fbpx

୨୦୨୫ ସୁଦ୍ଧା କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ୧୫.୬୯ଲକ୍ଷ ଛୁଇଁବ: ଡା. ପାଇକରାୟ

Advertisement

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍): ବିଭିନ୍ନ କାରଣରୁ ଏବେ ଆମ ଦେଶ ତଥା ରାଜ୍ୟରେ କର୍କଟ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଛି । ଏପରିକି ଆସନ୍ତା ୨୦୨୫ ସୁଦ୍ଧା ଦେଶରେ କର୍କଟରୋଗୀଙ୍କ ସଂଖ୍ୟା ୧୫.୬୯ଲକ୍ଷ ଛୁଇଁବ ବୋଲି ଆଶଙ୍କା କରାଯାଉଥିବା ବରିଷ୍ଠ କର୍କଟରୋଗ ବିଶେଷଜ୍ଞ ଡାକ୍ତର ସୁଶାନ୍ତ କୁମାର ପାଇକରାୟ କହିଛନ୍ତି । ତେଣୁ ଏବେଠାରୁ ସତର୍କତା ଅବଲମ୍ବନ କରିବାକୁ ଜନସାଧାରଣଙ୍କୁ ଶ୍ରୀ ପାଇକରାୟ ପରାମର୍ଶ ଦେଇଛନ୍ତି । ରେଡକ୍ରସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡାକ୍ତର ପାଇକରାୟ କହିଛନ୍ତି ଯେ, କ୍ୟାନସର ବା କର୍କଟ ରୋଗ ନାଁ ଶୁଣିବା ମାତ୍ରେ ଲୋକଙ୍କ ମନରେ ଛନକା ପଶିଯାଏ । କିଛି ଲୋକ ମଧ୍ୟ ମନେମନେ ଭାବି ନିଅନ୍ତି ଯେ, କର୍କଟ ରୋଗରେ ପୀଡିତ ବ୍ୟକ୍ତିର ମୃତ୍ୟୁ ସୁନିଶ୍ଚିତ । ଏପରିକି ଏହି ରୋଗ ପାଇଁ ଖର୍ଚ୍ଚ ବ୍ୟୟବହୁଳ ହେବା ସହିତ ଗରିବ ଅସହାୟମାନଙ୍କ ପାଇଁ ଏହି ରୋଗ ଯମଦୂତ ସାଜିଥିବା କଥା ମଧ୍ୟ ଶୁଣିବାକୁ ମିଳିଥାଏ । ମାତ୍ର ଏଭଳି ଚିନ୍ତାଧାରା ମନରେ ଆଦୌ ଆଣିବା ଠିକ୍ ନୁହେଁ । କାରଣ ବର୍କ୍ଟମାନର ବିଜ୍ଞାନ ଯୁଗରେ କର୍କଟ ରୋଗ ପାଇଁ ବହୁ ଉନ୍ନତମାନର ଚିକିତ୍ସା ପଦ୍ଧତି ଉପଲବ୍ଧ ହୋଇଛି ।

ବିଶେଷ କରି ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମ୍ଆର)ର ରିପୋର୍ଟ ଅନୁଯାୟୀ ଭାରତରେ କର୍କଟ ରୋଗ ବୃଦ୍ଧି ଘଟୁଛି । ଏପରିକି ଆସନ୍ତା ୫ ବର୍ଷ ମଧ୍ୟରେ ଭାରତରେ କର୍କଟ ରୋଗୀଙ୍କ ସଂଖ୍ୟା ୧୨ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆଶଙ୍କା ମଧ୍ୟ କରାଯାଇଛି । ବର୍ତ୍ତମାନର ପରିସ୍ଥିତିକୁ ବିଚାରକୁ ନେଲେ ଯାହା ଅନୁମାନ କରାଯାଏ ୨୦୨୫ ସୁଦ୍ଧା ଭାରତରେ କର୍କଟରୋଗୀଙ୍କ ସଂଖ୍ୟା ୧୫.୬୯ ଲକ୍ଷ ଅତିକ୍ରମ କରିବ । ଆଇସିଏମଆର୍ ରିପୋର୍ଟରେ ପ୍ରକାଶ ପାଇଛି ଯେ ଦିଲ୍ଲୀରେ ପିଲାମାନଙ୍କଠାରେ କର୍କଟ ରୋଗ ସଂଖ୍ୟା ବୃଦ୍ଧି ପାଉଛି । ଏହି ଆଇସିଏମ୍ଆର୍ ରିପୋର୍ଟ ଏବେ ଡାକ୍ତର ଓ ବିଶେଷଜ୍ଞମାନଙ୍କୁ ଚିନ୍ତାରେ ପକାଇଦେଇଛି ।

