fbpx

ବିଜ୍ଞାପନ ପାଇଁ ୫ ବର୍ଷରେ ୩,୭୨୩ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି: କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର

ନୂଆଦିଲ୍ଲୀ: ଗତ ପାଞ୍ଚ ବର୍ଷ ମଧ୍ୟରେ ଭାରତ ସରକାର ତାଙ୍କର ଯୋଜନା ଏବଂ କାର୍ଯ୍ୟକ୍ରମର ବିଜ୍ଞାପନରେ ମୋଟ ୩,୭୨୩.୩୮ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । କେନ୍ଦ୍ର ସରକାରଙ୍କ ଯୋଗାଯୋଗ ବ୍ୟୁରୋ ମାଧ୍ୟମରେ ଏ ସମସ୍ତ ଖର୍ଚ୍ଚ କରାଯାଇଥିବା ରାଜ୍ୟସଭାରେ ସରକାର ସୂଚନା ଦେଇଛନ୍ତି ।

ଏକ ଲିଖିତ ଉତ୍ତରରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ଗତ ପାଞ୍ଚ ବର୍ଷ ମଧ୍ୟରେ ବିଜ୍ଞାପନ ତଥା ପ୍ରଚାର ପାଇଁ ବ୍ୟୟ ବୃଦ୍ଧି ହୋଇନାହିଁ । ସରକାରଙ୍କ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ୨୦୧୭-୧୮ ରେ ବିଜ୍ଞାପନରେ ୧,୨୨୦.୮୯ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ୨୦୧୯-୧୯ ସାଧାରଣ ନିର୍ବାଚନ ପୂର୍ବରୁ ୨୦୧୮-୧୯ ରେ ୧,୧୦୬.୮୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

ସେହିପରି ୨୦୧୯-୨୦ ରେ ସରକାର ୬୨୭.୬୭ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି, ୨୦୨୦-୨୧ ରେ ୩୪୯.୦୯ କୋଟି ଏବଂ ୨୦୨୧-୨୨ ରେ ୨୬୪.୭୮ କୋଟି ଟଙ୍କା ବୋଲି ଠାକୁର କହିଛନ୍ତି । ଚଳିତ ଆର୍ଥିକ ବର୍ଷରେ ଡିସେମ୍ବର ୯ ପର୍ଯ୍ୟନ୍ତ ସରକାର ବିଜ୍ଞାପନରେ ୧୫୪.୦୭ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ସେ କହିଛନ୍ତି ।

ଗୁରୁବାର କଂଗ୍ରେସ ସଦସ୍ୟ ସୟଦ ନାସିର ହୁସେନ୍ ଗତ କିଛି ବର୍ଷ ମଧ୍ୟରେ ବିଜ୍ଞାପନ ତଥା ପ୍ରଚାର ପାଇଁ ଖର୍ଚ୍ଚ ବହୁଗୁଣିତ ହୋଇଛି ବୋଲି ସରକାର ଜାଣିଛନ୍ତି କି ନାହିଁ ବୋଲି ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ଠାକୁର ଏ ସମସ୍ତ ସୂଚନା ଦେଇ ଗତ କିଛି ବର୍ଷ ମଧ୍ୟରେ ବିଜ୍ଞାପନ ଏବଂ ପ୍ରଚାର ପାଇଁ ବ୍ୟୟ ବୃଦ୍ଧି ହୋଇନାହିଁ ବୋଲି କହିଛନ୍ତି ।

Get real time updates directly on you device, subscribe now.