ଓଡ଼ିଶାରୁ ଗିରଫ ହେଲେ ଛତିଶଗଡ଼ ମାଓବାଦୀ, ମୁଣ୍ଡରେ ଥିଲା ୨ ଲକ୍ଷ ଟଙ୍କାର ପୁରସ୍କାର

ମାଲକାନଗିରି: ଦିନକୁ ଦିନ ମାଓବାଦୀଙ୍କ ପାଦୁର୍ଭାବ ବୃଦ୍ଧି ପାଉଥିବା ବେଳେ ମାଲକାନଗିରି ପୋଲିସକୁ ମିଳିଛି ବଡ଼ ସଫଳତା। ଓଡ଼ିଶାରୁ ଗିରଫ ହେଲେ ଛତିଶଗଡ଼ ମହିଳା ମାଓବାଦୀ । କମ୍ବିଂ ଅପରେସନ ବେଳେ ଜଣେ ମହିଳା ମାଓବାଦୀକୁ ଗିରଫ କରିଛି ପୋଲିସ । ଏମଭି-୭୯ ଥାନା ଅଞ୍ଚଳର କୁର୍ତ୍ତି ଗ୍ରାମ୍ୟ ଜଙ୍ଗଲରେ ନକ୍ସଲ ବୁଲୁଥିବା କଥା ପୋଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା । ଏହା ପରେ ତୁରନ୍ତ ଏସଓଜି ଏବଂ ଡିଭିଏଫ ଯବାନ ଅପରେସନକୁ ବାହାରିଥିଲେ। ଅପରେସନ ବେଳେ ଜଂଗଲରେ ଜଣେ ସନ୍ଦିଗ୍ଧ ମହିଳା ବୁଲୁଥିବା ଯବାନ ଦେଖିଥିଲେ । ଯବାନଙ୍କୁ ଦେଖି ମହିଳା ମାଓବାଦୀ ଦୌଡ଼ି ପଳାଇବା ପାଇଁ ଚେଷ୍ଟା କରୁଥିବା ବେଳେ ଯବାନ କାବୁ କରିଥିଲେ । ପରେ ମହିଳାଙ୍କୁ ଧରି ପଚରାଉଚରା କରିବା ପରେ ସେ ମାଓ ସଂଗଠନର ଜଣେ କ୍ୟାଡର ନକ୍ସଲ ବୋଲି ପରିଚୟ ଦେଇଥିଲେ ।

ସୂଚନାରୁ ପ୍ରକାଶ ୨୦୧୭ରେ ମାଓନେତା ସୁଖରାମଙ୍କ ନେତୃତ୍ବରେ ମାଓ ସଂଗଠନରେ ଜଡ଼ିତ ହୋଇଥିଲେ । ପରେ ସେ ଦକ୍ଷିଣ ବସ୍ତର ଡିଭିଜନରେ କାମ କରିବା ପରେ ପ୍ଲାଟୁନ ନମ୍ବର ୧୨ରେ ମଧ୍ୟ କାମ କରୁଥିଲେ । କେନ୍ଦ୍ରୀୟ କମିଟି ସଦସ୍ୟ ଉଦୟର ସେ ଅଙ୍ଗରକ୍ଷକ ଥିଲେ । ତେବେ ସେ ସାଦା ପୋଷାକରେ ଅଂଚଳର ଗତିବିଧି ସଂପର୍କରେ ସୂଚନା ସଂଗ୍ରହ କରିବାକୁ ବୁଲୁଥିଲେ । ଗିରଫ ମହିଳା ମାଓବାଦୀ ହେଲେ ଆଣ୍ଟି ମାଡ଼ବୀ । ସେ ମାଓ ସଙ୍ଗଠନରେ ପାର୍ଟି ମେମ୍ବର ଭାବେ କାର୍ଯ୍ୟ କରୁଥିଲେ। ପୋଲିସ ସହ ୯ଟି ଏନକାଉଣ୍ଟର ମାମଲାରେ ସଂପୃକ୍ତ ଥିଲେ ଆଣ୍ଟି ମାଡ଼ବୀ । ମାଡ଼ବୀଙ୍କ ନାଁରେ ୨ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା । ହେଲେ ମାଲକାନଗିରି ସୀମା ଭିତରକୁ ଆସି ଉଜୁଡ଼ି ଯାଇଥିବା ମାଓ ସଂଗଠନର ସୁରକ୍ଷା ସହ ମାଓ ସଂଗଠନକୁ ପୁଣି ଥରେ ସଜାଡ଼ିବା ଲାଗି ଆଶ୍ରୟ ସ୍ଥଳି ଖୋଜୁଥିବା ବେଳେ କମ୍ବିଂ ଅପରେସନରେ ଥିବା ସୁରକ୍ଷାକର୍ମୀଙ୍କ ହାତରେ ଧରା ପଡ଼ିଥିଲେ ଆଣ୍ଟି ମାଣ୍ଡବି ଓରଫ ଲାକି ।

୨୦୨୧ରେ ମାଥିଲି ଥାନା ଅଞ୍ଚଳରେ ଏକ ଗୁଳିବିନିମୟ ହୋଇଥିଲା, ସେଥିରେ ଆଣ୍ଟି ମାଡ଼ବୀ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ସେହିପରି ଆନ୍ଧ୍ରରେ ଦୁଇଟି ଏବଂ ଛତିଶଗଡ଼ରେ ୪ଟି ମାଓ ହିଂସାକାଣ୍ଡର ମାଷ୍ଟର ମାଇଣ୍ଡ ଥିଲେ । ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ନୀତି ଶେଖର, ଅତିରିକ୍ତ ଏସପି ତପନ କୁମାର ରଥ ଓ ଆର.କେ ଦାସ ପ୍ରମୁଖ ଉପସ୍ଥିତ ରହି ସମସ୍ତ ସୂଚନା ପ୍ରଦାନ କରିଥିଲେ ।