fbpx

(Video) ଚନ୍ଦ୍ରରେ ଶୋଇ ପଡିଛି ‘ରୋଭର୍‌ ପ୍ରଜ୍ଞାନ’, ୨୨ ତାରିଖରେ ପୁଣି ଥରେ ନିଦରୁ ଉଠିବ ବୋଲି ଆଶା

ଓଡିଶା ଭାସ୍କର; ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣମେରୁ ଅଞ୍ଚଳରେ ୨୩ ଅଗଷ୍ଟ ୨୦୨୩ରେ ଅବତରଣ କରିଥିଲା । ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ମୋଟ ୧୪ ଦିନ ଯାଏଁ ତଥ୍ୟ ସଂଗ୍ରହ ଜାରି ରଖିବ ବୋଲି ସୂଚନା ମିଳିଥିଲା । ଅର୍ଥାତ୍ ଚନ୍ଦ୍ରରେ ତା’ର ନିର୍ଦ୍ଧାରିତ ସମୟ ସୀମା ପୂରଣ କରିବାକୁ ବସିଛି । ଏହି ସମୟ ମଧ୍ୟରେ ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭର ବହୁ ଗୁରୁତ୍ୱପୂର୍ଣ୍ଣ ସୂଚନା ହାସଲ କରିଛନ୍ତି । ଏହି ସମସ୍ତ ସୂଚନା ଆଧାରରେ ଭବିଷ୍ୟତରେ ଚନ୍ଦ୍ରପୃଷ୍ଠରେ ମାନବ ବସତି ସ୍ଥାପନରେ ସହାୟତା ମିଳିଯିବ ବୋଲି ଜଣାପଡିଛି ।

ଆମ ସମସ୍ତଙ୍କୁ ଜଣା ଯେ, ‘ଚନ୍ଦ୍ରଯାନ-୩’ର ‘ରୋଭର୍‌ ପ୍ରଜ୍ଞାନ’ ହେଉଛି ଏକ ମେସିନ । ଏହା ଚାର୍ଜ ଦ୍ୱାରା ହିଁ ପରିଚାଳିତ ହୋଇଥାଏ । ଚାର୍ଜ ଶେଷ ହୋଇଗଲେ ଏହା ସେହି ସ୍ଥାନରେ ନିଷ୍କ୍ରିୟ ହୋଇଯିବ । ମେସିନ ଉପରେ ଲାଗିଥିବା ସୋଲାର ପ୍ୟାନେଲ ଦେଇ ସୂର୍ୟ୍ୟକିରଣରୁ ‘ରୋଭର୍‌ ପ୍ରଜ୍ଞାନ’କୁ ଚାର୍ଜ ମିଳିଥାଏ । ହେଲେ ଚନ୍ଦ୍ରପୃଷ୍ଠରେ ୧୪ ଦିନ ସୂର୍ୟ୍ୟକିରଣ ପଡୁଥିବା ବେଳେ ୧୪ ଦିନ ସୂର୍ୟ୍ୟକିରଣ ପଡ଼ିନଥାଏ । ଯେଉଁ କାରଣରୁ ‘ରୋଭର୍‌ ପ୍ରଜ୍ଞାନ’କୁ ଆଉ ଚାର୍ଜ ମିଳିପାରିବ ନାହିଁ ।

