fbpx

(Video) କ୍ୟାମେରା ସବୁ ଦେଖୁଛି… ଟ୍ରାଫିକ ବାବୁଙ୍କ ‘ଲାଞ୍ଚ ଭାଗବଣ୍ଟା’ ଭିଡିଓ ଲିକ୍: ଚାଲିଗଲା ଚାକିରି

ନୂଆଦିଲ୍ଲୀ: ଆଜି ଦେଶର ରକ୍ଷକ ସାଜିଛି ଭକ୍ଷକ । ୟୁନିଫର୍ମ ଡର ଦେଖାଇ ନିରୀହ ଜନସାଧାରଣଙ୍କୁ ଲୁଟିବାରେ ଲାଗିଛନ୍ତି ସରକାରୀ ଲୁଟେରା । ସଡ଼କ ସୁରକ୍ଷା ଦାୟିତ୍ୱରେ ଥିବା ଟ୍ରାଫିକ ପୋଲିସ ଜୀବନ ରକ୍ଷା କରିବା ବଦଳରେ ନିଜ ପକେଟ ଗରମ କରୁଥିବାର ଦେଖାଯାଇଛି । ଟ୍ରାଫିକ ନିୟମ ଆଳରେ ଛୋଟ ଛୋଟ ଭୁଲରେ ଚାଲାଣ କାଟି ସାଧାରଣ ଜନତାଙ୍କ ଝାଳବୁହା ଧନକୁ ହଡ଼ପ କରୁଛନ୍ତି ୟୁନିଫର୍ମ ପିନ୍ଧା ସଚ୍ଚୋଟ ଚୋର । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଜଣେ ଟ୍ରାଫିକ ବାବୁ ଯାତ୍ରୀଙ୍କ ପାଖରୁ ଲାଞ୍ଚ ନେବା ପରେ ଏହାକୁ ଭାଗବାଣ୍ଟ କରୁଥିବାର ଏକ ଭିଡିଓ ଏବେ ଜନତାଙ୍କୁ ଆହୁରି ସତର୍କ କରାଇଛି ।

ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖାଯାଇଛି ଯେ, ଜଣେ ଟ୍ରାଫିକ ପୋଲିସ ଗୋଟିଏ ଛୋଟ ବଖରା ଭିତରେ ଖୁବ ଚାଲାକରେ ଲାଞ୍ଚ ନେଇଛନ୍ତି । ବ୍ୟକ୍ତି ଜଣଙ୍କ କିଛି ଟଙ୍କା ଲାଞ୍ଚ ଦେବା ବେଳେ ଟ୍ରାଫିକ ବାବୁ ଏହାକୁ ହାତରେ ଧରିନାହାନ୍ତି, ବରଂ ପାଖ ଟେବୁଲରେ ରଖି ଦେଇଯିବା ପାଇଁ କହିଛନ୍ତି । ପରେ ସେ ଏହାକୁ ଖୁବ ଚାଲାକ କରି ପର୍ସରେ ପୂରାଇ ଦେଇଛନ୍ତି । ଏହିଭଳି ବିଭିନ୍ନ ଯାତ୍ରୀଙ୍କ ପାଖରୁ ଲୁଟ୍ ହୋଇଥିବା ବା ଆଦାୟ ହୋଇଥିବା ଏହି ଟଙ୍କା ୩ ଜଣ ଟ୍ରାଫିକ ପୋଲିସ କର୍ମୀଙ୍କ ମଧ୍ୟରେ ପରେ ବାଣ୍ଟ ହୋଇଛି ।

ଆଉ ଏକ ଭିଡିଓରେ ଦେଖାଯାଇଛି ଯେ, ଲାଞ୍ଚ ନେଇଥିବା ଟ୍ରାଫିକ ବାବୁଙ୍କ ସହ ଆଉ ୨ ଜଣ କର୍ମଚାରୀ ସେଠାରେ ପହଞ୍ଚିଛନ୍ତି । ଏବଂ ତିନି ଜଣଙ୍କ ମଧ୍ୟରେ ଏହିସବୁ ଟଙ୍କା ଭାଗବାଣ୍ଟ ହୋଇଛି । ଲାଞ୍ଚ ନେଇଥିବା ବାବୁ ଅନ୍ୟ ୨ ଟ୍ରାଫିକ କର୍ମୀଙ୍କ ସହ ବସି ଟଙ୍କା ଗଣୁଥିବାର ଭିଡିଓରେ ଦେଖାଯାଇଛି । ଏହାପରେ ସେ ଉଭୟଙ୍କୁ କିଛି କିଛି ଟଙ୍କା ବଢାଇ ଦେଇଛନ୍ତି । ସମସ୍ତେ ଏହି ଟଙ୍କାକୁ ନିଜ ନିଜ ପକେଟରେ ନେଇ ଖୁବ ଖୁସି ଥିବା ଦେଖାଯାଇଛି । ହେଲେ ଲାଞ୍ଚ ପାଇବା ପରେ ଏହି ୩ ଟ୍ରାଫିକ ପୋଲିସ କର୍ମୀଙ୍କ ପାଇଁ କାଳ ସାଜିଛି ସିସିଟିଭି କ୍ୟାମେରା ଏବଂ ସୋସିଆଲ ମିଡିଆ ।

ଏହି ଘଟରାର ୨ଟି ଭିଡିଓ ସୋସିଆଲ ମିଡିଆରେ ଅପଲୋଡ ହେବା ପରେ ସମସ୍ତ ଟ୍ରାଫିକ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଘଟରାରେ ସମ୍ପୃକ୍ତ ୩ ଜଣ ଟ୍ରାଫିକ ପୋଲିସ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିବା ନେଇ ରାଜଧାନୀ ଦିଲ୍ଲୀର ଉପ-ରାଜ୍ୟପାଳ ସୂଚନା ଦେଇଛନ୍ତି । ଏହାସହିତ ସେମାନଙ୍କ ବିରୋଧରେ ବିଭାଗୀୟ ତଦନ୍ତ ମଧ୍ୟ ଜାରି ରହିଛି ।

Get real time updates directly on you device, subscribe now.