fbpx

ଅଣସରରେ ଚତୁର୍ଦ୍ଧାମୂର୍ତ୍ତି ବିଗ୍ରହ, ଶ୍ରୀମନ୍ଦିରରେ ପୂଜା ପାଇବେ ପଟିଦିଅଁ

Advertisement

ଓଡିଶା ଭାସ୍କର: ସ୍ନାନମଣ୍ଡପରେ ସ୍ନାନ ପରେ ଅଣସର ଘରେ ଅଣସର ପିଣ୍ଡିରେ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଅଣସର ଘରେ ଅସୁସ୍ଥ ଚତୁର୍ଦ୍ଧାମୁର୍ତ୍ତିଙ୍କ ବିଜେ ପରେ ଶ୍ରୀମନ୍ଦିରରେ ଆଜିଠାରୁ ପଟିଦିଅଁ ପୂଜା ପାଇବେ। ସେଥିଲାଗି ଶନିବାର ବିଳମ୍ବିତ ରାତିରେ ପଟିଦିଅଁଙ୍କ ସହ ଅନ୍ୟ ଦେବାଦେବୀ ଶ୍ରୀମନ୍ଦିରକୁ ବିଜେ କରିଛନ୍ତି।

ସେହିପରି ମହାପ୍ରଭୁଙ୍କର ସ୍ନାନଯାତ୍ରା ପରେ ବାହୁଡ଼ାପହଣ୍ଡି ଶେଷ ପରେ ମଙ୍ଗଳବାର ବିଳମ୍ବିତ ରାତିରେ ଦିଅଁମାନଙ୍କର ସୁନାଚିତା ଓ ରାହୁଲେଖା ମଇଲମ ନୀତି ସମ୍ପର୍ଣ୍ଣ ହୋଇଛି। ଚତୁର୍ଦ୍ଧାମୁର୍ତ୍ତିଙ୍କ ଶ୍ରୀଅଙ୍ଗରେ ଲାଗିଥିବା ସୁନା ଅଳଙ୍କାରକୁ ଖୋଲି ଦଇତାପତି ସେବକମାନେ ଭଣ୍ଡାର ଦାୟିତ୍ୱରେ ଥିବା ମେକାପଙ୍କୁ ଜିମା ଦେଇଛନ୍ତି। ଏହାପରେ ଅଣସର ପହଡ ଲାଗି ନୀତି ହୋଇଥିଲା ।

ସୂଚନା ଅନୁସାରେ , ଚତୁର୍ଦ୍ଧାମୂର୍ତ୍ତି ଅଣସରରେ ରହିବା ସମୟରେ ଶ୍ରୀମନ୍ଦିରରେ ପଟିଦିଅଁଙ୍କ ସହ ଅନ୍ୟ ଦେବାଦେବୀ ପୂଜା ପାଇଥାନ୍ତି । ସେହିପରି ଏହିବର୍ଷ ୧୫ ଦିନ ବଦଳରେ ଶ୍ରୀଜିଉଙ୍କ ଅଣସର ନୀତି ୧୩ ଦିନ ଧରି ଚାଲିବ ବୋଲି ଜଣାପଡିଛି । ଏହି ସମୟରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ବଦଳରେ ଶ୍ରୀମନ୍ଦିରରେ ପଟିଦିଅଁ ପୂଜା ପାଇବେ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରୂପରେ ଅନନ୍ତ ନାରାୟଣ, ଶ୍ରୀବଳଭଦ୍ରଙ୍କ ରୂପରେ ଅନନ୍ତ ବାସୁଦେବ ଓ ଦେବୀ ସୁଭଦ୍ରାଙ୍କ ରୂପରେ ମା’ ଭୁବନେଶ୍ଵରୀ ପୂଜା ପାଇବେ । ଏଥିସହିତ ପଟିଦିଅଁଙ୍କ ସହ ଦୋଳଗୋବିନ୍ଦ, ମଦନମୋହନ, ଲକ୍ଷ୍ମୀ, ସରସ୍ୱତୀ, ରାମ, କୃଷ୍ଣ ଓ ନୃସିଂହ ଭଗବାନଙ୍କ ପଟିଦିଅଁ ମଧ୍ୟ ପୂଜା ପାଇବେ ।

ଆଜିଠାରୁ ଅଣସରକାଳୀନ ଗୁପ୍ତନୀତି ଆରମ୍ଭ ହେବ । ଦଇତାପତି ସେବକମାନେ ଅଣସରର ଗୁପ୍ତସେବା ପାଇଁ ପ୍ରତିଦିନ ବେହେରଣ ଦ୍ୱାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବେ । ଅଣସରର ଗୁପ୍ତନୀତି କାର୍ଯ୍ୟ ସମ୍ପୂର୍ଣ୍ଣ ହେଲା ପରେ । ମହାପ୍ରଭୁ ନବଯୌବନ ବେଶ ସହ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରକୁ ବାହାରିବେ । ଶ୍ରୀମନ୍ଦିରେ ୧୩ ଦିନ ଧରି ପୂଜା ପାଉଥିବା ପଟିଦିଅଁମାନେ ଶ୍ରୀମନ୍ଦିର ଅଣସର ତାଟି ନିକଟରେ ଆସି ପୂଜା ପାଇବେ। ମହାପ୍ରଭୁଙ୍କ ବଦଳରେ ପଟି ଦିଅଁଙ୍କଠାରେ ଷାଠିଏ ପଉଟି ଭୋଗ ଲାଗି ହେବ । ଏହି ସମୟରେ ମହାପ୍ରଭୁଙ୍କଠାରେ ଫଳ, ଚକଟା ଭୋଗ ଆଦି ଲାଗି ହେବା ସହ ଘନ ଅନ୍ଧକାର ଭିତରେ ଏହି ଭୋଗ ଲାଗି ସହ ଗୁପ୍ତସେବା କରାଯିବ ।

Get real time updates directly on you device, subscribe now.