ପାକିସ୍ତାନକୁ ICCର ବଡ଼ ଝଟକା: ବଢ଼ିଲା ଚାମ୍ପିୟନ୍ସ ଟ୍ରଫି ୨୦୨୫ର ନିଷ୍ପତ୍ତିକୁ ଅପେକ୍ଷା ସମୟ

ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି ୨୦୨୫ର ନିଷ୍ପତ୍ତିକୁ ଅପେକ୍ଷା ଆହୁରି ବଢିଯାଇଛି । ଆଇସିସି ବୈଠକକୁ ସ୍ଥଗିତ ରଖାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ବୈଠକ ଗୁରୁବାର ପରିବର୍ତ୍ତେ ଶନିବାର ଅନୁଷ୍ଠିତ ହେବ। ଇତି ମଧ୍ୟରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ପାକିସ୍ତାନ କ୍ରିକେଟ ବୋର୍ଡ ହାଇବ୍ରିଡ୍ ମଡେଲ୍ କୁ ଅନୁସରଣ କରିବା ପାଇଁ ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ଅନେକ ସର୍ତ୍ତ ରଖିଥିଲା। ତେବେ ପିସିବିର ସମସ୍ତ ସର୍ତ୍ତକୁ ଆଇସିସି ପ୍ରତ୍ୟାଖ୍ୟାନ କରିଛି ବୋଲି ରିପୋର୍ଟରେ ଦାବି କରାଯାଇଛି।

ଜୟ ଶାହ ନିକଟରେ ଆଇସିସିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଚାମ୍ପିୟନ୍ସ ଟ୍ରଫି ପ୍ରସଙ୍ଗରେ ଗୁରୁବାର ଆଇସିସିର ବୈଠକ ବସିବାର ଥିଲା। କିନ୍ତୁ ଏବେ ଏହି ବୈଠକ ଆଗକୁ ବଢ଼ିଛି। ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଶନିବାର ଏହି ବୈଠକ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ତେଣୁ ଭାରତ ଓ ପାକିସ୍ତାନ ସମେତ ସବୁ ଦେଶର କ୍ରିକେଟପ୍ରଶଂସକଙ୍କୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ। ଏହା ସହ ଆହୁରି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁଯାୟୀ, ପିସିବିକୁ ହାଇବ୍ରିଡ୍ ମଡେଲ ଭାବେ ବିଚାର କରିବାକୁ ଆଇସିସି ଶେଷ ଚେତାବନୀ ଦେଇଛି।

ପୂର୍ବରୁ ହାଇବ୍ରିଡ୍ ମଡେଲ ପାଇଁ ପିସିବି ପ୍ରସ୍ତୁତ ନଥିଲା। କିନ୍ତୁ ଏବେ ତାଙ୍କ ପାଖରେ କୌଣସି ବିକଳ୍ପ ନାହିଁ। କ୍ରିକବଜ୍ ର ଏକ ରିପୋର୍ଟ ଅନୁଯାୟୀ, ପିସିବି ହାଇବ୍ରିଡ୍ ମଡେଲକୁ ଗ୍ରହଣ କରିବା ପାଇଁ ଆଇସିସି ନିକଟରେ ଅନେକ ସର୍ତ୍ତ ରଖିଥିଲା। ତାଙ୍କର ପ୍ରଥମ ସର୍ତ୍ତ ଥିଲା ଭାରତ ବିଷୟରେ । ପିସିବି କହିଛି ଯେ ଭାରତରେ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟଉପରେ ମଧ୍ୟ ସମାନ ନିୟମ ଲାଗୁ ହେବା ଉଚିତ। କିନ୍ତୁ ଏହାକୁ ଅସ୍ୱୀକାର କରାଯାଇଥିଲା। ପିସିବି ମଧ୍ୟ ସର୍ତ୍ତ ରଖିଥିଲା ଯେ ଭାରତ ଓ ପାକିସ୍ତାନକୁ ଗୋଟିଏ ଗ୍ରୁପ୍ ରେ ରଖାଯିବ ନାହିଁ। ଏହା ଦ୍ୱାରା ପାକିସ୍ତାନ ଦଳ ନିଜର ସମସ୍ତ ଗ୍ରୁପ୍ ମ୍ୟାଚ୍ ଘରୋଇ ପଡ଼ିଆରେ ଖେଳିପାରିବ।