fbpx

CDS ନିଯୁକ୍ତି ନିୟମ ବଦଳିଲା, ନୋଟିଫିକେସନ ଜାରି କଲା ପ୍ରତିରକ୍ଷା ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରଣାଳୟରେ ଲାଗୁ ହେବାକୁ ଯାଉଛି ନୂଆ ନିୟମ । ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ) ନିଯୁକ୍ତି ନେଇ ତିନି ସେନାବଳର ନିୟମରେ ସଂଶୋଧନ ହେବ । ଏନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ଗେଜେଟ ଅଧିସୂଚନା ଜାରି କରାଯାଇଛି । ଯେଉଁ ଅଧିକାରୀ ଲେଫ୍ଟନାଣ୍ଟ ଜେନେରାଲଙ୍କ ସମକକ୍ଷ ବା ସାମାନ୍ୟ ସମକକ୍ଷ ରାଙ୍କରେ ସେବାରେ ରହିଥିବେ, ସରକାର ତାଙ୍କୁ ସିଡିଏସ୍ ପଦରେ ନିଯୁକ୍ତି ଦେବାକୁ ବିଚାର କରୁଛନ୍ତି । ଏହାଛଡ଼ା ଯେଉଁ ଅଧିକାରୀ ଲେଫ୍ଟନାଣ୍ଟ ଜେନେରାଲ ବା ଜେନେରାଲ ପଦରେ ରହି ସେବା ନିବୃତ୍ତ ହୋଇଥିବେ ତାଙ୍କୁ ମଧ୍ୟ ଏହି ଦାୟିତ୍ୱ ଦିଆଯିବ ।

ଏ କ୍ଷେତ୍ରରେ ନିଯୁକ୍ତି ତାରିଖ ସୁଦ୍ଧା ଅଧିକାରୀଙ୍କ ବୟସ ୬୨ ବର୍ଷରୁ କମ୍ ହୋଇଥିବା ଆବଶ୍ୟକ ବୋଲି କୁହାଯାଇଛି । ଅର୍ଥାତ କେନ୍ଦ୍ର ସରକାର ଯେ କୌଣସି ସମୟରେ ଲେଫ୍ଟନାଣ୍ଟ ଜେନେରାଲ ବା ଜେନେରାଲ ରାଙ୍କର ରିଟାୟାର୍ଡ ସେନା ଅଧିକାରୀଙ୍କୁ ସିଡିଏସ ପଦରେ ନିଯୁକ୍ତି ଦେଇ ପାରିବେ । ଏଥିପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସ୍ଥଳ, ବାୟୁ ଓ ନୌସେନା ସର୍ଭିସ ଆକ୍ଟରେ ପରିବର୍ତ୍ତନ କରାଯାଇଛି । ଲେଫ୍ଟନାଣ୍ଟ ଜେନେରାଲ / ଜେନେରାଲ /ସମକକ୍ଷ ରାଙ୍କର ରିଟାୟାର୍ଡ ଅଧିକାରୀ / ସେବାରତ ଅଧିକାରୀଙ୍କୁ ସିଡିଏସ ପଦରେ ଅବସ୍ଥାପିତ କରାଯାଇ ପାରିବ ବୋଲି ଗେଜେଟ ନୋଟିଫିକେସନରେ ଉଲ୍ଲେଖ ରହିଛି ।

୬୨ ବର୍ଷ ସୀମା ପୂରଣ କରିସାରିଥିବାରୁ ଇଣ୍ଡିଆନ ଆର୍ମି, ନେଭି ଓ ଏୟାରଫୋର୍ସର ଅନେକ ସେବା ନିବୃତ୍ତ ଅଧିକାରୀ ସିଡିଏସ ଦୌଡ଼ରୁ ବାଦ୍ ପଡ଼ିଛନ୍ତି । କାରଣ ଏହି ତିନି ସେନାମୁଖ୍ୟମାନଙ୍କର ଅବସର ବୟସ ୬୨ ବର୍ଷ ହୋଇଥାଏ । ଅର୍ଥାତ ଯେଉଁ ଅଧିକାରୀ ୬୨ ବର୍ଷରେ ରିଟାୟାର୍ଡ ହୋଇଥିବେ, ସେ ସିଡିଏସ୍ ହୋଇପାରିବେ ନାହିଁ । ୬୨ ବର୍ଷରୁ କମ୍ ବୟସର ସେବାରତ ଅଧିକାରୀ ସିଡିଏସ୍ ହୋଇପାରିବେ । ସୂଚନାଯୋଗ୍ୟ ଯେ, ଗତ ବର୍ଷ ଡିସେମ୍ବର ମାସରେ ଦେଶର ପ୍ରଥମ ସିଡିଏସ୍ ଜେନେରାଲ ବିପିନ ରାୱତ ଏକ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁବରଣ କରିବା ପରେ ଉକ୍ତ ପଦଟି ଆଜି ପର୍ଯ୍ୟନ୍ତ ଖାଲି ପଡ଼ିଛି ।

Get real time updates directly on you device, subscribe now.