fbpx

ରାଜ୍ୟର ୩୦ଟି ଜିଲ୍ଲାର ବୋରୱେଲ ପାଣି ଦୂଷିତ: ପିଇଲେ ବ୍ୟାପୁଛି ଶ୍ୱାସ, ପେଟ, ଚର୍ମ, କିଡନୀ ଓ ଆଖି ଜନିତ ରୋଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପିଇବା ପାଣିକୁ ନେଇ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ । ରାଜଧାନୀ ଭୁବନେଶ୍ୱର ସହ ରାଜ୍ୟର ୩୦ଟି ଜିଲ୍ଲାର ଅଧିକାଂଶ ସ୍ଥାନରେ ବୋରୱେଲ ପାଣି ଦୂଷିତ ହୋଇଯାଇଛି । ଏହି ପାଣି ସେବନ ଦ୍ୱାରା ପେଟ ରୋଗ, କିଡନୀ, ଚର୍ମରୋଗ ବ୍ୟାପୁଛି । ରାଜଧାନୀର ୟୁନିଟ-୬ର କ୍ୟାପିଟାଲ ହସ୍ପିଟାଲ ଏରିଆ, ଖଣ୍ଡଗିରି, ଚନ୍ଦ୍ରଶେଖରପୁର, ଲକ୍ଷ୍ମୀସାଗର, କଳ୍ପନା ଆଦି ଅଞ୍ଚଳର ପାଣି ସବୁଠାରୁ ପ୍ରଦୂଷିତ ଅଟେ । ରାଜ୍ୟ ପ୍ରଦୂଷଣ ବୋର୍ଡ ପକ୍ଷରୁ ନଗର ଉନ୍ନୟନ ବିଭାଗ, ପଞ୍ଚାୟତିରା ଓ ପାନୀୟ ଜଳ ବିଭାଗ, ଜଳସମ୍ପଦ ବିଭାଗକୁ ଦିଆଯାଇଥିବା ରିପୋର୍ଟରୁ ଏଭଳି ଭୟଙ୍କର ଖୁଲାସା ହୋଇଛି ।

ତେବେ ଗତ ୨୦୨୧ ମସିହା ଏପ୍ରିଲରୁ ଅକ୍ଟୋବର ମଧ୍ୟରେ ପ୍ରଦୂଷଣ ବୋର୍ଡ ପକ୍ଷରୁ ଉକ୍ତ ସର୍ଭେ ହୋଇଥିଲା । ପାଣିରେ ନାଇଟ୍ରେଟ୍, ଫ୍ଲୋରାଇଡ, ଆଇରନ, ଟୋଟାଲ କଲିଫର୍ମ, ଫେସାଲ କଲିଫର୍ମ, କ୍ଲୋରାଇଡ, କେତେମାତ୍ରାରେ ରହିଛି ତାହା ରିପୋର୍ଟରୁ ଜଣାପଡ଼ିଛି । ତେବେ ଦୂଷିତ ଜଳ ବିଶୋଧନ ପାଇଁ ଉପଯୁକ୍ତ ବ୍ୟବସ୍ଥାର ଅଭାବ ହେତୁ ଭୂତଳ ଜଳ ପ୍ରଦୂଷିତ ହେଉଥିବା ଜଣାପଡ଼ିଛି ।

ତେବେ ଜଳରେ ଅଧିକ ମାତ୍ରାରେ ନାଇଟ୍ରୋଜେନ ରହିବା କାରଣରୁ ତାହା ଲୋକଙ୍କ ଶ୍ୱାସକ୍ରିୟା ଓ ଦୃଷ୍ଟିଶକ୍ତି ଉପରେ ଅଧିକ ପ୍ରଭାବ ପକାଉଛି । ଜଳରେ କ୍ଲୋରାଇଡର ମାତ୍ରା ଅଧିକ ରହିଥିବାରୁ ତାହା କିଡନୀ ଷ୍ଟୋନ ଜନିତ ରୋଗ ବୃଦ୍ଧି କରାଉଛି । ରାଜ୍ୟର ଅଧିକାଂଶ ସ୍ଥାନର ଜଳରେ ସିସା, ପାରଦ, କ୍ୟାମିୟମ୍ ରହିଛି । ଏହାଦ୍ୱାର ଲୋକଙ୍କର ଖାଇବା ଶକ୍ତି ଓ ହଜମ ଶକ୍ତି ହ୍ରାସ ପାଇବା ସହ ହାଲିଆ ଲାଗିବା, ମୁଣ୍ଡ ବିନ୍ଧା ଆଦି ରୋଗ ଦେଖାଯାଉଛି । ସରକାର ଏନେଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଲକ୍ଷ ଲକ୍ଷ ଜନସାଧାରଣଙ୍କ ଜୀବନ ବଞ୍ଚି ଯାଆନ୍ତା ।

Get real time updates directly on you device, subscribe now.