fbpx

ସକାଳେ ଚା’, ବ୍ରେଡ୍‌…, ରାମାୟଣ ଓ ଗୀତା ପାଠ..; ତିହାରରେ ଏପରି କଟିବ କେଜ୍ରିୱାଲଙ୍କ ଦିନ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ମାମଲା ସହ ଜଡିତ ମନି ଲଣ୍ଡ୍ରିଂ କେସ୍‌ରେ ଫସିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କୋର୍ଟରୁ କୌଣସି ପ୍ରକାର ଆଶ୍ୱସ୍ତି ମିଳିଲା ନାହିଁ । ରାଉଜ୍ ଆଭେନ୍ୟୁ କୋର୍ଟ ଏବେ ତାଙ୍କୁ ୧୫ ଏପ୍ରିଲ୍ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ଏହାପରେ କୋର୍ଟରୁ ସିଧା ତାଙ୍କୁ ତିହାର ଜେଲ୍‌କୁ ନିଆଯାଇଛି । ମିଳିଥିବା ସୂଚନା ଅନୁସାରେ ତିହାର ଜେଲ୍‌ରେ ଅରବିନ୍ଦ କେଜ୍ରିୱାଲଙ୍କୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

କେଜ୍ରିୱାଲଙ୍କୁ ତିହାର ଜେଲ୍‌ର ବାରାକ୍ ନଂ ୫ କିମ୍ବା ୨ରେ ରଖାଯିବ । ଏବେ କିଛି ଦିନ ପୂର୍ବରୁ ଆପ୍ ନେତା ସଞ୍ଜୟ ସିଂହଙ୍କୁ ୨ ନଂ ଜେଲ୍‌ରୁ ୫ ନଂ ଜେଲ୍‌କୁ ସିଫ୍ଟ କରାଯାଇଥିଲା । ମନୀଷ ସିସୋଦିଆଙ୍କୁ ଜେଲ୍ ନଂ ୧ରେ ରଖାଯାଇଛି । ଜେଲ୍ ନଂ ୨ରେ ଅଧିକାଂଶ ଦୋଷୀ ସାବ୍ୟସ୍ତ କଏଦୀଙ୍କୁ ରଖାଯାଏ । ଜେଲ୍ ନଂ ୫ରେ ୧୮ରୁ ୨୦ ବର୍ଷ ମଧ୍ୟରେ ବିଚାରଧୀନ କଏଦୀଙ୍କୁ ରଖାଯାଏ ।

ତେବେ କେଜ୍ରିୱାଲଙ୍କ ଓକିଲ କୋର୍ଟରେ ତାଙ୍କ ପାଇଁ ୩ଗୋଟି ପୁସ୍ତକ ପଢିବାକୁ ଅନୁମତି ଦେବାକୁ ଆବେଦନ କରିଛନ୍ତି । ଏହି ପୁସ୍ତକ ମଧ୍ୟରେ ଭାଗବତ ଗୀତା, ରାମାୟଣ ଓ ନୀରଜ ଚୌଧୁରୀଙ୍କ ଦ୍ୱାରା ଲିଖିତ ‘ହାଓ ପ୍ରାଇମ୍ ମିନିଷ୍ଟର ଡିସାଇଡ୍‌’ ସାମିଲ ରହିଛି ।

ଜେଲ୍‌ରେ କେଜ୍ରିୱାଲଙ୍କ ଦିନଚର୍ଯ୍ୟା ଏପରି ରହିବ । ସକାଳେ କଏଦୀଙ୍କ ସେଲ୍ ଓ ବାରକ୍ ଖୋଲି ଦିଆଯାଇଥାଏ । ସକାଳ ଜଳଖିଆ ପ୍ରାୟ ୬ଟା ୩୦ମି.ରେ ଦିଆଯାଏ ଓ ଏଥିରେ ଚା’ ଓ ବ୍ରେଡ୍ ଦିଆଯାଏ । ଗାଧୋଇବା ପରେ ସେମାନଙ୍କୁ ସାକ୍ଷାତ ପାଇଁ ସମୟ ଦିଆଯାଏ । ସକାଳ ୧୦ଟା ୩୦ରୁ ୧୧ଟା ମଧ୍ୟରେ ଡାଲି, ପରିବା ତରକାରୀ, ୫ ରୁଟି ଦିଆଯାଏ । ଯେଉଁମାନେ ରୁଟି ବଦଳରେ ଭାତ ଖାଇବାକୁ ଚାହାନ୍ତି ସେମାନଙ୍‌କୁ ଭାତ ଦିଆଯାଏ । ଏହାପରେ ଦିନ ୧୨ଟାରୁ ୩ଟା ପର୍ଯ୍ୟନ୍ତ କୋଠରୀ ବନ୍ଦ କରି ଦିଆଯାଏ ।ପୁଣି ୩ଟାରେ ସେମାନଙ୍‌କୁ ଖୋଲା ଯାଇ ବିସ୍କୁଟ ଦିଆଯାଏ । ଏହାପରେ ସନ୍ଧ୍ୟା ୫ଟା ୩୦ରେ ରାତିର ଖାଦ୍ୟ ଦିଆଯାଏ । ଏହାପରେ ସନ୍ଧ୍ୟା ୬ କିମ୍ବା ୭ରେ ସୂର୍ଯ୍ୟାସ୍ତ ପରେ ସମସ୍ତ କଏଦୀଙ୍କୁ କୋଠରୀରେ ବନ୍ଦ କରି ଦିଆଯାଏ । ସେଲ୍‌ରେ ଟିଭି ଦେଖିବାର ବ୍ୟବସ୍ଥା ବି ରହିଛି ।

Get real time updates directly on you device, subscribe now.