fbpx
BJD SKY
BJD SKY

ମାୟନଗରୀରେ ଓଡ଼ିଆ ମାନଙ୍କ ରହଣି ପାଇଁ ମୁମ୍ବାଇରେ ନିର୍ମାଣ ହେବ ‘ଓଡିଶା ଭବନ’; ସମ୍ପ୍ରସାରଣ କାର୍ଯ୍ୟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

BJD

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ମୁମ୍ବାଇସ୍ଥିତ ଓଡିଶା ଭବନର ସଂପ୍ରସାରଣ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ବିଭିନ୍ନ କାର୍ଯ୍ୟରେ ମୁମ୍ବାଇ ଆସୁଥିବା ସରକାରୀ ଅଧିକାରୀ ଓ ଜନସାଧାରଣଙ୍କୁ ମୁମ୍ବାଇ ଭଳି ମେଟ୍ରୋ ସହରରେ ସୁଲଭ ମୂଲ୍ୟରେ ରହଣି ଯୋଗାଇଦେବା ଉଦ୍ଦେଶ୍ୟରେ ଓଡିଶା ଭବନ, ମୁମ୍ବାଇ କାର୍ଯ୍ୟକରୁଅଛି ।

ଏହି ଭବନରେ ୨୮ ଗୋଟି ଏସି ରୁମ ଓ ୪ ଟି ଏସି ଡର୍ମିଟୋରୀ ରହିଛି । ଏହି ସବୁ ରୁମ ମଧ୍ୟରୁ ୧୬ ଗୋଟି ୨ ଶଯ୍ୟା ବିଶିଷ୍ଟ ଏସି ରୁମ ଓ ୨ ଟି ଏସି ଡର୍ମିଟୋରୀ ମୁମ୍ବାଇରେ କ୍ୟାନ୍ସର ଭଳି ଦୂରାରୋଗ୍ୟ ବ୍ୟାଧିର ଚିକିତ୍ସା ନିମନ୍ତେ ଆସୁଥିବା ଓଡିଆ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ରହିଛି ।

ସରକାରଙ୍କ ତରଫରୁ ରିହାତି ମୂଲ୍ୟରେ ଯୋଗାଇ ଦିଆଯାଉଥିବା ଏହି ରହଣି ସୁବିଧା ଦ୍ୱାରା ଓଡିଶାର ଆର୍ଥିକ ଦୁର୍ବଳ ଶ୍ରେଣୀର ରୋଗୀମାନେ ବିଶେଷଭାବେ ଉପକୃତ ହୋଇ ଆସୁଛନ୍ତି ।ତେବେ ମୁମ୍ବାଇ ଓଡିଶା ଭବନରେ ରୋଗୀମାନଙ୍କ ପାଇଁ ଅଧିକ ରୁମର ବ୍ୟବସ୍ଥା କରିବାକୁ ଓଡିଶାର ଜନସାଧାରଣ ତଥା ମୁମ୍ବାଇସ୍ଥିତ ବିଭିନ୍ନ ଓଡିଆ ସଂଗଠନ ତରଫରୁ ଦୀର୍ଘ ଦିନ ଧରି ଦାବି ହୋଇ ଆସୁଥିଲା । ସେମାନଙ୍କର ଦାବୀକୁ ସମ୍ମାନ ଜଣାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଆଜି ଏହି ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ।

ଏହି ଅବସରରେ ସ୍ୱରାଷ୍ଟ୍ର ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସଞ୍ଜୀବ ଚୋପ୍ରା, ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) ଶ୍ରୀ ଭି. କେ. ପାଣ୍ଡିଆନ, ନିର୍ମାଣ ବିଭାଗ ଓ ଇଡ୍‌କୋର ଅଧିକାରୀ ବୃନ୍ଦ ତଥା ମୁମ୍ବାଇସ୍ଥିତ ବିଭିନ୍ନ ଓଡିଆ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ଥିଲେ ।
ଓଡିଶା ଭବନ, ମୁମ୍ବାଇର ଏହି ସଂପ୍ରସାରଣ ପୂର୍ଣ୍ଣ ହେଲେ ମୁମ୍ବାଇ ଭଳି ବ୍ୟୟବହୁଳ ସହରରେ ଅଧିକ କ୍ୟାନ୍ସର ପୀଡିତଙ୍କୁ ସ୍ୱଳ୍ପ ମୂଲ୍ୟରେ ରହଣି ଯୋଗାଇଦିଆଯାଇ ପାରିବ । ଏଥି ନିମନ୍ତେ ଓଡିଶାର ଜନସାଧାରଣ ତଥା ମୁମ୍ବାଇସ୍ଥିତ ବିଭିନ୍ନ ଓଡିଆ ସଂଗଠନ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

Get real time updates directly on you device, subscribe now.