ୱାଶିଂଟନ୍: କାନାଡାରେ ବର୍ତ୍ତମାନର ସ୍ଥିତି ସେତେ ଭଲ ନାହିଁ । ଯାହା ପାଇଁ ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋଙ୍କ ଶାସନ ଧାରା ଉପରେ ପ୍ରଶ୍ନ ଉଠୁଛି । ଭାରତ ସହିତ ତାଙ୍କ ସମ୍ପର୍କ ମଧ୍ୟ ଝୁଲା ସ୍ଥିତିରେ ରହିଛି । ଆଉ ଏ ଭିତରେ ସ୍ପେସ୍ଏକ୍ସ ମାଲିକ ଏଲନ୍ ମସ୍କ କଟା ଘା’ରେ ଚୂନ ଦେଲା ଭଳି ଟ୍ରୁଡୋଙ୍କ ପାଇଁ ଭବିଷ୍ୟବାଣୀ କରିଛନ୍ତି । ସୋସିଆଲ ମିଡିଆ ଏକ୍ସରେ ଜଣେ ୟୁଜରଙ୍କ କମେଣ୍ଟର ରିପ୍ଲାଏରେ ମସ୍କ ଲେଖିଛନ୍ତି, ଆସନ୍ତା ବର୍ଷ କାନାଡାରେ ହେବାକୁ ଥିବା ନିର୍ବାଚନରେ ତାଙ୍କୁ ବିଦାୟ ଦିଆଯିବ । ଏକ୍ସରେ ଜଣେ ବ୍ୟକ୍ତି ମସ୍କଙ୍କ ସାହାଯ୍ୟ ଲୋଡିଥିଲେ । ଆମେ ଆପଣଙ୍କ ସାହାଯ୍ୟ ଦରକାର କରୁଛୁ । ଟ୍ରୁଡୋଙ୍କଠାରୁ ଆମେ ସମସ୍ତେ ମୁକ୍ତି ଚାହୁଁ ବୋଲି ବ୍ୟକ୍ତି ଜଣଙ୍କ ଲେଖିଥିଲେ ।
ଗତବର୍ଷ କାନାଡା ସଂସଦରେ ଟ୍ରୁଡୋ ଭାରତ ଉପରେ ଆରୋପ ଲଗାଇଥିଲେ । କାନାଡାରେ ରହୁଥିବା ଖଲିସ୍ତାନୀ ଆତଙ୍କୀ ହରଦୀପ ସିଂ ନିଜ୍ଜରଙ୍କ ହତ୍ୟା ଭାରତ କରିଥିବା ସେ କହିଥିଲେ । ଅନ୍ୟପଟେ ଟ୍ରୁଡୋ ସରକାର ଭୋଟବ୍ୟାଙ୍କ ରାଜନୀତି କରିବା ପାଇଁ ଖଲିସ୍ତାନୀମାନଙ୍କୁ ସମର୍ଥନ କରୁଥିବା ଭାରତ ପକ୍ଷରୁ କୁହାଯାଇଥିଲା । ଯାହାପରେ ଦୁଇ ଦେଶ ମଧ୍ୟରେ ରାଜନୈତିକ ଚାପ ବଢ଼ିଥିବା ଦେଖିବାକୁ ମିଳୁଛି ।