କ୍ୟାବିନେଟ ନିଷ୍ପତ୍ତି: ନିଜସ୍ୱ ରାଜପଥ ପ୍ରାଧିକରଣ ଗଠନ କରିବେ ଓଡ଼ିଶା ସରକାର

ଭୁବନେଶ୍ୱର: ଗୁରୁବାର ରାଜ୍ୟ କ୍ୟାବିନେଟର ୧୬ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୭ଟି ବିଭାଗ ଯଥା:ବିଭାଗ ଯଥା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଇସ୍ପାତ ଓ ଖଣି, ପୂର୍ତ୍ତ, ସାଧାରଣ ପ୍ରଶାସନ, ଜଳ ସଂପଦ, ପଞ୍ଚାୟତିରାଜ ଓ ପାନୀୟଜଳ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର 10ଟି ପ୍ରସ୍ତାବ ଅନୁମୋଦନ ଲାଭ କରିଛି।

ରାଜ୍ୟ କ୍ୟାବିନେଟ ‘ଓଡ଼ିଶା ରାଜ୍ୟ ସଡ଼କ ନୀତି ୨୦୨୫’ର ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଏହା ସମଗ୍ର ଓଡ଼ିଶାରେ ରାସ୍ତା ନେଟୱାର୍କର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ଏବଂ ତଦାରଖ ପାଇଁ ପରିକଳ୍ପନା କରାଯାଇଛି । ଏହି ନୀତି ଏକ ଗୁଣାତ୍ମକ ସଡ଼କ ନେଟୱାର୍କ ପାଇଁ ଏକ ଢାଞ୍ଚା ପ୍ରଦାନ କରିବ, ଯାହା ଜନସାଧାରଣ ଓ ବିଭିନ୍ନ ଦ୍ରବ୍ୟର ସୁରକ୍ଷିତ, ସ୍ଥାୟୀ ଏବଂ ଦକ୍ଷ ପରିବହନ ପାଇଁ ସଡକ ପଥର ସମୁଚିତ ବିକାଶକୁ ଏକ ସୁବ୍ୟବସ୍ଥିତ ବ୍ୟବସ୍ଥା ସୁନିଶ୍ଚିତ କରିବ ।

ଓଡ଼ିଶା ରାଜ୍ୟ ସଡ଼କ ନୀତି ୨୦୨୫ର କେତେକ ପ୍ରମୁଖ ବୈଶିଷ୍ଟ୍ୟ ଗୁଡ଼ିକ ହେଉଛି:-
(କ) ରାସ୍ତା ଗୁଡ଼ିକର ଆନ୍ତଃ-ବିଭାଗୀୟ ହସ୍ତାନ୍ତର ପାଇଁ ନିର୍ଦ୍ଦେଶାବଳୀ ନିର୍ଣ୍ଣୟ ।
(ଖ) ରାସ୍ତା ଭିତ୍ତିଭୂମି ପରିଚାଳନା ପାଇଁ ପର୍ଯ୍ୟାପ୍ତ ଏବଂ ସ୍ଥାୟୀ ପାଣ୍ଠି ଯୋଗାଇବା ଏବଂ ରାସ୍ତା ଭିତ୍ତିଭୂମିର ରକ୍ଷଣାବେକ୍ଷଣ।
(ଗ) ଦୁର୍ଘଟଣା ଏବଂ ମୃତ୍ୟୁହାର ହ୍ରାସ କରିବା ପାଇଁ ସଡ଼କ ନେଟୱାର୍କର ସୁରକ୍ଷାର ଉନ୍ନତିକରଣ ।
(ଘ) ଯୋଜନା, ଡିଜାଇନ୍, କ୍ରୟ, ନିର୍ମାଣ, ରକ୍ଷଣାବେକ୍ଷଣ ଏବଂ ପ୍ରକଳ୍ପ ପରିଚାଳନାରେ ସଡ଼କ କ୍ଷେତ୍ର ସଂଗଠନର କ୍ଷମତାକୁ ସୁଦୃଢ଼ କରିବା ।
(ଙ) ପ୍ରସ୍ତାବିତ ଓଡ଼ିଶା ରାଜ୍ୟ ସଡ଼କ ନୀତି-୨୦୨୫ରେ ରାଜ୍ୟରେ ସେତୁ ବିକାଶ ଉପରେ ମଧ୍ୟ ଧ୍ୟାନ ଦିଆଯାଇଛି । ଏହି ନୀତିରେ ରାଜ୍ୟର ସମସ୍ତ ସେତୁର ସବିଶେଷ ସୂଚନାକୁ ଏକ ଅନଲାଇନ୍ ପ୍ଲାଟଫର୍ମରେ ସଂଗ୍ରହ ପାଇଁ ‘ଅନଲାଇନ୍ ସେତୁ ସୂଚନା ପ୍ରଣାଳୀ’ (Comprehensive Online Bridge Information System-BIS) ବିକଶିତ କରାଯିବ। ଆଧୁନିକ ପ୍ରକ୍ରିୟାରେ ସେତୁଗୁଡ଼ିକର ବାର୍ଷିକ ମୂଲ୍ୟାଙ୍କନ କରାଯିବ।