ବେ ହାଇକୋର୍ଟ କଷ୍ଟମ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୪ ଜୁଲାଇ ପହିଲାରେ ସହକାରୀ ସୀମା ଶୁଳ୍କ କମିଶନର (ଏସିସି) କଳାକୃତିଗୁଡ଼ିକୁ ‘ଅଶ୍ଳୀଳ ସାମଗ୍ରୀ’ ବର୍ଗରେ ଲେବଲ୍ କରି ଜବତ କରିବା ସହ ଆମଦାନୀ ପାଇଁ ନିଷେଧ କରିଥିବା ବିଭାଗର ଆଦେଶକୁ ହାଇକୋର୍ଟ ରଦ୍ଦ କରି ଦେଇଛନ୍ତି।

ଗତ ଅକ୍ଟୋବର ୨୧ ତାରିଖରେ ଜଷ୍ଟିସ୍ ମହେଶ ଏସ୍ ସୋନକ ଓ ଜଷ୍ଟିସ୍ ଜିତେନ୍ଦ୍ର ଏସ୍ ଜୈନଙ୍କୁ ନେଇ ଗଠିତ ଖଣ୍ଡପୀଠ ମୁମ୍ବାଇର ବ୍ୟବସାୟୀ ତଥା କଳା ସଂଗ୍ରହକାରୀ ମୁସ୍ତାଫା କରାଚିୱାଲାଙ୍କ ମାଲିକାନାରେ ଥିବା ବିକେ ପୋଲିମେକ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ର ଆବେଦନର ଶୁଣାଣି କରି ୨୦୨୩ରେ ଜବତ ହୋଇଥିବା କଳାକୃତିଗୁଡ଼ିକୁ ନଷ୍ଟ କରିବା ଉପରେ କର୍ତ୍ତୃପକ୍ଷଙ୍କୁ ରୋକ୍ ଲଗାଇଥିଲେ।

ଏହି ସାମଗ୍ରୀରେ ସୁଜାଙ୍କ ୪ଟି ନ୍ୟୁଡ୍ ଚିତ୍ରର ଫୋଲିଓ ସମେତ ୭ଟି କଳାକୃତି ରହିଥିବା ବେଳେ ସେଥିମଧ୍ୟରୁ ଗୋଟିଏର ଶୀର୍ଷକ ଥିଲା ‘ଲଭର୍ସ’। ଏଥିରେ ପଦାମ୍‌ସୀଙ୍କ ଅନ୍ୟ ୩ଟି ଲେଖା, ‘ନ୍ୟୁଡ୍’ ଶୀର୍ଷକ ଗୋଟିଏ ଚିତ୍ର ଓ ଦୁଇଟି ଫଟୋ ରହିଛି। ୨୦୨୨ରେ ଲଣ୍ଡନର ରୋଜବେରିସ ଏବଂ ସ୍କଟଲାଣ୍ଡର ଲିଓନ୍ ଆଣ୍ଡ ଟର୍ଣ୍ଣବୁଲ୍ ନିଲାମ ଗୃହରେ ପଦାମ୍‌ସୀଙ୍କ ୩ଟି ଏବଂ ସୁଜାଙ୍କ ୪ଟି ନଗ୍ନ କଳାକୃତି କିଣାଯାଇଥିଲା।

ଆବେଦନକାରୀ ସଂସ୍ଥା ଆଇନଜୀବୀ ଶ୍ରେୟସ ଶ୍ରୀବାସ୍ତବ, ସୌରଭ ଶ୍ରୀବାସ୍ତବ ଓ ଶ୍ରଦ୍ଧା ସ୍ୱରୂପଙ୍କ ଜରିଆରେ କଳାକୃତି ଜବତ କରିବା ସହ ୫୦ ହଜାର ଟଙ୍କା ଜରିମାନା ଆଦାୟ କରିବାକୁ ମନମୁଖୀ ଓ ବେଆଇନ ବୋଲି କହିଛନ୍ତି। “ଆମେ ସନ୍ତୁଷ୍ଟ ଯେ ଏସିସିର ଆଦେଶ ବିକୃତି ଏବଂ ଅଯୌକ୍ତିକତାରେ ପୀଡ଼ିତ। ତାଙ୍କ ଅଶ୍ଳୀଳତାର ଧାରଣାରେ ସମ୍ପୂର୍ଣ୍ଣ ଭାବରେ ଆକର୍ଷିତ ଏସିସି ପଦମ୍‌ସୀ ଏବଂ ସୁଜାଙ୍କ କଳାକୃତିକୁ ଜବତ କରିଛି ଏବଂ ସମ୍ଭବତଃ ନଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଛି।”

ନଗ୍ନତା କିମ୍ବା ଯୌନ ସମ୍ପର୍କକୁ ଦର୍ଶାଉଥିବା କୌଣସି କଳାକୃତି ସ୍ୱାଭାବିକ ଭାବେ ଅଶ୍ଳୀଳ ବୋଲି ତାଙ୍କ ବିଶ୍ୱାସ ଉପରେ ଏସିସି ନିର୍ଭର କରୁଛି ବୋଲି ଖଣ୍ଡପୀଠ କହିଛନ୍ତି। ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ ଏସିସି କଳାକାରମାନଙ୍କର ପ୍ରାଧାନ୍ୟ ଏବଂ ଦକ୍ଷତାକୁ ଅଣଦେଖା କରିଛି ଏବଂ ଅନେକ କଳା ବିଶେଷଜ୍ଞ ଏବଂ ନ୍ୟାୟିକ ଉଦାହରଣ ଏହି କୃତିଗୁଡ଼ିକୁ ଅଶ୍ଳୀଳତା ନୁହେଁ ବରଂ ଗୁରୁତ୍ୱପୂର୍ଣ୍ଣ କଳାକୃତି ଭାବରେ ସ୍ୱୀକୃତି ଦେଇଛନ୍ତି।