ଗୋପାଳପୁର ବେଳାଭୂମିରେ ଦୁଷ୍କର୍ମ ମାମଲା: ଦୃଢ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ, କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦେଲେ ନିର୍ଦ୍ଦେଶ
ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଆଇନ ଅନୁମୋଦିତ ସବୁଠାରୁ କଠୋର ଦଣ୍ଡବିଧାନ କରାଯିବ କହିଲେ ମୁଖ୍ୟମନ୍ତ୍ରୀ ।
ଭୁବନେଶ୍ବର: ଗୋପାଳପୁର ଗଣଦୁଷ୍କର୍ମ ମାମଲା ବର୍ତ୍ତମାନ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ସାଜିଛି । ସମସ୍ତେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରୁଥିବା ବେଳେ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇ ଦଣ୍ଡବିଧାନ କରାଯିବ ବୋଲି କହିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ନିନ୍ଦା- ଘଟଣାକୁ ଦୃଢ଼ ନିନ୍ଦା କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ଅଭିଯୁକ୍ତଙ୍କ ପ୍ରତି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ । ଆଇନ ଅନୁମୋଦିତ ସବୁଠାରୁ କଠୋର ଦଣ୍ଡବିଧାନ କରାଯିବ ।
ଏହି ଘଟଣା ସାମ୍ନାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ସ୍ଥାନୀୟ ପୋଲିସକୁ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବା ପାଇଁ କହିଥିଲେ । ପୋଲିସ ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା 10 ଜଣଙ୍କୁ ଗିରଫ ମଧ୍ୟ କରିଛି ।
କଣ ଥିଲା ଘଟଣା- ପୁରୁଷବନ୍ଧୁଙ୍କ ସହିତ ଗୋପାଳପୁର ବେଳାଭୂମୀ ଯାଇଥିଲେ ଯୁବତୀ । ଯୁକ୍ତ 3ରେ ଅଧ୍ୟୟନ କରୁଥିବା ନେଇ ସୂଚନା ରହିଛି । ରାତି 8ଟା ସମୟରେ ଉଭୟେ ସମୁଦ୍ରକୂଳେ ବସିଥିଲେ । ଏହି ସମୟରେ ହିଞ୍ଜିଳିକାଟୁ ଅଞ୍ଚଳର ୧୦ଜଣ ଯୁବକ ଆସି ଅସଦାଚରଣ କରିଥିଲେ ।
ଫଳରେ ଏହାକୁ ବିରୋଧ କରିଥିଲେ ପୁରୁଷବନ୍ଧୁ । ଏଥିରେ ଉତ୍ତ୍ୟକ୍ତ ହୋଇ କିଛି ଯୁବକ ପୁରୁଷବନ୍ଧୁକୁ କାବୁ କରି ମହିଳାଙ୍କୁ ଟେକି ନେଇଯାଇଥିଲେ । ଏକ ଅନ୍ଧାରିଆ ସ୍ଥାନରେ ତିନି ଜଣ ଗଣଦୁଷ୍କର୍ମ କରିଥିଲେ ।
ତାପରେ ସେଠାରୁ ଚମ୍ପଟ ମାରିଥିଲେ । ଏହାପରେ ରାତି ପ୍ରାୟ ସାଢ଼େ ୧୦ଟା ବେଳେ ସେମାନେ ଥାନାରେ ପହଞ୍ଚି ଘଟଣା ସଂପର୍କରେ ପୁଲିସକୁ ଜଣାଇଥିଲେ । ପରେ ଘଟଣା ସାମ୍ନାକୁ ଆସିଥିଲା ।