ଚନ୍ଦ୍ରଯାନର ସଫଳତାକୁ ମିଳିଲା ଜାତୀୟ ସମ୍ମାନ: ଅଗଷ୍ଟ ୨୩କୁ ‘ଜାତୀୟ ମହାକାଶ ଦିବସ’ ଘୋଷଣା କଲେ ମୋଦୀ

ନୂଆଦିଲ୍ଲୀ: ବର୍ତ୍ତମାନ ଚନ୍ଦ୍ରଯାନ-୩ର ସଫଳତା ଭାରତର ସମ୍ମାନକୁ ଆହୁରି ଉଚ୍ଚ ସ୍ତରରେ ପହଞ୍ଚାଇଛି । ପ୍ରଥମ ଦେଶ ଭାବରେ ଭାରତ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ପାଦ ଥାପିବାରେ ସଫଳ ହୋଇଛି । କେବଳ ଲାଣ୍ଡର ବିକ୍ରମ ନୁହେଁ, ରୋଭର ପ୍ରଜ୍ଞାନ ମଧ୍ୟ ଜହ୍ନ ରାଇଜରେ ସପଳତାର ସହ ନିଜ କାର୍ଯ୍ୟ ସମ୍ପାଦନ କରୁଛି । ତେବେ ଚନ୍ଦ୍ରମାରେ ଭାରତର ‘ମୁନ୍ ମିଶନ୍’ ଲାଣ୍ଡିଂ ଦେଶ ପାଇଁ ଏକ ଐତିହାସିକ ଘଟଣା । ତେଣୁ ଏହି ଘଟଣାକୁ ସ୍ମରଣୀୟ କରିବା ପାଇଁ ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଦିନ(ଅଗଷ୍ଟ ୨୩ ତାରିଖ)କୁ ‘ଜାତୀୟ ମହାକାଶ ଦିବସ’ ଭାବରେ ନାମିତ କରିଛନ୍ତି ପ୍ରଧାନମନ୍ତ୍ରୀ ।

ଗ୍ରୀସ ଗସ୍ତରୁ ଫେରି ସିଧା ଇସ୍ରୋରେ ପହଞ୍ଚି ମୋଦୀ ଏଭଳି ଘୋଷଣା କରିଛନ୍ତି । ତେଣୁ ଚନ୍ଦ୍ରଯାନ-୩ର ଏହି ବିରାଟ ସଫଳତାକୁ ସ୍ତନ୍ତ୍ର ସମ୍ମାନ ଦେବା ଉଦ୍ଦେଶ୍ୟରେ ଏକ ବଡ଼ ଘୋଷଣା କରିଛନ୍ତି ନରେନ୍ଦ୍ର ମୋଦୀ । ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ରଯାନ-୩ ସଫଳତା ହାସଲ କରିଥିବାରୁ ପ୍ରତିବର୍ଷ ଏହି ଦିନକୁ ‘ଜାତୀୟ ମହାକାଶ ଦିବସ’ ରୂପେ ପାଳନ କରାଯିବ। ଏହାଛଡା ଚନ୍ଦ୍ରଯାନ ଲ୍ୟାଣ୍ଡିଂ କରିଥିବା ସ୍ଥାନର ନାମ ସେ ‘ଶିବଶକ୍ତି’ ରଖିବା ସହ ଚନ୍ଦ୍ରଯାନ-୨ର ପଦଚିହ୍ନ ସ୍ଥଳ ସ୍ଥାନକୁ ‘ତ୍ରିରଙ୍ଗା’ ବୋଲି ନାମିତ କରିଛନ୍ତି।

ସେ କହିଛନ୍ତି ଯେ, “ଚନ୍ଦ୍ରଯାନ- ୩ର ଲ୍ୟାଣ୍ଡର ବିକ୍ରମରେ ଭରି ରହିଛି ବିଶ୍ଵାସ। ରୋଭର ପ୍ରଜ୍ଞାନ ବି ପରାକ୍ରମରେ କାହାଠାରୁ କମ୍ ନୁହେଁ । ତେଣୁ ଆପଣମାନେ ଯେଉଁ ଶ୍ରମ କରି ଚନ୍ଦ୍ରଯାନ-୩କୁ ଚନ୍ଦ୍ର ପୃଷ୍ଠରେ ଅବତରଣ କରାଇଛନ୍ତି ସେଥିପାଇଁ ଆପଣମାନଙ୍କୁ ମୁଁ ସାଲ୍ୟୁଟ କରୁଛି ।” ଇସ୍ରୋ ବୈଜ୍ଞାନିକଙ୍କ ପ୍ରଶଂସାରେ ଶତମୁଖ ହୋଇ ଏଭଳି ମନ୍ତବ୍ୟ ରଖିଛନ୍ତି । ଚଳିତ ବର୍ଷ ଚନ୍ଦ୍ରଯାନ-୩ ସଫଳରେ ଇସ୍ରୋ ବୈଜ୍ଞାନିକଙ୍କ ଅକ୍ଳାନ୍ତ ପରିଶ୍ରମ ଓ ତପସ୍ୟା ରହିଛି। ଏହି ମିଶନକୁ ସଫଳ କରିବା ପାଇଁ ଆମ ବୈଜ୍ଞାନିକମାନେ ଇସ୍ରୋ ସେଣ୍ଟରରେ ଏକ କୃତ୍ରିମ ଚନ୍ଦ୍ର ତିଆରି କରି ତାହା ଉପରେ ପରୀକ୍ଷଣ କରିଥିଲେ । ତେଣୁ ଏହା ସଫଳ ହୋଇଛି ବୋଲି କହିଛନ୍ତି ମୋଦୀ।