ଭୁବନେଶ୍ୱର- ଭରତପୁର ଥାନାରେ ମେଜର ବାନ୍ଧବୀ ମାମଲାର ତଦନ୍ତ କରିବାକୁ ପହଞ୍ଚିଛନ୍ତି ଜଷ୍ଟିସ ଚିତ୍ତରଞ୍ଜନ ଦାଶ । ଥାନାରେ ପୋଲିସର ଦୁର୍ବ୍ୟବହାର ଓ ମାଡ ଘଟଣାର ତଦନ୍ତ କରିବେ ଜଷ୍ଟିସ୍ । ଏଥିସହ ଥାନାରେ ବାନ୍ଧବୀଙ୍କ ସହ ପହଞ୍ଚିଛନ୍ତି ମେଜର । ମେଜର ଆଜି ୟୁନିଫର୍ମରେ ଥାନାକୁ ଆସିଛନ୍ତି । ଜଷ୍ଟିସ ଦାଶ ଏହି କମିଶନର ଅଧ୍ୟକ୍ଷ ହୋଇଥିବାରୁ ତାଙ୍କ ନିକଟରେ ନିଜ ପକ୍ଷ ରଖିବେ ।
ଆଗରୁ କମିଶନଙ୍କ ନିକଟରେ ଉଭୟ ଅଭିଯୋଗକାରୀ, ଥାନା କର୍ମଚାରୀ, ଓକିଲଙ୍କୁ ସେମାନଙ୍କ ପକ୍ଷ ରଖିବାକୁ ନିର୍ଦ୍ଦେଶ ହୋଇଥିଲା । କିନ୍ତୁ ସେଦିନ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଭରତପୁରର ପୂର୍ବତନ ଆଇଆଇସି ଉପସ୍ଥିତ ହୋଇନଥିଲେ । ଆଜି ନିଲମ୍ବିତ ଆଇଆଇସି ଆସିବେ କି ତାଙ୍କ ପାଇଁ ତାଙ୍କ ଓକିଲ ଆସିବେ ତାହା ଦେଖିବାକୁ ବାକି ରହିଛି ।
ଏଠାରେ କହି ରଖୁଛୁ କି, ଗତ ସେପ୍ଟେମ୍ବର ମାସରେ ଭରତପୁର ଥାନା ବିବାଦ ଘେରକୁ ଟାଣିହୋଇଥିଲା । ଉକ୍ତ ରାତିରେ ମେଜର ଓ ତାଙ୍କ ବାନ୍ଧବୀ ରୋଡ ରୋମିଓଙ୍କ ବିରୋଧରେ ଭରତପୁର ଥାନାରେ ଅଭିଯୋଗ କରିବାକୁ ଆସିବା ବେଳେ ସେମାନଙ୍କୁ ପୋଲିସ ନିର୍ଯାତନା ଦେଇଥିଲା, ଏମିତି କି ମେଜରଙ୍କ ବାନ୍ଧବୀଙ୍କ ସହ ରେପ କରିବାକୁ ଚେଷ୍ଟା କରାଯାଇଥିଲା ବୋଲି ଅଭିଯୋଗ ହୋଇଥିଲା । ଏହି ଘଟଣା ପୋଲିସ ଓ ସେନା ବିଭାଗକୁ ମୁହାଁମୁହିଁ କରାଇଦେଇଥିଲା । ସାରା ଦେଶରେ ଘଟଣାକୁ ନେଇ ମୋହନ ସରକାରକୁ ଘେରିଥିଲେ ବିରୋଧୀ ।
ତେବେ ଘଟଣାର ଗୁରୁତ୍ୱ ବୁଝି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହାର ବିଚାରବିଭାଗୀୟ ତଦନ୍ତ ପାଇଁ ଅପିଲ କରିଥିଲେ । କମିଶନର ଅଧ୍ୟକ୍ଷ ରହିଛନ୍ତି ଜଷ୍ଟିସ ଚିତ୍ତରଞ୍ଜନ ଦାଶ ।