ଏହି ରିପୋର୍ଟରୁ ଜଣାପଡ଼ିଛି ଯେ, ୨୦୨୧ ମସିହାରେ ମୋଟ କ୍ୟାନସରର ୩୩.୩% ତମାଖୁ ବ୍ୟବହାର ଯୋଗୁଁ ଲୋକମାନେ କ୍ୟାନସରରେ ପୀଡ଼ିତ ହୋଇଥିବା ଜଣାପଡ଼ିଛି । ତେବେ ଏହା ମଧ୍ୟରୁ ୪୮.୭% ପୁରୁଷ କ୍ୟାନସରରେ ପୀଡ଼ିତ ହୋଇଥିବା ବେଳେ ୧୬.୫% ମହିଳା କ୍ୟାନସରରେ ପୀଡ଼ିତ ହୋଇଛନ୍ତି । ବେଙ୍ଗାଲୁରୁ ସ୍ଥିତ ନ୍ୟାସନାଲ ସେଣ୍ଟର ଅଫ ଡିଜିଜ୍ ଇନଫରମେଟିକ ଆଣ୍ଡ ରିସର୍ଚ୍ଚ ଓ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ଇନଫରମେଟିକ ଆଣ୍ଡ ରିସର୍ଚ୍ଚ ଶାଖା ପକ୍ଷରୁ ଏହି କ୍ୟାନସର ରୋଗ ଉପରେ ମିଳିତ ସର୍ଭେ କରାଯାଇଛି ।

ତଥ୍ୟ ଅନୁଯାୟୀ ଦୀର୍ଘ ୭ ବର୍ଷ ଧରି ଏନସିଡିଆଇଆର କ୍ୟାନସର କେସ୍ ଉପରେ ସର୍ଭେ କରିଆସୁଛି । ସେହିଭଳି ସମଗ୍ର ଏସିଆରେ ମହିଳାମାନଙ୍କ ମଧ୍ୟରେ ଫୁସଫୁସ କର୍କଟ ରୋଗର ସର୍ବାଧିକ ମାମଲା ଦେଖାଯାଇଛି । ଡାକ୍ତର ଶ୍ରୀ ପାଇକରାୟ କହିଛନ୍ତି ଯେ, ଦୀର୍ଘଦିନ ଧରି କର୍କଟ ରୋଗରେ ଦ୍ରୁତ ଅଭିବୃଦ୍ଧି ହେଉଥିବା ଲକ୍ଷ୍ୟ କରାଯାଇଛି ଏବଂ ଏହା ପଛରେ ତମାଖୁ ଏକ ବଡ଼ କାରଣ ଭାବେ ଉଭା ହୋଇଛି । ୪୦ ପ୍ରତିଶତ କର୍କଟ ତମାଖୁ ସେବନ ହେତୁ ହୋଇଥାଏ ଏବଂ ବର୍ତ୍ତମାନ ଏହି ରୋଗ ୨୦-୨୫ ବର୍ଷର ଯୁବକମାନଙ୍କ ମଧ୍ୟରେ ଅଧିକ ଦେଖାଯାଉଛି ।

‘ଗ୍ଲୋବାଲ ବର୍ଡେନ ଅଫ ଡିଜିଜ୍ ଷ୍ଟଡ଼ି’ ଅନୁଯାୟୀ ମହିଳାମାନଙ୍କ କ୍ଷେତ୍ରରେ ଭାରତରେ ସର୍ବାଧିକ ସ୍ତନ କର୍କଟ ରୋଗ ଦେଖାଦେଉଛି । ମହିଳାମାନଙ୍କଠାରେ ସ୍ତନ କର୍କଟ ସହିତ ଗର୍ଭାଶୟ କର୍କଟ, କୋଲେନ କର୍କଟ, କୋଲନ ଏବଂ ରେକ୍ଟମ ସମସ୍ୟା ମଧ୍ୟ କିଛି କମ ନୁହେଁ । ଏହାଛଡ଼ା କେତେକାଂଶରେ ଓଠ କର୍କଟ ରୋଗ ମଧ୍ୟ ଦେଖିବାକୁ ମିଳୁଛି । ଉଭୟ ମହିଳା ଓ ପୁରୁଷଙ୍କ କ୍ଷେତ୍ରରେ ଏବେ ବିଭିନ୍ନ ପ୍ରକାର କର୍କଟ ରୋଗ ଦେଖାଦେଉଛି । ତେଣୁ ଆମ ଶରୀରରେ ଯଦି କିଛି ବ୍ୟତିକ୍ରମ ଦେଖାଦିଏ ତେବେ ତୁରନ୍ତ ବିଶେଷଜ୍ଞ ଓ ଡାକ୍ତରମାନଙ୍କ ପରାମର୍ଶ ନିଆଯିବା ଜରୁରି ବୋଲି ଡାକ୍ତର ଶ୍ରୀ ପାଇକରାୟ କହିଛନ୍ତି ।

Get real time updates directly on you device, subscribe now.