ବ୍ରାଜିଲରେ ୩ ଦିନରେ ତୃତୀୟ ବଡ଼ ଦୁର୍ଘଟଣା, ଭୁଶୁଡିପଡ଼ିଲା ୨ ରାଜ୍ୟକୁ ସଂଯୋଗ କରୁଥିବା ବ୍ରିଜ୍: ଦୁଇ ମୃତ, ଡଜନେ ନିଖୋଜ
ବ୍ରାଜିଲର ଦୁଇଟି ଉତ୍ତର ରାଜ୍ୟକୁ ସଂଯୋଗ କରୁଥିବା ଏକ ବ୍ରିଜ ଭୁଶୁଡ଼ିବା ପରେ ଅତିକମରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଏକ ଡଜନ ଲୋକ ନିଖୋଜ ଅଛନ୍ତି । ସୋମବାର ପୋଲିସ ଏହି ସୂଚନା ଦେଇଛି । ସଲଫୁରିକ୍ ଏସିଡ୍ ଲିକ୍ ହେତୁ ଉଦ୍ଧାର କାର୍ଯ୍ୟ ଜଟିଳ ହୋଇଛି । ସ୍ଥାନୀୟ ବାସିନ୍ଦାଙ୍କ ଫୁଟେଜରୁ ଜଣାପଡିଛି ଯେ ରବିବାର ଦିନ କାର ଏବଂ ଟ୍ରକ୍ ‘ଜୁସେଲିନୋ କୁବିଟେକ୍ ଡି ଅଲିଭାଇରା’ ବ୍ରିଜ ପାର ହେଉଥିବା ବେଳେ ବ୍ରିଜର ଏକ ବଡ଼ ଅଂଶ ନଦୀରେ ପଡିଯାଇଥିଲା ।
ଉତ୍ତର ରାଜ୍ୟର ମାରାନହାଓ ଏବଂ ଟୋକାଣ୍ଟିନ୍ସ ସୀମାରେ କାର୍ଯ୍ୟ କରୁଥିବା ପୋଲିସ କହିଛି ଯେ, ଚାରିଟି ଟ୍ରକ, ଦୁଇଟି କାର ଏବଂ ଦୁଇଟି ମୋଟରସାଇକେଲ ସମେତ ଆଠଟି ଗାଡି ନିଖୋଜ ଅଛି । ପୋଲିସ ଏବଂ ବ୍ରାଜିଲର ସଡକ ବିଭାଗ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା କହିଛନ୍ତି ।
ବିମାନ ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି :-
ବ୍ରାଜିଲର ପର୍ଯ୍ୟଟକଙ୍କ ମଧ୍ୟରେ ଲୋକପ୍ରିୟ ଗ୍ରାମାଡୋ ସହରରେ ରବିବାର ଦିନ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ୧୦ ଜଣ ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କ ମୃତ୍ୟୁ ଘଟିଛି । ବ୍ରାଜିଲର ନାଗରିକ ସୁରକ୍ଷା ଏଜେନ୍ସି ଟ୍ୱିଟରରେ ଏକ ପୋଷ୍ଟରେ କହିଛି ଯେ ବିମାନଟି ପ୍ରଥମେ ଘରର ଚିମିନିକୁ ଧକ୍କା ଦେଇଥିଲା, ପରେ କୋଠାର ଦ୍ୱିତୀୟ ମହଲାକୁ ଧକ୍କା ଦେଇ ଗ୍ରାମାଡୋର ଏକ ମୁଖ୍ୟ ଆବାସିକ ଅଞ୍ଚଳରେ ମୋବାଇଲ୍ ଫୋନ୍ ଦୋକାନରେ ଖସିପଡିଥିଲା । ତଳେ ଥିବା ୧ କି ୨ ଡଜନ ଲୋକ ଆହତ ହୋଇଥିଲେ ଓ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି ।
ସଡ଼କ ଦୁର୍ଘଟଣାରେ ୪୧ ଜଣଙ୍କର ମୃତ୍ୟୁ ହୋଇଛି :-
ଶନିବାର ଦିନ ବ୍ରାଜିଲର ଦକ୍ଷିଣ-ପୂର୍ବରେ ଯାତ୍ରୀ ଭରପୂର ଏକ ବସ୍ କୁ ଟ୍ରକ୍ ଧକ୍କା ଦେଇଥିଲା । ଦକ୍ଷିଣ-ପୂର୍ବ ବ୍ରାଜିଲର ମିନାସ୍ ଜେରାଇସ୍ ରାଜ୍ୟର ଏକ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୨୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି । ଏହା ପରେ ମୃତ୍ୟୁ ସଂଖ୍ୟା ୩୦, ତାପରେ ୩୮ ଏବଂ ପରେ ୪୧ କୁ ବୃଦ୍ଧି ପାଇଲା ।