ତେବେ ସଫଳତାର ସହିତ ପ୍ରଥମ ପର୍ୟ୍ୟାୟ କାର୍ୟ୍ୟ ଶେଷ କରିଥିବା ‘ଚନ୍ଦ୍ରଯାନ-୩’ର ‘ରୋଭର୍‌ ପ୍ରଜ୍ଞାନ’କୁ ଚନ୍ଦ୍ରପୃଷ୍ଠରେ ନିରାପଦରେ ‘ପାର୍କିଙ୍ଗ୍‌’ କରାଇ ‘ସ୍ଲିପ୍‌ ମୋଡ୍‌’ରେ (ନିଷ୍କ୍ରିୟ ଅବସ୍ଥା) ରଖାଯାଇଥିବା କଥା ଶନିବାର ରାତିରେ ‘ଇସ୍ରୋ’ ସୂଚନା ଦେଇ ଜଣାଇଛି । ‘ଇସ୍ରୋ’ ସୁନିଶ୍ଚିତ କରିଛି ଯେ, ‘ରୋଭର୍‌ ପ୍ରଜ୍ଞାନ’ର ‘ଏପିଏକ୍ସଏସ୍‌’ ଓ ‘ଏଲ୍‌ଆଇବିଏସ୍’ ‌ପ୍ଲେଲୋଡ୍‌ ଦୁଇଟିକୁ ମଧ୍ୟ ନିଷ୍କ୍ରିୟ କରିଦିଆଯାଇଛି । ୧୪ ଦିନ ପରେ ଅର୍ଥାତ୍‌ ସେପ୍ଟେମ୍ବର ୨୨ ତାରିଖରେ ଚନ୍ଦ୍ରପୃଷ୍ଠରେ ପୁଣି ସୂର୍ୟ୍ୟୋଦୟ ହେଲେ ‘ରୋଭର୍‌ ପ୍ରଜ୍ଞାନ’ ନିଦରୁ ଉଠିବ ବା ସକ୍ରିୟ ହେବ ବୋଲି ‘ଇସ୍ରୋ’ ଆଶା କରୁଛି । ଏ ସଂକ୍ରାନ୍ତରେ ‘ଏକ୍ସ୍‌’ କରି ‘ଇସ୍ରୋ’ ଲେଖିଛି: ଚନ୍ଦ୍ରଯାନ-୩ ମିସନ୍‌: ନ୍ୟସ୍ତ କରାଯାଇଥିବା କାର୍ୟ୍ୟ ସମ୍ପନ୍ନ କରିଛି ‘ରୋଭର୍‌’। ଏବେ ଏହାକୁ ନିରାପଦରେ ‘ପାର୍କିଙ୍ଗ୍‌’ କରାଯାଇ ‘ସ୍ଲିପ୍‌ ମୋଡ୍‌’କୁ ନିଆଯାଇଛି । ‘ଏପିଏକ୍ସଏସ୍‌’ ଓ ‘ଏଲ୍‌ଆଇବିଏସ୍’ ପ୍ଲେଲୋଡ୍‌କୁ ‘ସୁଇଚ୍‌ ଅଫ୍‌’ କରିଦିଆଯାଇଛି । ‘ଲାଣ୍ଡର୍‌’ ଜରିଆରେ ଏହି ସବୁ ‘ପ୍ଲେଲୋଡ୍‌’ରୁ ‘ଡାଟା’ (ତଥ୍ୟାବଳି) ପୃଥିବୀକୁ ପ୍ରସାରିତ ହୁଏ ।

ସମ୍ପ୍ରତି, ବ୍ୟାଟେରି ମଧ୍ୟ ସମ୍ପୂର୍ଣ୍ଣ ‘ଚାର୍ଜ’ ଅଛି । ସେପ୍ଟେମ୍ବର ୨୨ରେ ହେବାକୁ ଥିବା ପରବର୍ତ୍ତୀ ସୂର୍ୟ୍ୟୋଦୟ ସମୟରେ ଯେମିତି ସୂର୍ୟ୍ୟକିରଣ ଗ୍ରହଣ କରିପାରିବ, ସେମିତି ଭାବେ ‘ସୋଲାର୍‌ ପାନେଲ୍‌’କୁ ରଖାଯାଇଛି। ‘ରିସିଭର୍‌’କୁ ଅନ୍‌ ମଧ୍ୟ ରଖାଯାଇଛି । ନ୍ୟସ୍ତ କରାଯାଇଥିବା ବାକି କାର୍ୟ୍ୟ କରିବା ଲାଗି (ରୋଭର୍‌) ଜାଗ୍ରତ ହେବାରେ ସଫଳ ହେବ ବୋଲି ଆଶା! ତା’ ନ ହେଲେ (ରୋଭର୍‌) ଭାରତର ‘ଲୁନାର୍‌ ଆମ୍ବାସାଡର୍‌’ (ଚନ୍ଦ୍ରଦୂତ) ହୋଇ ଚିରଦିନ ସେଠାରେ ରହିବ ବୋଲି କହିଛି ଇସ୍ରୋ ।

Get real time updates directly on you device, subscribe now.