fbpx

ସେପ୍ଟେମ୍ବର ୨ ତାରିଖରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି: ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତାକାଲି ଅର୍ଥାତ ସୋମବାର ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି । ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି । ଚଳିତ ମାସରେ ୩ ଦିନ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିବା ନେଇ ପୂର୍ବରୁ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଥିଲା । ସେପ୍ଟେମ୍ବର ୨, ୯ ଓ ୧୬ ତାରିଖରେ ଶୁଣାଣି ବନ୍ଦ ରହିବ ।

ବିଧାନସଭାର ପ୍ରଥମ ଅଧିବେଶନ ଚାଲୁ ରହୁଥିବାରୁ ସେପ୍ଟେମ୍ବର ୨ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିଯୋଗର ଶୁଣାଣି କରିବେ ନାହିଁ । ସେହିପରି ନୂଆଖାଇ ପରିପ୍ରେକ୍ଷୀରେ ୯ ତାରିଖ ଛୁଟି ଥିବାରୁ ଓ ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ଉପଲକ୍ଷେ ୧୬ ତାରିଖ ସରକାରୀ ଛୁଟି ଥିବାରୁ ଏହି ଦୁଇ ଦିନ ମଧ୍ୟ ଶୁଣାଣି ବନ୍ଦ ରହିବ । ଶୁଣାଣିର ପରବର୍ତ୍ତୀ ତାରିଖ ବାବଦରେ ଜନସାଧାରଣଙ୍କୁ ସମ୍ବାଦପତ୍ର ଜରିଆରେ ଜଣାଇ ଦିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଥିଲା ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତ ମାସରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କିଛି ଦିନ ପାଇଁ ବନ୍ଦ ରହିଥିଲା । ଅଗଷ୍ଟ ୧୯ରେ ରକ୍ଷା ବନ୍ଧନ ପାଇଁ ଓ ୨୬ରେ ଜନ୍ମାଷ୍ଟମୀ ପାଇଁ ସରକାରୀ ଛୁଟି ରହିଥିଲା । ତେଣୁ ଏହି ଦୁଇଦିନ ଶୁଣାଣି ବନ୍ଦ ରହିଥିଲା । ରାଜଧାନୀର ୟୁନିଟ-୫, ଭୁବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିୟମିତ ଭାବେ ଅଭିଯୋଗ ଶୁଣାଣି କରିଆସୁଛନ୍ତି । ଏହି ଜନ ଅଭିଯୋଗ ଶୁଣାଣି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ରାଜ୍ୟର ଲକ୍ଷାଧିକ ଲୋକଙ୍କର ସମସ୍ୟାକୁ ସମାଧାନ କରିପାରିଛନ୍ତି ।

Get real time updates directly on you device, subscribe now.