IND VS ENG : କର ବା ମର ସ୍ଥିତି… ଚତୁର୍ଥ ଟେଷ୍ଟରେ ଭାରତ ମାରି ପାରିବ ତ ବାଜି ?

ଉଭୟ ଦେଶ ମଧ୍ୟରେ ମୋଟ ୧୩୯ ଟେଷ୍ଟ ମ୍ୟାଚ୍ ଖେଳାଯାଇଛି, ଯେଉଁଥିରେ ଇଂଲଣ୍ଡ ୫୩ ଥର ଏବଂ ଟିମ୍ ଇଣ୍ଡିଆ ୩୬ ଥର ବିଜୟୀ ହୋଇଛି।

ନୂଆଦିଲ୍ଲୀ: ମାଞ୍ଚେଷ୍ଟର ଓଲ୍ଡ ଟ୍ରାଫୋର୍ଡରେ ଖେଳାଯିବ ଭାରତ- ଇଲଂଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ମ୍ୟାଚ। ୨୩ ଜୁଲାଇରୁ ଆରମ୍ଭ ହେବ ଏହି ମ୍ୟାଚ୍‌। ତିନୋଟି ମ୍ୟାଚ ପରେ ଇଂଲଣ୍ଡ ଏବେ ୨-୧ରେ ଆଗୁଆ ଅଛି।

ଚତୁର୍ଥ ଟେଷ୍ଟ ମ୍ୟାଚ୍ ଟିମ୍ ପାଇଁ କର ବା ମର ମ୍ୟାଚ୍ ହେବ। କାରଣ ହାରିବା କିମ୍ବା ମ୍ୟାଚ୍ ଡ୍ର ହେବା ଦ୍ୱାରା ମଧ୍ୟ ଭାରତ ପାଇଁ ସିରିଜ ଜିତିବା ଅସମ୍ଭବ ହୋଇଯିବ। ଚତୁର୍ଥ ଟେଷ୍ଟ ଆରମ୍ଭ ହେବା ପୂର୍ବରୁ, ଆସନ୍ତୁ ଜାଣିବା ମାଞ୍ଚେଷ୍ଟର ଗ୍ରାଉଣ୍ଡରେ ଭାରତ ନା ଇଂଲଣ୍ଡ, କାହା ପଲ୍ଲା ଭାରି ଅଛି?

ପ୍ରଥମେ, ଆସନ୍ତୁ ଜାଣିବା ଟେଷ୍ଟ କ୍ରିକେଟରେ ଭାରତ ଏବଂ ଇଂଲଣ୍ଡର ହେଡ୍‌-ଟୁ-ହେଡ୍ ରେକର୍ଡ କିପରି? ଏପର୍ଯ୍ୟନ୍ତ ଉଭୟ ଦେଶ ମଧ୍ୟରେ ମୋଟ ୧୩୯ ଟେଷ୍ଟ ମ୍ୟାଚ୍ ଖେଳାଯାଇଛି, ଯେଉଁଥିରେ ଇଂଲଣ୍ଡ ୫୩ ଥର ଏବଂ ଟିମ୍ ଇଣ୍ଡିଆ ୩୬ ଥର ବିଜୟୀ ହୋଇଛି। ସେହି ସମୟରେ, ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫୦ଟି ଟେଷ୍ଟ ମ୍ୟାଚ୍ ଡ୍ରରେ ଶେଷ ହୋଇଛି।

ମାଞ୍ଚେଷ୍ଟରରେ ଉଭୟଙ୍କ ରେକର୍ଡ କିପରି: ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡ ବିଷୟରେ କହିବାକୁ ଗଲେ, ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏପର୍ଯ୍ୟନ୍ତ ୯ଟି ଟେଷ୍ଟ ମ୍ୟାଚ୍ ଖେଳାଯାଇଛି, ଯେଉଁଥିରେ ଇଂଲଣ୍ଡ ଚାରି ଥର ଜିତିଛି ଏବଂ ଅନ୍ୟ ପାଞ୍ଚଟି ମ୍ୟାଚ୍ ଡ୍ରରେ ଶେଷ ହୋଇଛି। ଇତିହାସରେ ଟିମ୍ ଇଣ୍ଡିଆ ଏପର୍ଯ୍ୟନ୍ତ ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ କୌଣସି ଟେଷ୍ଟ ମ୍ୟାଚ୍ ଜିତିନାହିଁ।

ଭାରତ ଏହି ଗ୍ରାଉଣ୍ଡରେ ବିଜୟର ନିକଟତମ ହୋଇଥିଲା ୧୯୭୪ ମସିହାରେ, ଯେତେବେଳେ ଭାରତ ଇଂଲଣ୍ଡଠାରୁ ୧୧୩ ରନରେ ପରାସ୍ତ ହୋଇଥିଲା।

ଭାରତ ଏବଂ ଇଂଲଣ୍ଡ ଶେଷ ଥର ପାଇଁ ୨୦୧୪ ମସିହାରେ ଏହି ଗ୍ରାଉଣ୍ଡରେ ମୁହାଁମୁହିଁ ହୋଇଥିଲେ। ସେହି ମ୍ୟାଚରେ ଇଂଲଣ୍ଡ ଗୋଟିଏ ଇନିଂସରେ ୩୬୭ ରନ କରିଥିଲା। ଏହି ରନ୍ ପର୍ଯ୍ୟନ୍ତ ଛୁଇଁ ପାରିନଥିଲା ଟିମ୍ ଇଣ୍ଡିଆ। ଟିମ୍ ଇଣ୍ଡିଆ ସେହି ମ୍ୟାଚ୍ ଗୋଟିଏ ଇନିଂସ ଏବଂ ୫୪ ରନରେ ହାରିଗଲା।

ବର୍ତ୍ତମାନ ଦଳର ଅଧିକାଂଶ କ୍ରିକେଟର ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ କେବେ ବି ଟେଷ୍ଟ ମ୍ୟାଚ୍ ଖେଳି ନାହାଁନ୍ତି। ଏହି ଗ୍ରାଉଣ୍ଡରେ ସର୍ବାଧିକ ରନ ସ୍କୋରର ଥିଲେ ସୁନୀଲ ଗାଭାସ୍କର, ଯିଏ ଏଠାରେ ପାଞ୍ଚ ଇନିଂସରେ ୨୪୨ ରନ କରିଥିଲେ। ୨୧ଶହ ଶତାବ୍ଦୀରେ ଡେବ୍ୟୁ କରିଥିବା କୌଣସି ଭାରତୀୟ ବ୍ୟାଟସମ୍ୟାନ ଏଠାରେ ଟେଷ୍ଟ ମ୍ୟାଚ୍‌ରେ ୨୦୦ ରନ୍ ଛୁଇଁ ପାରି ନାହାଁନ୍ତି। ଏହି ସଂଖ୍ୟାଗୁଡ଼ିକ ପ୍ରମାଣ କରୁଛି ଯେ ମାଞ୍ଚେଷ୍ଟରରେ ଜିତିବା ଟିମ୍ ଇଣ୍ଡିଆ ପାଇଁ ଏକ ବହୁତ କଷ୍ଟକର କାର୍ଯ୍ୟ ହେବାକୁ ଯାଉଛି।