fbpx

ଗଜପତି ମହାରାଜ କରୁଛନ୍ତି ଛେରା ପହଁରା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଶ୍ରୀକ୍ଷେତ୍ରଧାମ ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଅନୁଷ୍ଠିତ ହୋଇଛି । । ତେଣୁ ମହାପ୍ରଭୁଙ୍କ ପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର ଧାମ । ଜ୍ୟେଷ୍ଠଭ୍ରାତା ବଳଭଦ୍ର, ଭଗିନୀ ସୁଭଦ୍ରାଙ୍କ ସହ କାଳିଆ ସାଆନ୍ତ ମାଉସୀ ମାଆ ଘରକୁ ଯାତ୍ରା କରିବେ । ଆଜି ରତ୍ନବେଦୀରୁ ଜନ୍ମବେଦୀକୁ ଯିବେ ଚତୁର୍ଦ୍ଧାମୂରତି । ତେବେ ଚଳିତ ବର୍ଷ ଘୋଷଯାତ୍ରା କରୋନା କଟକଣା ମଧ୍ୟରେ ବିନା ଭକ୍ତରେ ଅନୁଷ୍ଠିତ ହେଉଛି । ଏଥର ମହାପ୍ରଭୁ ବଡ଼ଦାଣ୍ଡରେ ଯିବାବେଳେ ତାଙ୍କୁ ଆଉ ଚାହିଁବାକୁ କେହି ରହିବେନି । କାରଣ ଭକ୍ତମାନଙ୍କୁ ବଡ଼ଦାଣ୍ଡ ମନା । ଭକ୍ତମାନେ ଟିଭି ପରଦାରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ।

ତେବେ ଏହି ଅବସରରେ ପୁରୀ ଗଜପତି ମହାରାଜ ସୁନା ଖଡ଼ିକାରେ ଛେରା ପହଁରା କରୁଛନ୍ତି । ଆଦ୍ୟ ସେବକ ଭାବେ ଛେରା ପହଁରା କରୁଛନ୍ତି ଗଜପତି ଦିବ୍ୟସିଂହ ଦେବ । ତିନି ରଥରେ ଛେରା ପହଁରା କରିବା ପାଇଁ ପାଲିଙ୍କିରେ ବସି ରାଜନଅରରୁ ଆସିଛନ୍ତି ଗଜପତି ମହାରାଜ । ଛେରା ପହଁର ନୀତି ମଧ୍ୟରେ ଦର୍ଶନ, ବନ୍ଦାପନା, କର୍ପୁର, ଚାମର, ଆଲଟ ସେବା, ପୟମାଳା ଗ୍ରହଣ ଆଦି ଅନ୍ତର୍ଭୁକ୍ତ ଥାଏ । ତିନି ରଥ ଉପରେ ଶ୍ରୀ ବିଗ୍ରହମାନେ ପହଣ୍ଡି ବିଜେ ହୋଇ ରଥାରୂଢ଼ ହେବା ପରେ ମୁଖ୍ୟ ବିଗ୍ରହମାନଙ୍କ ମଇଲମ ଓ ମାଳଫୁଲ ଲାଗି ହୋଇଥାଏ । ଛେରା ପହଁରା ନୀତି ସରିବା ଯାଏ ଗଜପତି ମହାରାଜ ଉପବାସ ରହିଥାନ୍ତି । ଚକ୍ରରାଜ ସୁଦର୍ଶନ, ମାଆ ସୁଭଦ୍ରା, ବଡ଼ଠାକୁର ଶ୍ରୀବଳଭଦ୍ରଙ୍କୁ ପହଣ୍ଡିରେ ରଥାରୂଢ଼ କରାଯିବା ପରେ ପରିଶେଷରେ କାଳିଆସାଆନ୍ତଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଥିଲା । ସୁଶୋଭିତ ଦିବ୍ୟ ଟାହିଆରେ ସଜ୍ଜିତ ହୋଇ ଢଳିଢଳି ଆସୁଥିବା କାଳିଆର ଏଇ ଅପରୂପ ଦୃଶ୍ୟ ଦେଖିବାକୁ ଭକ୍ତମାନେ ପାଗଳ ହୋଇଉଠିଛନ୍ତି ।

ଚଳିତ ବର୍ଷ କୋଭିଡ୍ କଟକଣା ପାଇଁ ବିନା ଭକ୍ତରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ଘୋଷଯାତ୍ରା । ତେଣୁ କେବଳ ସେବାୟତମାନେ ମହାପ୍ରଭୁଙ୍କ ରଥକୁ ଟାଣିବେ । ଗତକାଲି ରାତିରୁ ପୁରୀରେ କର୍ଫ୍ୟ ଲାଗୁ ହୋଇଛି, ଯାହାକି ଆସନ୍ତା କାଲି ରାତି ୮ଟା ପର୍ଯ୍ୟନ୍ତ ଜାରି ରହିବ । ଘୋଷଯାତ୍ରା ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି । ଅପରାହ୍ନ ୩ଟା ସମୟରେ ରଥଟଣା ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.