ବୈଷ୍ଣୋ ଦେବୀଙ୍କ ଦର୍ଶନ ସାରି ଫେରିବା ବେଳେ ଘାଟିରେ ଖସିଲା ବସ୍, ୧ ମୃତ, ୧୯ ଆହତ
ଜମ୍ମୁ କାଶ୍ମୀରରେ ତୀର୍ଥଯାତ୍ରୀ ବୋଝେଇ ବସ୍ଘାଟିରେ ଖସିପଡିଛି, ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ୧୯ଜଣ ଗୁରୁତର ଅଛନ୍ତି।
ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ଏକ ଯାତ୍ରୀବାହୀ ବସ୍ ଘାଟିରେ ଖସିପଡିଛି। ଦୁର୍ଘଟଣାଟି ରାତିରେ ଘଟିଥିବା ଜଣାପଡିଛି। ବସରେ ତୀର୍ଥଯାତ୍ରୀମାନେ ବୈଷ୍ଣୋଦେବୀଙ୍କୁ ଦର୍ଶନ କରି ଫେରୁଥିଲେ। ଏହି ସମୟରେ ମାଣ୍ଡା ଅଞ୍ଚଳରେ ଥିବା ଘାଟିରେ ଖସିପଡିଲା ବସ୍।
ଏହାପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ରିପୋର୍ଟ ମୁତାବକ, ଏହି ବସରେ ୧୯ଜଣ ଯାତ୍ରୀ ଯାତ୍ରା କରୁଥିଲେ। ଏହି ଦୁର୍ଘଟଣାରେ ଜମ୍ମୁ କାଶ୍ମୀରର ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି।
ମୁଖ୍ୟମନ୍ତ୍ରୀ ପ୍ରକାଶ କଲେ ଦୁଃଖ: ଜମ୍ମୁ କାଶ୍ମୀରର ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ସୋସିଆଲ ମିଡିଆରେ ଏହି ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି, “କଟରାରୁ ତୀର୍ଥଯାତ୍ରୀମାନଙ୍କୁ ନେଇ ଦିଲ୍ଲୀ ଯାଉଥିବା ବସ ମାଣ୍ଡାରେ ଦୁର୍ଘଟଣାଗ୍ରସ୍ତ ହେବା ନେଇ ମୁଁ ଅତ୍ୟନ୍ତ ଦୁଃଖିତ।
ଏହି ଦୁଃଖଦ ଘଟଣାରେ ମୃତ୍ୟୁ ବରଣ କରିଥିବା ଡ୍ରାଇଭରଙ୍କ ପରିବାର ପ୍ରତି ମୋର ହୃଦୟରୁ ସମବେଦନା। ଆହତମାନେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେମାନେ ଖୁବ ଶୀଘ୍ର ଠିକ୍ ହୋଇଯାଆନ୍ତୁ ବୋଲି ମୁଁ କାମନା କରୁଛି।”